ବିଜୟ ହଜାରେ ଟ୍ରଫି: ହିମାଚଳ ପ୍ରଦେଶକୁ ହରାଇଲା ଓଡ଼ିଶା

ଭଦୋଦରା: ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ବିଜୟ ଅଭିଯାନ ଆରମ୍ଭ ହୋଇଛି। ଓଡ଼ିଶାର ପ୍ରଥମ ଦୁଇଟି ମ୍ୟାଚ୍ ବର୍ଷା ଧୋଇ ଦେଇଥିଲା। ହେଲେ ବୁଧବାର ଓଡ଼ିଶା ତା’ର ତୃତୀୟ ମ୍ୟାଚରେ ହିମାଚଳ ପ୍ରଦେଶକୁ ୩ ରନରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ମ୍ୟାଚରେ ହିରୋ ସାଜିଛନ୍ତି ଗୋବିନ୍ଦ ପୋଦ୍ଦାର, ଯିଏ ନିଜର ଘାତକ ସ୍ପିନ୍ ବୋଲିଂ ଦ୍ୱାରା ପ୍ରତିପକ୍ଷ ଦଳର ଚାରିଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ବର୍ଷା ଯୋଗୁ ମ୍ୟାଚ୍ ମାତ୍ର ୨୧ […]

poddar

poddar

Ranjit Kumar Jena
  • Published: Wednesday, 02 October 2019
  • Updated: 02 October 2019, 06:10 PM IST

ଭଦୋଦରା: ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ବିଜୟ ଅଭିଯାନ ଆରମ୍ଭ ହୋଇଛି। ଓଡ଼ିଶାର ପ୍ରଥମ ଦୁଇଟି ମ୍ୟାଚ୍ ବର୍ଷା ଧୋଇ ଦେଇଥିଲା। ହେଲେ ବୁଧବାର ଓଡ଼ିଶା ତା'ର ତୃତୀୟ ମ୍ୟାଚରେ ହିମାଚଳ ପ୍ରଦେଶକୁ ୩ ରନରେ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ମ୍ୟାଚରେ ହିରୋ ସାଜିଛନ୍ତି ଗୋବିନ୍ଦ ପୋଦ୍ଦାର, ଯିଏ ନିଜର ଘାତକ ସ୍ପିନ୍ ବୋଲିଂ ଦ୍ୱାରା ପ୍ରତିପକ୍ଷ ଦଳର ଚାରିଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ।

ବର୍ଷା ଯୋଗୁ ମ୍ୟାଚ୍ ମାତ୍ର ୨୧ ଓଭର ବିଶିଷ୍ଟ କରାଯାଇଥିଲା, ଯେଉଁଥିରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୧୪୫ ରନ୍ କରିଥିଲା। ଜବାବରେ ହିମାଚଳ ୯ ୱିକେଟ୍ ବିନିମୟରେ ୧୪୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହା ପୂର୍ବରୁ ଓଡ଼ିଶା ତା'ର ପ୍ରଥମ ଦୁଇଟି ମ୍ୟାଚ୍ ଯଥାକ୍ରମେ ପଞ୍ଜାବ ଓ ବରୋଦା ବିପକ୍ଷରେ ଖେଳିବାର ଥିଲା, କିନ୍ତୁ ବର୍ଷା ଯୋଗୁ ମ୍ୟାଚଦ୍ୱୟ ବାତିଲ ହୋଇଥିଲା। ଫଳରେ ଓଡ଼ିଶା ପଏଣ୍ଟ ଭାଗ କରିଥିଲା। ଆଜି ମ୍ୟାଚ୍ ଜିତି ଓଡ଼ିଶା ପୂର୍ଣ୍ଣ ୪ ପଏଣ୍ଟ ହାସଲ କରିଛି। ଏବେ ଓଡ଼ିଶା ଏଲିଟ୍ ଗ୍ରୁପ୍-ବି'ରେ ମୋଟ ୮ ପଏଣ୍ଟ ପାଇଁ ଚତୁର୍ଥ ସ୍ଥାନରେ ରହିଛି।

ମ୍ୟାଚରେ ହିମାଚଳ ପ୍ରଦେଶ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଓଡ଼ିଶା ତା'ର ଦୁଇ ଓପ୍ନର ସନ୍ଦୀପ ପଟ୍ଟନାୟକ (୬) ଓ ଗୋବିନ୍ଦଭ (୬)ଙ୍କୁ ସଅଳ ହରାଇଥିଲା । ତେବେ ମଧ୍ୟକ୍ରମରେ କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ଯାଦବ ଭଲ ବ୍ୟାଟିଂ କରିଥିଲେ ହେଁ, ବଡ଼ ସ୍କୋର କରିପାରିନଥିଲେ।

ଶୁଭ୍ରାଂଶୁ ୩୪ ବଲରେ ୬ ଚୌକା ଓ ୧ ଛକା ସହ ୩୯ ରନ୍ ଏବଂ ଅଭିଷେକ ୩୪ (୨ ଚୌକା, ୨ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଓଡ଼ିଶା ଅଭିଷେକ ରାଉତ (୦) ଓ ସୁଜିତ୍ ଲେଙ୍କା (୧)ଙ୍କ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ହେଲେ ପ୍ରୟାଶ ସିଂହ ଓ ଦୀପକ ବେହେରା ଦ୍ରୁତ ରନ୍ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ପ୍ରୟାସ ୨୦ ବଲରେ ୨ ଚୌକା ଓ ୨ ଛକା ସହ ଅପରାଜିତ ୩୧ ଓ ଦୀପକ ୧୨ ବଲରେ ୧୭ ରନ୍ କରିଥିଲେ। ହିମାଚଳ ପ୍ରଦେଶ ପକ୍ଷରୁ ଅଙ୍କିତ ମାଇନି ୩ଟି ଓ ପଙ୍କଜ ଜୈସୱାଲ୍ ୨ ୱିକେଟ୍ ନେଇଥିଲେ।

୧୪୬ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ହିମାଚଳ ପ୍ରଦେଶ ଭଲ ଆରମ୍ଭ କରିଥିଲା। ଟିମ୍ ଏକ ସମୟରେ ୯୩ ରନରେ ୩ ୱିକେଟ୍ ହରାଇ ଭଲ ସ୍ଥିତିରେ ଥିଲା। କିନ୍ତୁ ପରେ ଟିମର ବ୍ୟାଟ୍ସମ୍ୟାନମାନେ ଗୋବିନ୍ଦଙ୍କ ସ୍ପିନ୍ ଜାଲରେ ଫସି ଯାଇଥିଲେ। ଏହିପରି ଭାବେ ହିମାଚଳ ପ୍ରଦେଶ ୧୪୨ ରନ୍ କରିବାକୁ ସମର୍ଥ ହୋଇଥିଲା। ଟିମ୍ ପକ୍ଷରୁ ପ୍ରଶାନ୍ତ ଚୋପ୍ରା ସର୍ବାଧିକ ୪୮ ରନ୍ କରିଥିବା ବେଳେ ଅଙ୍କିତ କଲସି ୨୨, କ୍ୟାପଟେନ୍ ଅଙ୍କୁଶ ବୈନ୍ସ ୧୦, ଅମିତ୍ କୁମାର ୧୮, ପଙ୍କଜ ଜୈସୱାଲ୍ ୧୩ ଓ ରିଶି ଧୱନ୍ ୧୨ ରନ୍ କରିଥିଲେ। ଓଡ଼ିଶା ପକ୍ଷରୁ ଗୋବିନ୍ଦ ୨୭ ରନ୍ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ପପୁ ରୟ ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos