ଲଣ୍ଡନ: ଅଗଷ୍ଟ ୧ ତାରିଖରୁ ଇଂଲଣ୍ଡ ବିପକ୍ଷ ହେବାକୁଥିବା ଆଶେସ୍ ସିରିଜ୍ ପାଇଁ ଆଜି ୧୭ ଜଣିଆ ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍ ଘୋଷଣା କରାଯାଇଛି। ଟିମକୁ ଡେଭିଡ୍ ୱାର୍ଣ୍ଣର୍ ଓ ଷ୍ଟିଭେନ୍ ସ୍ମିଥଙ୍କ ଛଡ଼ା ଓପନିଂ ବ୍ୟାଟ୍ସମ୍ୟାନ୍ କ୍ୟାମେରନ୍ ବ୍ୟାନକ୍ରଫ୍ଟ ମଧ୍ୟ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ତିନି ବ୍ୟାଟ୍ସମ୍ୟାନ୍ ଗତବର୍ଷ ଦକ୍ଷିଣ ଆଫ୍ରିକାରେ ବଲ୍ ଟ୍ୟାମ୍ପରିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ କ୍ରିକେଟରୁ ବାସନ୍ଦ ହୋଇଥିଲେ।
ପୂର୍ବତନ କ୍ୟାପଟେନ୍ ସ୍ମିଥ୍ ଓ ତାଙ୍କ ଡେପୁଟୀ ୱାର୍ଣ୍ଣରଙ୍କୁ ୧୨ମାସ କ୍ରିକେଟରୁ ସସପେଣ୍ଡ କରାଯାଇଥିବା ବେଳେ ବ୍ୟାନକ୍ରଫ୍ଟଙ୍କ ଉପରେ ୯ମାସର ବାସନ୍ଦାଦେଶ ଲଗାଯାଇଥିଲା। ଏହି ତିନି ଖେଳାଳି ଗତବର୍ଷ ମାର୍ଚ୍ଚ ଶେଷରେ କେପ୍ ଟାଉନ୍ ଟେଷ୍ଟରେ ଫିଲ୍ଡିଂ କରୁଥିବା ବେଳେ ବଲ୍ ଟ୍ୟାମ୍ପରିଂ କରିଥିଲେ। ଉଭୟ ସ୍ମିଥ୍ ଓ ୱାର୍ଣ୍ଣରଙ୍କ ଟେଷ୍ଟ ଦଳକୁ ଫେରିବା ଏକ ପ୍ରକାଶ ନିଶ୍ଚିତ ଲାଗୁଥିଲା, କାରଣ ଦୁହେଁ ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ଭଲ ପ୍ରଦର୍ଶନ କରିଥିଲେ।
ବ୍ୟାନକ୍ରଫ୍ଟ ଇଂଲିଶ କାଉଣ୍ଟି ଟିମ୍ ଡରହାମ୍ କ୍ୟାପଟେନ୍ ଭାବେ ୯୩ ରନର ଅପରାଜିତ ଇନିଂସ୍ ଖେଳି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଷ୍ଟ୍ରେଲିଆ ଜାତୀୟ ଚୟନକର୍ତ୍ତା ଟ୍ରେଭର୍ ହନ୍ସ କହିଛନ୍ତି, " ଭଲ ପ୍ରଦର୍ଶନ ଆଧାରରେ ୱାର୍ଣ୍ଣର୍, ସ୍ମିଥ୍ ଓ ବ୍ୟାନକ୍ରଫ୍ଟଙ୍କୁ ଟେଷ୍ଟ ଟିମରେ ସାମିଲ୍ କରାଯାଇଛି।"
Aussie #Ashes squad:
Tim Paine (c), Cameron Bancroft, Pat Cummins, Marcus Harris, Josh Hazlewood, Travis Head, Usman Khawaja, Marnus Labuschagne, Nathan Lyon, Mitchell Marsh, Michael Neser, James Pattinson, Peter Siddle, Steven Smith, Mitchell Starc, Matthew Wade, David Warner. pic.twitter.com/gz6XspryKG
— cricket.com.au (@cricketcomau) July 26, 2019
ଟିମର କ୍ୟାପଟେନ୍ ଭାବେ ଟିମ୍ ପେନ୍ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଟିମରେ ପାଞ୍ଚଜଣ ସ୍ପେଶାଲିଷ୍ଟ ପେସର ଯଥା ପ୍ୟାଟ୍ କମିନ୍ସ, ଜୋଶ ହେଜଲଉଡ୍, ମିଚେଲ୍ ଷ୍ଟାର୍କ, ଜେମ୍ସ ପାଟିନସନ୍ ଓ ପିଟର୍ ସିଡଲଙ୍କୁ ସାମିଲ୍ କରାଯାଇଛି। ଅଲରାଉଣ୍ଡର ମିଚେଲ୍ ମାର୍ଶ ଟିମକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ମାଇକେଲ୍ ନେସାର ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି।
ସୂଚନାଯୋଗ୍ୟ, ଆଶେସ୍ ସିରିଜର ପ୍ରଥମ ଟେଷ୍ଟ ଅଗଷ୍ଟ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଏଜବାଷ୍ଟନରେ, ଦ୍ୱିତୀୟ ଟେଷ୍ଟ ୧୪ରୁ ୧୮ ପର୍ଯ୍ୟନ୍ତ ଲର୍ଡ୍ସରେ, ତୃତୀୟ ଟେଷ୍ଟ ଅଗଷ୍ଟ ୨୨ରୁ ୨୬ ପର୍ଯ୍ୟନ୍ତ ହେଡିଂଲେରେ, ଚତୁର୍ଥ ଟେଷ୍ଟ ସେପ୍ଟେମ୍ବର ୪ରୁ ୮ ପର୍ଯ୍ୟନ୍ତ ଓଲ୍ଡ ଟ୍ରାଫର୍ଡରେ ଏବଂ ପଞ୍ଚମ ଟେଷ୍ଟ ସେପ୍ଟେମ୍ବର ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଓଭାଲରେ ଖେଳାଯିବ।
ଅଷ୍ଟ୍ରେଲିଆ ଆଶେସ୍ ସ୍କ୍ୱାଡ୍: ଟିମ୍ ପେନ୍ (କ୍ୟାପଟେନ୍/ୱିକେଟକିପର୍), କାମେରନ୍ ବ୍ୟାନକ୍ରଫ୍ଟ, ପ୍ୟାଟ୍ କମିନ୍ସ, ମାର୍କସ୍ ହାରିସ୍, ଜୋଶ୍ ହେଜଲଉଡ୍, ଟ୍ରାଭିସ୍ ହେଡ୍, ଉସମାନ୍ ଖୱାଜା, ମାର୍ନସ୍ ଲାବୁଶେନ୍, ନେଥନ ଲାୟନ୍, ମିଚେଲ୍ ମାର୍ଶ, ମାଇକେଲ୍ ନେସାର୍, ଜେମ୍ସ ପାଟିନସନ୍, ପିଟର୍ ସିଡଲ୍, ଷ୍ଟିଭେନ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ମାଥ୍ୟୁ ୱେଡ୍, ଡେଭିଡ୍ ୱାର୍ଣ୍ଣର୍।