ହକି ମନୋରଞ୍ଜନ: କୁଆଡ଼େ ଗଲେ ଗୁଲଜାର, ଅମିତାଭ, ପ୍ରଭାସ ଏବଂ ସୌରଭ୍‌ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ପୋଖତ ଖେଳାଳି ବୋଲି ସମସ୍ତେ ଜାଣନ୍ତି। ଅବଶ୍ୟ ପିଲାବେଳେ ସେ ହକି ଖେଳୁ ଥିଲେ ବୋଲି ନବୀନ ତାଙ୍କ ଶାସନକାଳର ଚତୁର୍ଥ ଟର୍ମରେ ଶେଷ ପାଳିରେ ହଠାତ୍‌ ଘୋଷଣା କରିଥିଲେ। କିନ୍ତୁ ହକି ବିଶ୍ୱକପ୍‌ରେ ଦର୍ଶକ ଓ ଓଡ଼ିଶାବାସୀଙ୍କୁ କେମିତି ଭକୁଆ ବନାଯାଇପାରେ ତା’ପଛରେ ଥିବା ଏକ ଗେମ୍‌କୁ ନେଇ ଚର୍ଚ୍ଚା ହେଉଛି। ତାହା ହେଉଛି ଷ୍ଟାର୍‌ ଅତିଥିଙ୍କୁ ନିମନ୍ତ୍ରଣ ପ୍ରସଙ୍ଗ। ହକି ବିଶ୍ୱକପ୍‌ରେ ବଲିଉଡ୍‌ ଓ କ୍ରିକେଟ […]

Hockey

Tapas Behera
  • Published: Monday, 17 December 2018
  • , Updated: 17 December 2018, 05:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ପୋଖତ ଖେଳାଳି ବୋଲି ସମସ୍ତେ ଜାଣନ୍ତି। ଅବଶ୍ୟ ପିଲାବେଳେ ସେ ହକି ଖେଳୁ ଥିଲେ ବୋଲି ନବୀନ ତାଙ୍କ ଶାସନକାଳର ଚତୁର୍ଥ ଟର୍ମରେ ଶେଷ ପାଳିରେ ହଠାତ୍‌ ଘୋଷଣା କରିଥିଲେ। କିନ୍ତୁ ହକି ବିଶ୍ୱକପ୍‌ରେ ଦର୍ଶକ ଓ ଓଡ଼ିଶାବାସୀଙ୍କୁ କେମିତି ଭକୁଆ ବନାଯାଇପାରେ ତା’ପଛରେ ଥିବା ଏକ ଗେମ୍‌କୁ ନେଇ ଚର୍ଚ୍ଚା ହେଉଛି। ତାହା ହେଉଛି ଷ୍ଟାର୍‌ ଅତିଥିଙ୍କୁ ନିମନ୍ତ୍ରଣ ପ୍ରସଙ୍ଗ। ହକି ବିଶ୍ୱକପ୍‌ରେ ବଲିଉଡ୍‌ ଓ କ୍ରିକେଟ ଜଗତରେ ମହାରଥୀମାନେ ଆସି ଦର୍ଶକଙ୍କୁ ଉତ୍ସାହିତ କରିବେ ବୋଲି ସୋଶାଲ୍‌ ମିଡିଆରେ ପ୍ରଚାର ଛାଇ ହୋଇ ଯାଇଥିଲା। ତାଙ୍କ ଭିତରୁ କିଏ କିଏ ଆସିଥିଲେ ତ ଆଉ କେହି କେହି ଆସି ନଥିଲେ। ଯେଉଁମାନେ ଆସୁଥିଲେ ମୁଖ୍ୟମନ୍ତ୍ରୀ ତାଙ୍କ ସହ ଫଟୋ ସେସନ କଲେ। ସେଲଫି ନେଲେ। ଟ୍ୱିଟ୍‌ କଲେ। ଆଉ ଯେଉଁମାନେ ଆସୁ ନ ଥିଲେ ସେମାନଙ୍କ କଥା ଜମା ଉଠୁ ନ ଥିଲା।

