ସୁଲତାନ ଜୋହର କପ୍ ହକି: ଭାରତର ବିଜୟରେ ଲାଗିଲା ବ୍ରେକ୍‌

ଜୋହର ବାହରୁ (ମ୍ୟାଲେସିୟା): ଚଳିତ ସୁଲତାନ ଜୋହର କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତର ବିଜୟଧାରାରେ ବ୍ରେକ୍ ଲାଗିଛି। ମଙ୍ଗଳବାର ଭାରତୀୟ ଜୁନିୟର ପୁରୁଷ ହକି ଟିମ୍ ତା’ର ତୃତୀୟ ମ୍ୟାଚରେ ଜାପାନ ନିକଟରୁ ୩-୪ ଗୋଲରେ ପରାସ୍ତ ହୋଇଛି। ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ମ୍ୟାଲେସିୟାକୁ ୪-୨ ଗୋଲରେ ପରାସ୍ତ କରିଥିବା ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୮-୨ରେ ହରାଇଥିଲା। ଆଜି ମ୍ୟାଚରେ ଜାପାନ ଆରମ୍ଭରୁ ଆକ୍ରମଣ କରିଥିଲା। ମ୍ୟାଚର ପ୍ରଥମ ମିନିଟରେ ମାତସୁମୋତୋ ୱାଟାରୁ ଗୋଟିଏ […]

hockey

Ranjit Kumar Jena
  • Published: Tuesday, 15 October 2019
  • , Updated: 15 October 2019, 08:38 PM IST

ଜୋହର ବାହରୁ (ମ୍ୟାଲେସିୟା): ଚଳିତ ସୁଲତାନ ଜୋହର କପ୍ ହକି ଟୁର୍ଣ୍ଣାମେଣ୍ଟରେ ଭାରତର ବିଜୟଧାରାରେ ବ୍ରେକ୍ ଲାଗିଛି। ମଙ୍ଗଳବାର ଭାରତୀୟ ଜୁନିୟର ପୁରୁଷ ହକି ଟିମ୍ ତା'ର ତୃତୀୟ ମ୍ୟାଚରେ ଜାପାନ ନିକଟରୁ ୩-୪ ଗୋଲରେ ପରାସ୍ତ ହୋଇଛି। ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ମ୍ୟାଲେସିୟାକୁ ୪-୨ ଗୋଲରେ ପରାସ୍ତ କରିଥିବା ଦ୍ୱିତୀୟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୮-୨ରେ ହରାଇଥିଲା।

ଆଜି ମ୍ୟାଚରେ ଜାପାନ ଆରମ୍ଭରୁ ଆକ୍ରମଣ କରିଥିଲା। ମ୍ୟାଚର ପ୍ରଥମ ମିନିଟରେ ମାତସୁମୋତୋ ୱାଟାରୁ ଗୋଟିଏ ଗୋଲ୍ ଦେଇ ଜାପାନକୁ ୧-୦ରେ ଆଗୁଆ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଜାପାନର ଆଧିପତ୍ୟ ଜାରି ରହିଥିଲା। ୨୨ତମ ମିନିଟରେ କାୱାବେ କୋସେଇ ଜାପାନ ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଜାପାନ ୨-୦ ଗୋଲରେ ଆଗୁଆ ରହି ଭାରତ ଉପରେ ଚାପ ପକାଇଥିଲା।

ଦ୍ୱିତୀୟାର୍ଦ୍ଧରେ ଗୁରସାହିବଜିତ୍ ସିଂହ ଗୋଟିଏ ଗୋଲ୍ ଦେଇ ଭାରତକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଥିଲେ । ସେ ୩୧ତମ ମିନିଟରେ ଏହି ଗୋଲ୍ ସ୍କୋର କରିଥିଲେ। ଏହା ପରେ ଜାପାନ ଲଗାତାର ଦୁଇଟି ଗୋଲ୍ ଦେଇ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲା। ମ୍ୟାଚର ୩୩ତମ ମିନିଟରେ କେଇଟା ୱାଟାନେବ୍ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଜାପାନକୁ ୩-୧ରେ ଆଗୁଆ କରାଇଥିଲେ।

କାୱାବେ ୩୭ତମ ମିନିଟରେ ଆଉ ଏକ ଗୋଲ୍ ଦେଇ ଜାପାନକୁ ୪-୧ରେ ଅଗ୍ରଣୀ କରାଇଥିଲେ। ତେବେ ପରବର୍ତ୍ତୀ ମିନିଟରେ ଶାରଦା ନନ୍ଦ ଭାରତ ପାଇଁ ଦ୍ୱିତୀୟ ଗୋଲ୍ ପରିଶୋଧ କରିଥିଲେ। ଓଡ଼ିଆ ତାରକା ପ୍ରତାପ ଲାକ୍ରା ୫୩ତମ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍କୋରକୁ ୩-୪ରେ ପହଞ୍ଚାଇଥିଲେ। ଏହା ପରେ ଭାରତ ମ୍ୟାଚ୍ ବରାବର କରିବାକୁ ଜୋରଦାର ପ୍ରୟାସ କରିଥିଲେ ହେଁ, ଏଥିରେ କୌଣସି ସଫଳତା ମିଳିନଥିଲା। ଫଳରେ ଜାପାନ ମୁକାବିଲାକୁ ୪-୩ ଗୋଲରେ ଜିତି ନେଇଥିଲା। ବୁଧବାର ଭାରତ ତା'ର ଚତୁର୍ଥ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ।

Related story