ଶାମିଙ୍କୁ ପ୍ରଶଂସା କଲେ ରାୱଲପିଣ୍ଡି ଏକ୍ସପ୍ରେସ୍‌

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର୍ ଭାରତୀୟ ପେସ୍ ବୋଲର ମହମ୍ମଦ ଶାମିଙ୍କ ରିଭର୍ସ ସୁଇଂକୁ ଖୁବ୍ ପ୍ରଶଂସା କରିଛନ୍ତି। ଏହାସହ କୌଣସି ପାକିସ୍ତାନୀ ପେସ୍ ବୋଲରଙ୍କ ତାଙ୍କୁଠାରୁ ପରାମର୍ଶ ନେଉନଥିବାରୁ ଅଖତର ଦୁଃଖ ପ୍ରକାଶ କରିଛନ୍ତି। ହେଲେ ଶାମି ତାଙ୍କଠାରୁ ବୋଲିଂ ପରାମର୍ଶ ନେଇଥିବା କହି ଅଖତର ଖୁସି ହୋଇଛନ୍ତି। ରାୱଲପିଣ୍ଡି ଏକ୍ସପ୍ରେସ୍ ଭାବେ ପରିଚିତ ଅଖତର ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଦୃଢ଼ତାର ସହ କହିଛନ୍ତି, “ଶାମି ମୋ ପରାମର୍ଶ ମାନିଥିଲେ ଏବଂ […]

akhter

Ranjit Kumar Jena
  • Published: Tuesday, 08 October 2019
  • , Updated: 08 October 2019, 04:43 PM IST

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର୍ ଭାରତୀୟ ପେସ୍ ବୋଲର ମହମ୍ମଦ ଶାମିଙ୍କ ରିଭର୍ସ ସୁଇଂକୁ ଖୁବ୍ ପ୍ରଶଂସା କରିଛନ୍ତି। ଏହାସହ କୌଣସି ପାକିସ୍ତାନୀ ପେସ୍ ବୋଲରଙ୍କ ତାଙ୍କୁଠାରୁ ପରାମର୍ଶ ନେଉନଥିବାରୁ ଅଖତର ଦୁଃଖ ପ୍ରକାଶ କରିଛନ୍ତି। ହେଲେ ଶାମି ତାଙ୍କଠାରୁ ବୋଲିଂ ପରାମର୍ଶ ନେଇଥିବା କହି ଅଖତର ଖୁସି ହୋଇଛନ୍ତି।

ରାୱଲପିଣ୍ଡି ଏକ୍ସପ୍ରେସ୍ ଭାବେ ପରିଚିତ ଅଖତର ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଦୃଢ଼ତାର ସହ କହିଛନ୍ତି, "ଶାମି ମୋ ପରାମର୍ଶ ମାନିଥିଲେ ଏବଂ ସଫଳ ମଧ୍ୟ ହୋଇଛନ୍ତି। ମୁଁ ଶାମିଙ୍କୁ ରିଭର୍ସ ସୁଇଂ କରିବାକୁ କହିଥିଲି। ବିଶ୍ୱକପ୍ ପରେ ଶାମି ମୋତେ ଫୋନ୍ କରିଥିଲେ। ସେମିଫାଇନାଲରେ ଭାରତର ହାରିବା ନେଇ ସେ ନିରାଶ ହୋଇଥିଲେ। ଏହାଛଡ଼ା ସେମିଫାଇନାଲରେ ନଖେଳିବା ନେଇ ମଧ୍ୟ ସେ ନିରାଶ ପ୍ରକାଶ କରିଥିଲେ।


ମୁଁ ତାଙ୍କୁ ବୁଝାଇ କହିଥିଲି, ଆପଣ ବର୍ତ୍ତମାନ ଶ୍ରେଷ୍ଠ ଫର୍ମରେ ଅଛନ୍ତି ଏବଂ ଫିଟନେସ୍ ଦୃଷ୍ଟିରୁ ଭଲ ସ୍ଥିତିରେ ଅଛ। ବର୍ତ୍ତମାନ ସ୍ଥିତିରେ ଆପଣଙ୍କୁ କେବଳ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସହ ରହିବା ଆବଶ୍ୟକତା ରହିଛି। ଶାମିଙ୍କୁ ମୁଁ ଆହୁରି କହିଥିଲି ଯେ, ଆଗକୁ ଘରୋଇ ସିରିଜ୍ ଆସୁଛି ଏବଂ ଏଥିପାଇଁ ନିଜର ଫିଟନେସକୁ କାଏମ ରଖିବା ଦରକାର। ମୁଁ ଚାହୁଁଛି ଯେ, ତୁମେ ଜଣେ ବିପଜ୍ଜନକ ବୋଲର ଭାବେ ଖ୍ୟାତି ଅର୍ଜନ କର, ଯିଏ ସବୁବେଳେ ବ୍ୟାଟ୍ସମ୍ୟାନଙ୍କ ପାଇଁ ଘାତକ ହୋଇ ରହିବ। ଶାମି ମୋ ପରାମର୍ଶ ମାନି ଆଜି ସଫଳ ହେଉଛନ୍ତି।"

ଅଖତର ମଧ୍ୟ ଶାମିଙ୍କ ସିମ୍ ଓ ସୁଇଂ ବୋଲିଂକୁ ପ୍ରଶଂସା କରିଛନ୍ତି। "ଶାମିଙ୍କ ପାଖରେ ଯେଉଁ ରିଭର୍ସ ସୁଇଂ ଅଛି, ବୋଧହୁଏ ଉପମହାଦ୍ୱୀପରେ ଏଭଳି କଳା କାହା ପାଖରେ ନଥିବ। ମୁଁ ତାଙ୍କୁ ରିଭର୍ସ ସୁଇଂର 'ବାଦଶାହ' ହେବାକୁ କହିଥିଲି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଶାମି ଯେଉଁଭଳି ବୋଲିଂ କଲେ, ତାହା ବେଶ୍ ପ୍ରଶଂସନୀୟ ଥିଲା।" ଅଖତର ଆହୁରି କହିଛନ୍ତି, "ମୁଁ ପାକିସ୍ତାନ ବୋଲରଙ୍କୁ ପରାମର୍ଶ ଦେବାକୁ ପ୍ରସ୍ତୁତ ଅଛି, କିନ୍ତୁ କୌଣସି ବୋଲର ମୋ'ଠାରୁ ପରାମର୍ଶ ନେବାକୁ ଆସୁ ନାହାନ୍ତି। ଏହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଅଖତର କହିଛନ୍ତି।"

Related story