ଅଧିନାୟକ ଭାବେ ବିରାଟ କଲେ ଏହି ବିଶ୍ୱ ରେକର୍ଡ

ନାଗପୁର: ରେକର୍ଡ ପରେ ରେକର୍ଡ କରିଚାଲିଥିବା ରନ୍ ମେଶିନ୍ ବିରାଟ କୋହଲି ଆଉ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିରାଟ ୨୨ ରନ୍ କରିବା ପରେ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଅଧିନାୟକ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୯ହଜାର ରନ୍ ପୂରଣ କରିଛନ୍ତି। ଏଥିପାଇଁ ବିରାଟ ମାତ୍ର ୧୫୯ ଇନିଂସର ସହାୟତା ନେଇଛନ୍ତି । ଏହି ମାମଲାରେ ବିରାଟ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ (୨୦୩ ଇନିଂସ୍)ଙ୍କୁ […]

virat-kohli

Subrat Kumar Nayak
  • Published: Tuesday, 05 March 2019
  • , Updated: 05 March 2019, 07:33 PM IST

ନାଗପୁର: ରେକର୍ଡ ପରେ ରେକର୍ଡ କରିଚାଲିଥିବା ରନ୍ ମେଶିନ୍ ବିରାଟ କୋହଲି ଆଉ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିରାଟ ୨୨ ରନ୍ କରିବା ପରେ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ଅଧିନାୟକ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୯ହଜାର ରନ୍ ପୂରଣ କରିଛନ୍ତି। ଏଥିପାଇଁ ବିରାଟ ମାତ୍ର ୧୫୯ ଇନିଂସର ସହାୟତା ନେଇଛନ୍ତି । ଏହି ମାମଲାରେ ବିରାଟ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ (୨୦୩ ଇନିଂସ୍)ଙ୍କୁ ପଛରେ ପକାଇ ଦ୍ରୁତ ୯ହଜାର ରନ୍ ସଂଗ୍ରହକାରୀ ଅଧିନାୟକ ହୋଇଛନ୍ତି। କୋହଲି ବିଶ୍ୱର ଷଷ୍ଠ ଅଧିନାୟକ ଭାବେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି।

ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ (୨୨୦ ଇନିଂସ), ମହେନ୍ଦ୍ର ସିଂହ ଧୋନି (୨୫୩ ଇନିଂସ୍), ଅଷ୍ଟ୍ରେଲିଆର ଆଲାନ୍ ବର୍ଡର୍ (୨୫୭ ଇନିଂସ୍), ନ୍ୟୁଜିଲ୍ୟାଣ୍ଡର ଷ୍ଟିଫେନ୍ ଫ୍ଲେମିଙ୍ଗ୍ (୨୭୨ ଇନିଂସ୍) ୯ହଜାର ରନ୍ କ୍ଲବରେ ସାମିଲ ହୋଇସାରିଛନ୍ତି। ଅଧିନାୟକ ଭାବେ କୋହଲି ୪୬ ଟେଷ୍ଟରେ ୪୫୧୫ ରନ୍, ୬୪ ଦିନିକିଆରେ ୩୮୫୭ ରନ୍ ଏବଂ ୨୨ ଟି-୨୦ ମ୍ୟାଚରେ ୬୦୬ ରନ୍ କରିଛନ୍ତି। ଏହା ମଧ୍ୟରେ ତାଙ୍କ ବ୍ୟାଟରୁ ୩୫ଟି (୧୮ ଟେଷ୍ଟ ଓ ୧୭ ଦିନିକିଆ) ଶତକ ବାହାରିଛି। ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ନିଜର ୪୦ତମ ଦିନିକିଆ ଶତକରେ ଆଉ କିଛି ରେକର୍ଡର ଅଧିକାରୀ ହୋଇଛନ୍ତି। ଦିନିକିଆରେ ସର୍ବାଧିକ ଶତକ ମାମଲାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର (୪୯) ଶୀର୍ଷରେ ରହିଥିବା ବେଳେ କୋହଲି ପୂର୍ବଭଳି ଦ୍ୱିତୀୟରେ ଅଛନ୍ତି।

ଭିସିଏ ଷ୍ଟାଡିୟମରେ ସର୍ବାଧିକ ରନ୍ ଏବେ କୋହଲିଙ୍କ ନାମରେ ହୋଇଯାଇଛି। କୋହଲି ଏଠାରେ ୩୨୫ ରନ୍ କରି ଧୋନି (୨୬୮ ରନ୍)ଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲି ମଧ୍ୟ ଏହି ମ୍ୟାଚରେ ୧୦୦୦ ଚୌକା ମାରିବାର ରେକର୍ଡ କରିଛନ୍ତି। ସେ ବିଶ୍ୱର ଦ୍ୱାଦଶ ଏବଂ ଭାରତର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ଏହି ସଫଳତା ହାସଲ କରିଛନ୍ତି। ଏହା ପୂର୍ବରୁ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ ଓ ସୌରଭ ଗାଙ୍ଗୁଲି ଦିନିକିଆରେ ୧୦୦୦ ଚୌକା ମାରିବାର ରେକର୍ଡ କରିସାରିଛନ୍ତି।

Related story