ହକି ବିଶ୍ୱ କପ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ ବଲିଉଡ୍‌ର ଚର୍ଚ୍ଚିତ ସଙ୍ଗୀତକାର ଏ.ଆର. ରହମାନ୍‌ ଓ ଗୁଲଜାର ଆସିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସିଆଲ ଟ୍ୱିଟ୍‌ରେ ପୋଷ୍ଟ କରିଥିଲେ। ସେହି ତାଲିକାରେ ଶାହାରୁଖ୍‌ ଓ ମାଧୁରୀ ଦିକ୍ଷୀତ୍‌ଙ୍କ ନାମ ନ ଥିଲା। ହେଲେ ହଠାତ୍‌ ଚର୍ଚ୍ଚା ହେଲା ଯେ, ଶାହାରୁଖ୍‌ ଓ ମାଧୁରୀ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିବେ। କମ୍ପିବ କଳିଙ୍ଗ ଷ୍ଟାଡିୟମ। ବାଜା,ବାଣ ସାଙ୍ଗକୁ ନୃତ୍ୟ, ଗୀତର ତାଳେ ତାଳେ ନାଚିବେ ଦର୍ଶକ। ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଲା। କିନ୍ତୁ ଉଦ୍‌ଘାଟନୀ ଉତ୍ସବରେ ଅଫିସିଆଲ ଭାବେ ଯାହାଙ୍କର ନାମ ଥିଲା ଅର୍ଥାତ ଗୁଲଜାରଙ୍କୁ ଦେଖିବାକୁ ମିଳିଲା ନାହିଁ। କିନ୍ତୁ ଅନ୍ୟ ସେଲେବ୍ରିଟିମାନେ ଆସି ଦର୍ଶକଙ୍କୁ ମନୋରଞ୍ଜନ କରିବା ସହ ଉତ୍ସାହିତ କରିଥିଲେ।

ସେହିପରି ବାରବାଟୀରେ ହଠାତ୍‌ ୨୮ ତାରିଖରେ ଆଉ ଏକ ଉଦ୍‌ଘାଟନ ଉତ୍ସବ ହେବ ବୋଲି ଘୋଷଣା କରାଗଲା। କିନ୍ତୁ ଉତ୍ସବକୁ କିଏ ଆସୁଛନ୍ତି ସେନେଇ କୌଣସି ଘୋଷଣା କରାଯାଇ ନଥିଲା। କିନ୍ତୁ ବଲିଉଡ୍‌ର ଦବଙ୍ଗ ସଲମାନ୍‌ ଖାନ୍‌ ଓ 'ବାହୁବଳୀ'ର ହିରୋ ପ୍ରଭାସଙ୍କ ନାମକୁ ନେଇ ଧୁମ୍‌ ଚର୍ଚ୍ଚା ହେଲା। ସୋଶାଲ୍‌ ମିଡିଆରେ ଏ କଥା ଭାଇରାଲ ବି ହେଲା। ସଲମାନ୍‌ ଆସିଲେ। ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକଙ୍କ ସହ ସେଲ୍‌ଫି ନେଲେ। ଆଉ ମାତ୍ର ୧୦ ମିନିଟ୍‌ ରହି ଦହିବରା ଆଳୁଦମ୍‌ ଖାଇବେ ବୋଲି କହି ପଳାଇଗଲେ।

ଏହି ୧୦ ମିନିଟ୍‌ରେ ସେ ନେଇଥିବା ପାଉଣାକୁ ନେଇ ମଧ୍ୟ ବିବାଦ ସାମ୍ନାକୁ ଆସିଥିଲା। ମାତ୍ର ୧୦ ମିନିଟ୍‌ ପାଇଁ ସେ ୧ କୋଟି ୮୯ ଲକ୍ଷ ଟଙ୍କା ନେବାକୁ ନେଇ ଅନେକ କଥା ଉଠିଥିଲା। କିନ୍ତୁ ପ୍ରଭାସ ଙ୍କର ଦେଖା ମିଳିଲା ନାହିଁ।

