ନ୍ୟୁୟର୍କ: ପାଞ୍ଚଥରର ଚାମ୍ପିୟନ୍ ରୋଜର ଫେଡେରର ଚଳିତ ୟୁଏସ୍ ଓପନରୁ ବିଦାୟ ନେଇଛନ୍ତି। ବୁଧବାର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ବିଶ୍ୱର ତିନି ନମ୍ବର ଖେଳାଳି ଫେଡେରରଙ୍କୁ ବୁଲଗେରିଆର ଗ୍ରିଗୋର ଦିମିତ୍ରୋଭ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ପାଞ୍ଚ ସେଟ୍ ପର୍ଯ୍ୟନ୍ତ ଚାଲିଥିବା ରୋମାଞ୍ଚକର ମୁକାବିଲାରେ ଦିମିତ୍ରୋଭ ସ୍ୱିଜରଲ୍ୟାଣ୍ଡର ଷ୍ଟାର୍ ଖେଳାଳିଙ୍କୁ ୩-୬, ୬-୪, ୩-୬, ୬-୪, ୬-୨ ସେଟରେ ପରାସ୍ତ କରିଛନ୍ତି। ଦିମିତ୍ରୋଭ ଏବେ ସେମିଫାଇନାଲରେ ବିଶ୍ୱର ୫ ନମ୍ବର ଖେଳାଳି ରୁଷର ଡାନିଲ୍ ମେଡଭେଡେଭଙ୍କୁ ଭେଟିବେ।
ଫେଡେରର ଓ ଦିମିତ୍ରୋଭଙ୍କ ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟରଫାଇନାଲ୍ ମୁକାବିଲା ସଂଘର୍ଷପୂର୍ଣ୍ଣ ହୋଇଥିଲା। ଫେଡେରର ପ୍ରଥମ ସେଟକୁ ୬-୩ରେ ଜିତି ଦମଦାର ଆରମ୍ଭ କରିଥିଲେ। ତେବେ ଏହା ପରେ ଦିମିତ୍ରୋଭ ୨୦ଥରର ଗ୍ରାଣ୍ଡସ୍ଲାମ୍ ବିଜେତାଙ୍କୁ କଡ଼ା ଟକ୍କର ଦେଇଥିଲେ। ଦ୍ୱିତୀୟ ସେଟକୁ ଜିତି ଦିମିତ୍ରୋଭ ମ୍ୟାଚକୁ ବରାବର ସ୍ଥିତିକୁ ଆଣିଥିଲ।
ତୃତୀୟ ସେଟରେ ଫେଡେରର ପୁଣିଥରେ କମବ୍ୟାକ୍ କରି ମ୍ୟାଚରେ ୨-୧ରେ ଆଗୁଆ ହୋଇଥିଲା। ତେବେ ଦିମିତ୍ରୋଭ ଦମଦାର ଖେଳ ଦେଖାଇ ଶେଷ ଦୁଇଟି ସେଟକୁ ସହଜରେ ଜିତି ମ୍ୟାଚକୁ କବଜା କରିଥିଲେ। ୨୮ ବର୍ଷୀୟ ଦିମିତ୍ରୋଭ ମ୍ୟାଚକୁ ଜିତିବା ପାଇଁ ୩ ଘଣ୍ଟା ୧୨ ମିନିଟ୍ ସମୟ ନେଇଥିଲେ। ଏଥିସହ ଦିମିତ୍ରୋଭ ପ୍ରଥମଥର ପାଇଁ ଫେଡେରରଙ୍କୁ ହରାଇ ପରାଜୟଧାରା ଭାଙ୍ଗିଥିଲେ। ଏହା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଖେଳାଯାଇଥିବା ୭ଟି ଯାକ ମୁକାବିଲା ଫେଡେରରଙ୍କ ନାଁରେ ରହିଥିଲା।
ଏହି ମ୍ୟାଚରେ ଫେଡେରରଙ୍କ ପାଇଁ ଆହତ ମୁଖ୍ୟ ସମସ୍ୟା ହୋଇ ଛିଡ଼ା ହୋଇଥିଲା। ପଞ୍ଚମ ସେଟ୍ ପୂର୍ବରୁ ପିଠିରେ ଯନ୍ତ୍ରଣା କାରଣରୁ ଫେଡେରର ମେଡିକାଲ୍ ଟାଇମ୍ ଆଉଟ୍ ନେଇ କୋର୍ଟରୁ ବାହାରକୁ ଯାଇଥିଲେ। ମ୍ୟାଚ୍ ପରେ ଫେଡେରର କହିଥିଲେ, ପୂରା ମ୍ୟାଚରେ ମୋତେ ଯନ୍ତ୍ରଣା ଅନୁଭୂତ ହେଉଥିଲା, କିନ୍ତୁ ଏହା ସତ୍ତ୍ୱେ ମୁଁ ଖେଳ ଜାରି ରଖିଥିଲି । ଆଜିର ଦିନ ଗ୍ରିଗୋରଙ୍କର ଥିଲା। ମୁଁ ମୋ ତରଫରୁ ଯଥାସମ୍ଭବ ପ୍ରୟାସ କରିଥିଲି। ଯନ୍ତ୍ରଣା ସେତେବି ନଥିଲା ଯେ ମୁଁ କୋର୍ଟ ଛାଡ଼ି ପଳାଇଥାନ୍ତି। ଗ୍ରିଗୋର ମୋ'ଠାରୁ ଢ଼େର୍ ଉନ୍ନତ ଖେଳିଥିଲେ। ତେବେ ଭଲ ଆରମ୍ଭକୁ ବିଜୟରେ ପରିଣତ କରିପାରିନଥିବାରୁ ମୁଁ ବହୁତ ଦୁଃଖିତ।
ସୂଚନାଯୋଗ୍ୟ, ବିଶ୍ୱର ୭୮ତମ ମାନ୍ୟତାପ୍ରାପ୍ତ ଖେଳାଳି ଦିମିତ୍ରୋଭ ଗତ ୧୧ ବର୍ଷରେ ସବୁଠାରୁ କମ୍ ରାଙ୍କିଙ୍ଗ୍ ବିଶିଷ୍ଟ ଖେଳାଳି ଭାବେ କୌଣସି ଗ୍ରାଣ୍ଡସ୍ଲାମ୍ ସେମିଫାଇନାଲରେ ପ୍ରବେଶ କରିବାର ରେକର୍ଡ କରିଛନ୍ତି। ବିଶ୍ୱର ଏକ ନମ୍ବର ଖେଳାଳି ନୋଭାକ୍ ଜୋକୋଭିଚ୍ ମଧ୍ୟ ଚଳିତ ଓପନରୁ ଆହତ ଯୋଗୁ ଓହରିଯାଇଛନ୍ତି। ସେମିଫାଇନାଲରେ ଦିମିତ୍ରୋଭଙ୍କ ସାମ୍ନା ମେଡଭେଡେଭଙ୍କ ସହ ହେବ, ଯିଏ କ୍ୱାର୍ଟରଫାଇନାଲରେ ସ୍ୱିଜରଲ୍ୟାଣ୍ଡର ଷ୍ଟାନିସ୍ଲାସ୍ ୱାରିଙ୍କାଙ୍କୁ ୭-୬ (୮/୬), ୬-୩, ୩-୬, ୬-୧ ସେଟରେ ହରାଇଛନ୍ତି। ମେଡଭେଡେଭ୍ ୨୦୧୦ ପରେ ୟୁଏସ୍ ଓପନର ଅନ୍ତିମ-୪ରେ ସ୍ଥାନ ହାସଲ କରିବାରେ ସବୁଠାରୁ ଖେଳାଳି ହୋଇଛନ୍ତି।