ରାଞ୍ଚି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ପାଇଁ ପ୍ରଶଂସକଙ୍କ ଭିତରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି। ଏହା ପଛରେ କାରଣ ମଧ୍ୟ ବଡ଼ ରହିଛି । ମ୍ୟାଚଟି ମହେନ୍ଦ୍ର ସିଂହ ଧୋନିଙ୍କ ହୋମ୍ ଗ୍ରାଉଣ୍ଡରେ ଖେଳାଯିବ। ହୋମଗ୍ରାଉଣ୍ଡରେ ୩୭ ବର୍ଷୀୟ ଧୋନିଙ୍କର ଏହା ଶେଷ ମ୍ୟାଚ୍ ବୋଲି କୁହାଯାଉଛି। ତେଣୁ ଏହି ମ୍ୟାଚରେ ଅଧିକ ସଂଖ୍ୟକ କ୍ରିକେଟ ପ୍ରେମୀ ନିଜର ପ୍ରିୟ ହିରୋଙ୍କୁ ଦେଖିବା ପାଇଁ ଝାରଖଣ୍ଡ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ (ଜେଏସସିଏ) ଗ୍ରାଉଣ୍ଡରେ ପହଞ୍ଚି ଟିମକୁ ‘ଚିୟରଅପ୍’ କରିବେ। ଟିମ୍ ଇଣ୍ଡିଆ ମଧ୍ୟ ମ୍ୟାଚ୍ ସହ ସିରିଜ୍ ଜିତି ପ୍ରଶଂସକଙ୍କ ଖୁସିକୁ ଦ୍ୱିଗୁଣିତ କରିବାକୁ ଚାହିଁବ। ଭାରତ ବର୍ତ୍ତମାନ ସିରିଜରେ ୨-୦ରେ ଆଗୁଆ ରହିଛି ଏବଂ ଶୁକ୍ରବାର ମ୍ୟାଚ୍ ଜିତିଲେ ବିରାଟ କୋହଲି ବ୍ରିଗେଡ୍ ସିରିଜରେ ୩-୦ର ଅପରାଜେୟ ଅଗ୍ରଣୀ ହାସଲ କରିନେବ।
ଧୋନିଙ୍କ ପାଇଁ ୩-୦ର ଅଗ୍ରଣୀ ଏକ ଭଲ ଉପହାର ହେବ, କାରଣ ଭାରତ ପାଇଁ ନିଜର ଘରୋଇ ଭେନ୍ୟୁରେ ଏହା ସମ୍ଭବତଃ ତାଙ୍କର ଶେଷ ମ୍ୟାଚ୍ ଖେଳିବେ । ହୁଏତ ଏହା ପରେ ହୋମ୍ ଗ୍ରାଉଣ୍ଡରେ ଧୋନିଙ୍କୁ ଆଉ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବାର ଦେଖିବାକୁ ମିଳିନପାରେ। ଚଳିତ ସିରିଜରେ ଶୀର୍ଷକ୍ରମ ବ୍ୟାଟିଂ ଭାରତ ପାଇଁ ଚିନ୍ତାର ବିଷୟ ହୋଇଛି, କାରଣ ଶିଖର ଧୱନଙ୍କ ଖରାପ ଫର୍ମ ଟିମର ଶୁଭାରମ୍ଭ ଉପରେ ପ୍ରଭାବ ପକାଉଛି। ଗତ ୧୫ଟି ଦିନିକିଆ ମ୍ୟାଚରେ ଧୱନ୍ ମାତ୍ର ଦୁଇଟି ଅର୍ଦ୍ଧଶତକ ମାରିଛନ୍ତି। ଚଳିତ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ଟିମ୍ ମ୍ୟାନେଜମେଣ୍ଟ ଧୱନଙ୍କ ଉପରେ ଆସ୍ଥା ରଖିଛି। ଏଭଳି ସ୍ଥିତିରେ ବାହାରେ ବସିଥିବା ଲୋକେଶ ରାହୁଲଙ୍କୁ ଅପେକ୍ଷା କରିବାକୁ ପଡ଼ିପାରେ। କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ତୃତୀୟ ସ୍ଥାନରେ ଖେଳାଇପାରେ। ଭାରତ ସିରିଜର ପ୍ରଥମ ଦୁଇଟି ଦିନିକିଆରେ ଯଥାକ୍ରମେ ୬ ୱିକେଟ୍ ଏବଂ ୮ ରନରେ ବିଜୟ ହାସଲ କରିଛି। ଏହି ଦୁଇଟି ବିଜୟ ଭାରତ ପାଇଁ ସହଜ ନଥିଲା, କିନ୍ତୁ ଚାପ ସତ୍ତ୍ୱେ ରୋମାଞ୍ଚକର ବିଜୟ ହାସଲ କରିବା ଦ୍ୱାରା ଟିମର ମନୋବଳ ବଢ଼ିଛି ନିଶ୍ଚୟ।
ଦୁଇଟିଯାକ ମ୍ୟାଚରେ ଭାରତର ବୋଲିଂ ଆକ୍ରମଣ ପ୍ରଶଂସନୀୟ ଥିଲା ଏବଂ ସେମାନେ ଭ୍ରମଣକାରୀ ଦଳକୁ ୨୫୦ ରନରୁ ଉର୍ଦ୍ଧ୍ଵ ସ୍କୋର କରିବାକୁ ଦେଇନଥିଲେ। କିନ୍ତୁ ବ୍ୟାଟିଂ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ଦ୍ୱିତୀୟ ମ୍ୟାଚରେ ଜାମଥାର ଧିମା ପିଚରେ ଅଧିନାୟକ ବିରାଟ କୋହଲି ଶତକ ମାରି ନିଜର କୌଶଳ ଓ ଦକ୍ଷତା ଦେଖାଇଛନ୍ତି ସତ କିନ୍ତୁ ଅନ୍ୟ ବ୍ୟାଟ୍ସମ୍ୟାନ୍ ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ। ରୋହିତ ପ୍ରଥମ ମ୍ୟାଚରେ ଲୟରେ ଥିଲେ, କିନ୍ତୁ ବଡ଼ ଇନିଂସ୍ ଖେଳିବାରେ ବିଫଳ ହୋଇଥିଲେ। ହାଇଦ୍ରାବାଦ ଦିନିକିଆ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା କେଦାର ଯାଦବ ଓ ଧୋନି ଦ୍ୱିତୀୟ ମୁକାବିଲାରେ ଫ୍ଲପ୍ ମାରିଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଗତ ସିରିଜରେ ୯୦ ରନର ଏକମାତ୍ର ଭଲ ଇନିଂସ୍ ଖେଳିଥିବା ଅମ୍ବାତି ରାୟୁଡୁଙ୍କ ପ୍ରଦର୍ଶନରେ ନିରନ୍ତରତାର ଅଭାବ ଦେଖିବାକୁ ମିଳିଛି। ତାଙ୍କ ସ୍ଥାନରେ ହୁଏତ ରାହୁଲଙ୍କୁ ସୁଯୋଗ ମିଳିପାରେ ।
ଭାରତର ବୋଲିଂକୁ ନେଇ କୌଣସି ସମସ୍ୟା ନଜର ଆସୁନି। ଟିମର ବୋଲରମାନେ ଏକ ୟୁନିଟ୍ ଭଳି ପ୍ରଦର୍ଶନ କରୁଛନ୍ତି। ଦ୍ୱିତୀୟ ମ୍ୟାଚରେ କେଦାର ଯାଦବ ଓ ବିଜୟ ଶଙ୍କରଙ୍କ ବୋଲିଂ ଭାରତ ପାଇଁ ସବୁଠାରୁ ସକାରାତ୍ମକ ଥିଲା। ଦୁହେଁ ପଞ୍ଚମ ବୋଲରର ଭୂମିକାକୁ ସୁଚାରୁରୂପେ ତୁଲାଇଥିଲେ। ଶଙ୍କର ଅନ୍ତିମ ଓଭରରେ ୨ ୱିକେଟ୍ ନେଇ ଭାରତକୁ ବିଜୟୀ କରାଇଥିଲେ। ତାଙ୍କର ଏହି ପ୍ରଦର୍ଶନ ଦ୍ୱାରା ତାଙ୍କ ଉପରେ ଅଧିନାୟକ କୋହଲିଙ୍କ ଭରସା ନିଶ୍ଚିତ ବଢ଼ିଥିବ।
