ମାଉଣ୍ଟ ମାଉଙ୍ଗାନୁଇ: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଅନ୍ତିମ ଟି-୨୦ ମ୍ୟାଚରେ ସଞ୍ଜୁ ସାମସନ୍ ବ୍ୟାଟରେ ପୁଣିଥରେ ଫେଲ୍ ମାରିଛନ୍ତି। କିନ୍ତୁ ଏହି ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଫିଲ୍ଡିଂରେ କମାଲ୍ କରିଛନ୍ତି। ରବିବାର ମ୍ୟଚରେ ସାମସନ୍ ଏଭଳି ଏକ ଫିଲ୍ଡିଂ କଲେ, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ।
ସାମସନଙ୍କ ଏହି କାରନାମାର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। କ୍ରିକେଟ୍ ପ୍ରଶଂସକ ତାଙ୍କୁ ଏବେ ସୁପରମ୍ୟାନର ଆଖ୍ୟା ଦେଇଛନ୍ତି। ଏହି ଘଟଣା ଘଟିଥିଲା ନ୍ୟୁଜିଲ୍ୟାଣ୍ଡ୍ ଇନିଂସର ଅଷ୍ଟମ ଓଭରର ଅନ୍ତିମ ବଲରେ।
ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ରସ୍ ଟେଲର ଜୋରଦାର୍ ଶଟ୍ ମାରିଥିଲେ ଏବଂ ବଲ୍ ମିଡ୍ ୱିକେଟରେ ବାଉଣ୍ଡ୍ରୀ ଅତିକ୍ରମ କରିଯିବ ବୋଲି ଲାଗୁଥିଲା, କିନ୍ତୁ ସେହି ସମୟରେ ସାମସନ୍ ଦୌଡ଼ିକି ଡାଇଭ୍ ମାରି ବଲ୍ ଧରିଥିଲେ। ତେବେ ସେ ବାଉଣ୍ଡ୍ରୀ ବାହାରେ ପଡ଼ିବା ପୂର୍ବରୁ ବଲକୁ ସୀମାରେଖା ଭିତରକୁ ଫୋପାଡ଼ି ଦେଇଥିଲେ।
ସାମସନଙ୍କର ଏଭଳି ଚିତ୍ତାକର୍ଷକ ଫିଲ୍ଡିଂ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ମଧ୍ୟ ଚକିତ ହୋଇପଡ଼ିଥିଲେ। ଏହି ବଲରେ ଟେଲର୍ ଦୌଡ଼ିକି ଦୁଇ ରନ୍ ଦେଇଥିଲେ ଏବଂ ସାମସନ୍ ନିଜ ଟିମ୍ ପାଇଁ ୪ ରନ୍ ବଞ୍ଚାଇଥିଲେ। ଯଦି ବଲ୍ ବାଉଣ୍ଡ୍ରୀ ଅତିକ୍ରମ କରିଯାଇଥାନ୍ତା, ତାହେଲେ ନ୍ୟୁଜିଲ୍ୟାଣ୍ଡକୁ ନିଶ୍ଚିତ ୬ ରନ୍ ମିଳିଥାନ୍ତା।