ଟାଇଟଲ୍ ଲଢ଼େଇରେ ମିତାଲିଙ୍କୁ ହରାଇଲେ ହରମନପ୍ରୀତ୍

ଜୟପୁର: ବୋଲଙ୍କ ଚମତ୍କାର ପ୍ରଦର୍ଶନ ପରେ କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ସୁପରନୋଭାଜ୍ ମହିଳା ଟି-୨୦ ଚ୍ୟାଲେଞ୍ଜ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ରୋମାଞ୍ଚକର ଫାଇନାଲରେ ମିତାଲି ରାଜଙ୍କ ନେତୃତ୍ୱାଧୀନ ଭେଲୋସିଟିକୁ ୪ ୱିକେଟରେ ହରାଇ ଟାଇଟଲ୍ ନିଜ ନାମରେ କରିଛନ୍ତି। ହରମନପ୍ରୀତ ୩୭ ବଲରେ ୪ ଚୌକା ଓ ୩ ଛକା ସହାୟତାରେ ୫୧ ରନ୍ କରିଥିଲେ, ଯେଉଁଥିରେ ତାଙ୍କ ଟିମ୍ ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୫ ରନ୍ କରି ବିଜୟ ହାସଲ […]

ww

Hemant Lenka
  • Published: Sunday, 12 May 2019
  • , Updated: 12 May 2019, 05:24 PM IST

ଜୟପୁର: ବୋଲଙ୍କ ଚମତ୍କାର ପ୍ରଦର୍ଶନ ପରେ କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ସୁପରନୋଭାଜ୍ ମହିଳା ଟି-୨୦ ଚ୍ୟାଲେଞ୍ଜ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ରୋମାଞ୍ଚକର ଫାଇନାଲରେ ମିତାଲି ରାଜଙ୍କ ନେତୃତ୍ୱାଧୀନ ଭେଲୋସିଟିକୁ ୪ ୱିକେଟରେ ହରାଇ ଟାଇଟଲ୍ ନିଜ ନାମରେ କରିଛନ୍ତି।

ହରମନପ୍ରୀତ ୩୭ ବଲରେ ୪ ଚୌକା ଓ ୩ ଛକା ସହାୟତାରେ ୫୧ ରନ୍ କରିଥିଲେ, ଯେଉଁଥିରେ ତାଙ୍କ ଟିମ୍ ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୫ ରନ୍ କରି ବିଜୟ ହାସଲ କରିଥିଲା। ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଭେଲୋସିଟି ସୁଷମା ବର୍ମାଙ୍କ ଅପରାଜିତ ୪୦ ଓ ଆମେଲିଆ କେରଙ୍କ ୩୬ ରନରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୧ ରନ୍ କରିଥିଲା।

୧୨୨ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ସୁପରନୋଭାଜକୁ ଦ୍ୱିତୀୟ ଓଭରରେ ଝଟକା ଲାଗିଥିଲା। ଓପ୍ନର ଚମାରୀ ଅଟ୍ଟାପଟ୍ଟୁ ମାତ୍ର ୨ ରନ୍ କରିଥିବା ବେଳେ ରନ୍ ଆଉଟ୍ ହୋଇଥିଲେ। ଏହା ପରେ ପ୍ରିୟା ପୁନିଆ (୨୯) ଓ ଜେମିମା ରୋଡ୍ରିଗୁଏଜ୍ (୨୨) ଦ୍ୱିତୀୟ ୱିକେଟ୍ ପାଇଁ ୪୪ ରନ୍ ଯୋଡ଼ି ଟିମକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ଦୁହିଁଙ୍କ ଆଉଟ୍ ପରେ ସୁପରନୋଭାଜ୍ ଆଉ ଦୁଇ ୱିକେଟ୍ ହରାଇ ବସିଥିଲା। ନାଟାଲି ସ୍କିଭର୍ (୨) ଓ ସୋଫି ଡିଭାଇନ୍ (୩) ନିରାଶ କରିଥିଲେ।

ଏହି ସମୟରେ ୬୪ ରନରେ ୫ ୱିକେଟ୍ ହରାଇ ବିପଦରେ ପଡ଼ିଥିବା ସୁପରନୋଭାଜକୁ ଅଧିନାୟକ ହରମନପ୍ରୀତ କୌର୍ ଏକାକୀ ବିଜୟ ଅଭିମୁଖେ ନେଇଥିଲେ। ସେ ଲିଆ ତାହୁହୁଙ୍କ ସହ ମିଶି ଷଷ୍ଠ ୱିକେଟ୍ ମହତ୍ତ୍ୱପୂର୍ଣ୍ଣ ୫୧ ରନର ଭାଗୀଦାରୀ କରିଥିଲେ। କୌରଙ୍କ ଆଉଟ୍ ପରେ ଟିମକୁ ୪ ବଲରେ ୭ ରନ୍ ଆବଶ୍ୟକ ହେଉଥିଲା। କିନ୍ତୁ ରାଧା ଯାଦବ ୪ ବଲରେ ଦ୍ରୁତ ୧୦ ରନ୍ କରି ସୁପରନୋଭାଜକୁ ବିଜୟୀ କରାଇଥିଲେ। ଭେଲୋସିଟି ପକ୍ଷରୁ ଜାହାନାରା ଆଲମ୍ ଓ ଆମେଲିଆ କେର୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭେଲୋସିଟି ୩୭ ରନରେ ୫ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ସୁଷମା ବର୍ମା ଓ ଆମେଲିଆ ଷଷ୍ଠ ୱିକେଟ୍ ପାଇଁ ୭୧ ରନର ଭାଗୀଦାରୀ ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ସୁଷମା ୩୨ ବଲରେ ୩ ଚୌକା ଓ ୧ ଛକା ସହ ସର୍ବାଧିକ ଅପରାଜିତ ୪୦ ଓ କେର୍ ୩୮ ବଲରେ ୪ ଚୌକା ସହ ୩୬ ରନ୍ କରି ଆଉଟ୍ ହୋଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଦୁଇ ଓପ୍ନର ହାଲେ ମାଥ୍ୟୁ (୦) ଓ ଶେଫାଳୀ ବର୍ମା (୧୧)ଙ୍କ ବ୍ୟତୀତ ଡାନିଏଲ୍ ୟାଟ୍ଟ୍ (୦), କ୍ୟାପଟେନ୍ ମିତାଲି ରାଜ (୧୨) ଓ ବେଦ କ୍ରିଷ୍ଣାମୂର୍ତ୍ତି (୮) ନୈରାଶ୍ୟଜନକ ବ୍ୟାଟିଂ କରିଥିଲେ। ସୁପରନୋଭାଜର ସଫଳ ବୋଲର ଭାବେ ତାହୁହୁ ୨୧ ରନ୍ ଦେଇ ୨ଟି ୱିକେଟ୍ ନେଇଥିବା ବେଳେ ଅନୁଜା ପାଟିଲ୍, ସୋଫି ଡିଭାଇନ୍, ନାଟାଲି ସ୍କିଭର୍ ଓ ପୁନମ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story