ତା’ପରେ ଆସିଲା ଫାଇନାଲ ଅର୍ଥାତ୍‌ ଉଦ୍‌ଯାପନୀ କଥା। ଉଦ୍‌ଯାପନୀ ଉତ୍ସବରେ ଆହୁରି ମେଗାଷ୍ଟାରମାନେ ଆସୁଥିବା ନେଇ ଚାରିଆଡ଼େ ଚହଳ ପଡ଼ିଲା। ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ, ଆମୀର ଖାନ୍‌, ସାହିଦ କପୁର, କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ୍‌ ଆସୁଥିବା ହାଲା କରାଗଲା। ସେଲେବ୍ରିଟିଙ୍କ ଗହଳିକୁ ନେଇ ଜୋରଦାର ପ୍ରଚାର ମଧ୍ୟ କରାଗଲା। ହେଲେ ଫାଇନାଲ ପୂର୍ବଦିନ କେବଳ ସଚିନ୍‌ ଆସୁଥିବା ଟ୍ୱିଟ୍‌ କରି ଜଣାଇଥିଲେ। ଆଉ ଆସିଥିଲେ ମଧ୍ୟ। ହେଲେ ଯେଉଁମାନଙ୍କୁ ନେଇ ଏତେ ଚର୍ଚ୍ଚା ଓ ଆଲୋଚନା ହେଉଥିଲା ସେମାନଙ୍କ ଦେଖା ମିଳି ନଥିଲା। ତେଣୁ କିଏ କାହାକୁ ବୋକା ବନେଇଲା ଏବେ ତାକୁ ନେଇ ଚର୍ଚ୍ଚା।

କଥା ହେଉଛି ଯଦି କୌଣସି ଛୋଟମୋଟ କାର୍ଯ୍ୟକ୍ରମକୁ ନେଇ ସଭାସମିତିଟିଏ ହେଉଛି ସେଥିରେ କେଉଁମାନେ ଅତିଥି ଆସିବେ ତାହା ନିର୍ଦ୍ଧାରଣ ହୋଇପାରୁଛି ହେଲେ ହକି ବିଶ୍ୱକପ୍‌ ଭଳି ଏତେ ବଡ଼ ବିଶାଳ ଉତ୍ସବର ଆୟୋଜନ ହୋଇ ମଧ୍ୟ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବରେ କେଉଁମାନେ ଅତିଥି ଆସିବେ ତାହା ସରକାରୀ ଭାବେ ନିଷ୍ପତ୍ତି ହୋଇପାରିଲା ନାହିଁ। କାରଣ ଆଗୁଆ ଅତିଥିଙ୍କ ନାମ ଘୋଷଣା ହେଲେ ସେମାନେ ଆସିବା ଓ ନଆସିବା ସମ୍ମାନର ପ୍ରଶ୍ନ ହୋଇଥିବାରୁ ସରକାର ରିସ୍କ ନେବାକୁ ଚାହିଁଲେ ନାହିଁ। ଅର୍ଥାତ୍ ସରକାର କାଳେ ବଦନାମ୍‌ ହୋଇଯିବେ ସେଥିରୁ ବର୍ତ୍ତିବା ପାଇଁ ରାଜ୍ୟ ସରକାର ଏମିତି ଏକ ଗେମ ଖେଲି ସମସ୍ତଙ୍କୁ ଭକୁଆ ବନାଇବାରେ ସଫଳ ହୋଇଥିବା ଚର୍ଚ୍ଚା ହେଉଛି। ମାନେ ସାପ ମଲା, ହେଲେ ବାଡ଼ିଭାଙ୍ଗିଲାନି।

Related story