ମୁମ୍ବାଇ: ଟିମ୍ ଇଣ୍ଡିଆର ନୂଆ କୋଚ୍ କିଏ ହେବେ ସେ ନେଇ ସସପେନ୍ସ ଜାରି ରହିଛି । ମୁଖ୍ୟ କୋଚ୍ ପଦ ପାଇଁ ୧୦ ଜଣ ଆବେଦନ କରିଥିବା ବେଳେ ୬ ଜଣଙ୍କ ସାକ୍ଷାତକାର ନେବାକୁ ନିଷ୍ପତ୍ତି ନେଇଥିଲା କ୍ରିକେଟ ପରାମର୍ଶଦାତା କାଉନସିଲ। ସୌରଭ ଗାଙ୍ଗୁଲି, ସଚିନ୍ ତେନ୍ଦୁଲକର ଓ ଭିଭିଏସ୍ ଲଷ୍ମଣଙ୍କୁ ନେଇ ଗଠିତ ଆଡଭାଇଜରୀ କମିଟି ଆଜି ମୁମ୍ବାଇରେ ଆଶାୟୀଙ୍କ ଇଣ୍ଟରଭ୍ୟୁ ନେଇଥିଲେ। ଇଣ୍ଟରଭ୍ୟୁ ନେବା ପାଇଁ ଗାଙ୍ଗୁଲି ଓ ଲକ୍ଷ୍ମଣ ଆସିଥିବା ବେଳେ ଭିଡିଓ କନଫରେନ୍ସିରେ ସଚିନ ତେନ୍ଦୁଲକର ମଧ୍ୟ ରହିଥିଲେ। ସେହିପରି ବୀରେନ୍ଦ୍ର ସେହୱାଗ ସାକ୍ଷାତକାର ଦେବାକୁ ଆସିଥିବା ବେଳେ ଅନ୍ୟମାନେ ଭିଡିଓ କନଫରେନ୍ସି ଜରିଆରେ ଇଣ୍ଟରଭ୍ୟୁ ଦେଇଥିଲେ। କିନ୍ତୁ ମୁଖ୍ୟ କୋଚକୁ ନେଇ କୌଣସି ନିଷ୍କର୍ସ ବାହାରି ପାରିନାହିଁ।
ଇଣ୍ଟରଭ୍ୟୁ ପରେ ପରାମର୍ଶଦାତା କମିଟିର ସଦସ୍ୟ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଟିମ୍ ଇଣ୍ଡିଆର ନୂଆ କୋଚ୍ ଚୟନ ନେଇ ଆମେ ଏତେଟା ବ୍ୟସ୍ତ ନାହୁଁ। ସବୁ ନାଁ ଉପରେ ବିଚାର କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ତେଣୁ ଆଉ କିଛିଦିନ ସମୟ ଆବଶ୍ୟକ । ବିଶ୍ୱକପକୁ ଦୃଷ୍ଟିରେ ରଖି କୋଚ୍ ଚୟନ ହେବେ। ଏହାସହିତ ମୁଖ୍ୟକୋଚ୍ ଚୟନ ବେଳେ ଦଳର ଅଧିନାୟକ ବିରାଟ କୋହଲିଙ୍କ ମତାମତ ନିଆଯିବ ବୋଲି କହିଛନ୍ତି ସୌରଭ। ତେବେ ମୁଖ୍ୟ କୋଚ ରେସରେ ସବୁଠୁ ଆଗରେ ଅଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ନିର୍ଦ୍ଦେଶକ ରବି ଶାସ୍ତ୍ରୀ ଓ ଭାରତର ପୂର୍ବତନ ଦୁର୍ଦ୍ଦଷ ଓପନର ବୀରେନ୍ଦ୍ର ସେହୱାଗ। ଏ ଦୁହିଁଙ୍କ ଉପରେ ଏବେ ପୂରା ଭାରତୀୟ କ୍ରିକେଟ ଜଗତର ନଜର।