ବେଙ୍ଗାଲୁରୁ: ମୁମ୍ବାଇର ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ୍ ବୁଧବାର ବିଜୟ ହଜାରେ ଟ୍ରଫି (୫୦ ଓଭର ଫର୍ମାଟ)ରେ ଦ୍ୱିଶତକ ମାରିଛନ୍ତି। ଏଥିସହ ସେ ଏକାଧିକ କୀର୍ତ୍ତିମାନ ନିଜ ନାଁରେ କରିଛନ୍ତି। ଯଶସ୍ୱୀ ବେଙ୍ଗାଲୁରୁରେ ଝାରଖଣ୍ଡ ବିପକ୍ଷ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ଗ୍ରୁପ୍-ଏ' ମ୍ୟାଚରେ ୨୦୩ (୧୫୪ ବଲ୍) ରନର ଇନିଂସ୍ ଖେଳିଛନ୍ତି।
ଏହି ଦ୍ୱିଶତକ ସହ ଯଶସ୍ୱୀ ଲିଷ୍ଟ-ଏ ମୁକାବିଲାରେ ଦ୍ୱିଶତକ ମାରିବାରେ ସବୁଠାରୁ କନିଷ୍ଠ କ୍ରିକେଟର୍ ହୋଇଛନ୍ତି। ସେ ମାତ୍ର ୧୭ ବର୍ଷ ୨୯୨ ଦିନରେ ଦ୍ୱିଶତକ ମାରିବାର ରେକର୍ଡ କରିଛନ୍ତି। ଏକବିଂଶ ଶତାବ୍ଦୀରେ (୨୮ ଡିସେମ୍ବର, ୨୦୦୧)ରେ ଜନ୍ମ ହୋଇଥିବା ଯଶସ୍ୱୀ ଲିଷ୍ଟ-ଏ କ୍ରିକେଟରେ ଦ୍ୱିଶତକ ମାରିବାରେ ପ୍ରଥମ କ୍ରିକେଟରେ ହୋଇଛନ୍ତି। ଅର୍ଥାତ୍ ଗତ ୧୮ ବର୍ଷ ମଧ୍ୟରେ ଜନ୍ମ ହୋଇଥିବା କୌଣସି କ୍ରିକେଟରଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ଏହି କାରନାମା କୌଣସି କ୍ରିକେଟର୍ କରିନାହାନ୍ତି। ଯଶସ୍ୱୀ ୧୫୪ ବଲର ଇନିଂସରେ ୧୭ ଚୌକା ଓ ୧୨ ଛକା (ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଛକା) ମାରିଛନ୍ତି। ସେ କେବଳ ବାଉଣ୍ଡ୍ରୀ ଜରିଆରେ ୧୪୦ ରନ୍ କରିଛନ୍ତି।
ଯଶସ୍ୱୀ ଏପର୍ଯ୍ୟନ୍ତ ୫ଟି ଲିଷ୍ଟ-ଏ ଇନିଂସରେ ୫୦୪ (୪୪, ୧୧୩, ୨୨, ୧୨୨, ୨୦୩) ରନ୍ କରିଛନ୍ତି। ପ୍ରାରମ୍ଭିକ ୫ ଲିଷ୍ଟ-ଏ ଇନିଂସରେ ସର୍ବାଧିକ ରନ୍ ମାମଲାରେ ଏହା ବିଶ୍ୱ ରେକର୍ଡ। ଏହା ପୂର୍ବରୁ ଏହି ରେକର୍ଡ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ପୋଲକଙ୍କ ନାଁରେ ଥିଲା, ଯିଏ ନିଜର ପ୍ରଥମ ୫ ଇନିଂସରେ ୪୯୩ ରନ୍ କରିଥିଲେ।
ବିଜୟ ହଜାରେ ଟ୍ରଫିରେ ଦ୍ୱିଶତକ ମାରିବାରେ ଯଶସ୍ୱୀ ତୃତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହା ପୂର୍ବରୁ ୱିକେଟକିପର- ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ କେରଳ ପକ୍ଷରୁ ଖେଳି ଗୋଆ ବିପକ୍ଷ ମ୍ୟାଚରେ ଅପରାଜିତ ୨୧୨ ରନ୍ କରି ଇତିହାସ ରଚିଥିଲେ। ସେ ବିଜୟ ହଜାରେ ଟ୍ରଫିରେ କୌଣସି ଏକ ମ୍ୟାଚରେ ସର୍ବାଧିକ ରନ୍ କରି ରେକର୍ଡ ନିଜ ନାଁରେ କରିଛନ୍ତି। ବିଜୟ ହଜାରେ ଟ୍ରଫିରେ ପ୍ରଥମ ଦ୍ୱିଶତକର ରେକର୍ଡ ଓପ୍ନର କର୍ଣ୍ଣବୀର କୌଶଲ୍ ମାରିଥିଲେ। ସେ ୨୦୦୮ରେ ସିକିମ ବିରୋଧରେ ୨୦୨ ରନର ଇନିଂସ୍ ଖେଳିଥିଲେ।