ଜସପ୍ରୀତ ବୁମ୍ରା ଓ ମହମ୍ମଦ ସାମି ଦୁଇଟି ଯାକ ମୁକାବିଲାରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ସାମି ପ୍ରଥମ ମ୍ୟାଚର ପ୍ରଥମ ସ୍ପେଲରେ ଦମଦାର ବୋଲିଂ କରିଥିବା ବେଳେ ବୁମ୍ରା ଦ୍ୱିତୀୟ ମ୍ୟାଚରେ ପୁଣିଥରେ ଡେଥ୍ ଓଭରରେ ନିଜର କମାଲ ଦେଖାଇଥିଲେ। ବିଶ୍ୱକପ୍ ପାଇଁ ଆଉ ଜଣେ ବୋଲର ଆଗକୁ ବଢ଼ୁଥିବାର ଦେଖିବାକୁ ମିଳିଛି, ସେ ହେଉଛନ୍ତି ରବୀନ୍ଦ୍ର ଜାଡେଜା। ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବଙ୍କ ସହ ଜାଡେଜା ମଝି ଓଭରଗୁଡ଼ିକରେ ଭଲ ବୋଲିଂ କରିଛନ୍ତି। ଏହାଛଡ଼ା ଜାଡେଜାଙ୍କ ଫିଲ୍ଡିଂ ଭାରତ ପାଇଁ ଏକ ପ୍ଲସ୍ ପଏଣ୍ଟ । ନାଗପୁରରେ ଜାଡେଜା ପଏଣ୍ଟ ଅଞ୍ଚଳରୁ ଚମତ୍କାର ଥ୍ରୋ’ କରି କଙ୍ଗାରୁ ଟିମର ସେଟ୍ ବ୍ୟାଟ୍ସମ୍ୟାନ୍ ପିଟର୍ ହ୍ୟାଣ୍ଡସ୍କମ୍ବଙ୍କୁ ରନ୍ ଆଉଟ୍ କରିଥିଲେ। ବ୍ୟାକ୍ଅପ୍ ପେସର୍ ଭାବେ ସିଦ୍ଧାର୍ଥ କୌଲଙ୍କୁ ଆଦୌ ସୁଯୋଗ ମିଳିନାହିଁ। ତାଙ୍କ ସ୍ଥାନରେ ପରବର୍ତ୍ତୀ ତିନୋଟି ମ୍ୟାଚ୍ ପାଇଁ ଭୁବନେଶ୍ୱର କୁମାର ଦଳକୁ ଫେରିଛନ୍ତି ।
ଅପରପକ୍ଷରେ ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। ସିରିଜ୍ ବଞ୍ଚାଇବାକୁ ହେଲେ ଭ୍ରମଣକାରୀ ଦଳକୁ ଏହି ମ୍ୟାଚ୍ କୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ। କିନ୍ତୁ ଦଳ ପାଇଁ ବିଜୟ ସେତେଟା ସହଜ ହେବନି। ଦୁଇଟି ଯାକ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ସମ୍ଭାବନା ସୃଷ୍ଟି କରିବା ପରେ ହାତଛଡ଼ା କରିଛି। ତେଣୁ ଭାରତ ଭଳି ମଜଭୁତ୍ ଦଳକୁ ହରାଇବାକୁ ହେଲେ ଅଷ୍ଟ୍ରେଲିଆକୁ ବିଶେଷକରି ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡିବ।