ବିରାଟଙ୍କ ଅଭିଯୋଗ- ମ୍ୟାଚ୍ ଜିତିଲୁ, କିନ୍ତୁ ‘ଶୋଷ’ ମେଣ୍ଟିଲାନି

ରାଜ୍‌କୋଟ୍‌: ପ୍ରଥମେ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍‌କୁ ଗୋଟିଏ ଇନିଂସ ଓ ୨୭୨ ରନ୍‌ରେ ପରାଜିତ କରିଛି ଭାରତ। ତେବେ ବିଶାଳ ବିଜୟ ସତ୍ତ୍ୱେ ମ୍ୟାଚ୍ ପରେ ଅସନ୍ତୋଷ ଜାହିର କରିଥିଲେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ତାଙ୍କର ଅଭିଯୋଗ ଥିଲା ଆଇସିସିର ନୂଆ ନିୟମକୁ ନେଇ। ଆଇସିସିର ନୂଆ ନିୟମ ଅନୁଯାୟୀ, ମ୍ୟାଚ୍ ବେଳେ ୱିକେଟ୍ ଗଲେ କିମ୍ବା ଗୋଟିଏ ଓଭର୍ ବୋଲିଂ ପରେ ଆଉ ଗୋଟିଏ ଓଭର୍ ବୋଲିଂ ପୂର୍ବରୁ ଖେଳାଳିମାନଙ୍କୁ ପାଣି ପିଇବା ପାଇଁ […]

virat

Jitendra Garnayak
  • Published: Sunday, 07 October 2018
  • , Updated: 07 October 2018, 09:44 AM IST

ରାଜ୍‌କୋଟ୍‌: ପ୍ରଥମେ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍‌କୁ ଗୋଟିଏ ଇନିଂସ ଓ ୨୭୨ ରନ୍‌ରେ ପରାଜିତ କରିଛି ଭାରତ। ତେବେ ବିଶାଳ ବିଜୟ ସତ୍ତ୍ୱେ ମ୍ୟାଚ୍ ପରେ ଅସନ୍ତୋଷ ଜାହିର କରିଥିଲେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ତାଙ୍କର ଅଭିଯୋଗ ଥିଲା ଆଇସିସିର ନୂଆ ନିୟମକୁ ନେଇ।

ଆଇସିସିର ନୂଆ ନିୟମ ଅନୁଯାୟୀ, ମ୍ୟାଚ୍ ବେଳେ ୱିକେଟ୍ ଗଲେ କିମ୍ବା ଗୋଟିଏ ଓଭର୍ ବୋଲିଂ ପରେ ଆଉ ଗୋଟିଏ ଓଭର୍ ବୋଲିଂ ପୂର୍ବରୁ ଖେଳାଳିମାନଙ୍କୁ ପାଣି ପିଇବା ପାଇଁ ବ୍ରେକ୍ ଦିଆଯିବ। ସେପ୍ଟେମ୍ବର ୩୦ ତାରିଖରୁ ଆଇସିସି ଏ ନିୟମ ଲାଗୁ କରିଛି।

ଏହି ନିୟମକୁ କୋହଲି ସହଜରେ ଗ୍ରହଣ କରିପାରି ନାହାନ୍ତି। ସେ କହିଛନ୍ତି ଯେ ମ୍ୟାଚ୍ ଅଧିକାରୀମାନେ ବାହ୍ୟ କାରଣ ଯେପରିକି ପ୍ରଚୁର ଗୁଳୁଗୁଳୁ ଓ ଖରାକୁ ଦୃଷ୍ଟିରେ ରଖି ଡ୍ରିଙ୍କ୍ ବ୍ରେକ୍ ଦେବା ଉଚିତ୍।

ଅବଶ୍ୟ ଆଇସିସିର ନୂଆ ନିୟମ ଅନୁଯାୟୀ, ଅମ୍ପାୟରଙ୍କ ସହମତିରେ ମ୍ୟାଚ୍ ବେଳେ ଯେକୌଣସି ସମୟରେ ପାଣି ପାଇଁ ବ୍ରେକ୍ ନିଆଯାଇପାରିବ।

ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟେଷ୍ଟ ତିନି ଦିନରେ ଶେଷ ହୋଇଗଲା। ତେବେ ଏହି ତିନି ଦିନ ଧରି ରାଜ୍‌କୋଟ୍‌ରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍ ପର୍ଯ୍ୟନ୍ତ ରହିଥିଲା। ଏଭଳି ସ୍ଥିତିରେ ଦୁଇଟି ଯାକ ଟିମ୍ ଅମ୍ପାୟରଙ୍କ ନିରୀକ୍ଷଣରେ ଡ୍ରିଙ୍କ୍ ବ୍ରେକ୍ ନେଇଥିଲେ।
କୋହଲି କହିଛନ୍ତି,“ନୂଆ ନିୟମ ଅନୁଯାୟୀ ଅମ୍ପାୟର ଆମକୁ ଅଧିକ ପାଣି ପିଇବାକୁ ଦେଇ ନଥିଲେ। ଆମେ କେଉଁ ପରିସ୍ଥିତିରେ ଖେଳୁଛି, ତାହା ବି ଦେଖିବା ଉଚିତ୍।”

ସେ କହିଛନ୍ତି,“ନିୟମରେ ପରିବର୍ତ୍ତନ ଯୋଗୁ ଖେଳାଳିମାନେ ଏହି ମ୍ୟାଚ୍‌ରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବ୍ୟାଟ୍ସମ୍ୟାନ୍ ଓ ଫିଲ୍ଡିଂ କରୁଥିବା ଖେଳାଳିମାନେ ୪୦-୪୫ ମିନିଟ୍ ପର୍ଯ୍ୟନ୍ତ ପାଣି ପିଇ ପାରୁ ନଥିଲେ। ଏହା ବଡ଼ କଷ୍ଟଦାୟକ ଥିଲା। ମୋର ବିଶ୍ୱାସ ଅଛି ଏହା ଉପରେ ଧ୍ୟାନ ଦିଆଯିବ।”

ଡ୍ରିଙ୍କ୍‌ ଉପରେ ଲାଗିଥିବା ନୂଆ କଟକଣା ଯୋଗୁ ଚେତେଶ୍ୱର ପୂଜାରା ବ୍ୟାଟିଂ ବେଳେ ପକେଟ୍‌ରେ ଏକ ଛୋଟ ପାଣି ବୋତଲ ରଖିଥିଲେ।

Related story