ଯଶସ୍ୱୀଙ୍କ ଏହି ଇନିଂସ୍ ସହ ଲିଷ୍ଟ-ଏ କ୍ରିକେଟରେ ଦ୍ୱିଶତକ ମାରିବାରେ ନବମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଲିଷ୍ଟ-ଏରେ ମରାଯାଇଥିବା ଦ୍ୱିଶତକ ମଧ୍ୟରୁ ୫ଟି ଅନ୍ତର୍ଜାତୀୟ କ୍ରିକେଟରେ ମରାଯାଇଛି। ଦିନିକିଆ ଅନ୍ତର୍ଜାତୀୟରେ ରୋହିତ୍ ଶର୍ମାଙ୍କ ନାଁରେ ତିନୋଟି ଏବଂ ବୀରେନ୍ଦ୍ର ସେହ୍ୱାଗ ଓ ସଚିନ ତେନ୍ଦୁଲକରଙ୍କ ନାଁରେ ଗୋଟିଏ ଲେଖାଏ ଦ୍ୱିଶତକ ରହିଛି।
ମୁମ୍ବାଇର ଏହି ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ପୂର୍ବରୁ ମଧ୍ୟ ଚର୍ଚ୍ଚାକୁ ଆସିସାରିଛନ୍ତି। ୨୦୧୩ରେ ମାତ୍ର ୧୨ ବର୍ଷ ବୟସରେ ସେ ଜାଇଲ୍ସ ଶିଲ୍ଡ ସ୍କୁଲ ମ୍ୟାଚରେ ଅଞ୍ଜୁମ ଇସଲାମ୍ ହାଇସ୍କୁଲ୍ (ଫୋର୍ଟ) ପକ୍ଷରୁ ଖେଳି ଅପରାଜିତ ୩୧୯ ରନ୍ କରିଥିଲେ। ସେହିପରି ରାଜା ଶିବାଜୀ ବିଦ୍ୟାମନ୍ଦିର (ଦାଦର) ବିପକ୍ଷରେ ସେହି ମ୍ୟାଚରେ ୯୯ ରନ୍ ଦେଇ ୧୩ ୱିକେଟ୍ ମଧ୍ୟ ନେଇଥିଲେ।
ଯଶସ୍ୱୀଙ୍କ ଏହି ଦ୍ୱିଶତକ ବଳରେ ମୁମ୍ବାଇ ୩୯ ରନରେ ଝାରଖଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ମୁମ୍ବାଇ ୪ ପଏଣ୍ଟ ହାସଲ କରିଛି। ଉକ୍ତ ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩ ୱିକେଟ୍ ହରାଇ ୩୫୮ ରନ୍ କରିଥିଲା। ଟିମ୍ ପକ୍ଷରୁ ଆଦିତ୍ୟ ତାରେ ୭୮, ସିଦ୍ଦେଶ ଲାଡ୍ ୩୨ ଓ କ୍ୟାପଟେନ୍ ଶ୍ରେୟସ୍ ଆୟର୍ ଅପରାଜିତ ୩୧ (୧୪ ବଲ୍, ୧ ଚୌକା, ୩ ଛକା) ରନ୍ କରିଥିଲେ।
ଜବାବରେ ଝାରଖଣ୍ଡ ୪୬.୪ ଓଭରରେ ୩୧୯ ରନ୍ କରି ଅଲଆଉଟ୍ ହୋଇଥିଲା। ଝାରଖଣ୍ଡ ପକ୍ଷରୁ ବିରାଟ୍ ବିନୋଦ ସିଂହ ସର୍ବାଧିକ ୧୦୦ (୭୭ ବଲ୍, ୧୨ ଚୌକା, ୨ ଛକା) ରନ୍ କରିଥିବା ବେଳେ ସୌରଭ ତିୱାରୀ ୭୭ (୭୮ ବଲ୍, ୫ ଚୌକା, ୪ ଛକା), ଅନୁକୂଲ ରୟ ୪୬ (୪୦ ବଲ୍, ୫ ଚୌକା, ୨ ଛକା), ଇଶାନ୍ କିଷାନ ୩୪ ଓ କୁମାର ଓମ୍ ପ୍ରକାଶ ୨୭ ରନ୍ କରିଥିଲେ।