ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆର ଦ୍ୱିତୀୟ ବିଜୟ

ମେଲବର୍ଣ୍ଣ: ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପର ଗ୍ରୁପ୍‌-ଏ’ର ଏକ ମ୍ୟାଚରେ ଆୟୋଜକ ଅଷ୍ଟ୍ରେଲିଆ ୮୬ ରନରେ ବାଂଲାଦେଶକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆର ସେମିଫାଇନାଲ୍ ଆଶା ମଧ୍ୟ ଉଜ୍ଜୀବିତ ହୋଇଛି। ବୁଧବାର ମାନୁକା ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧ ୱିକେଟ୍ ହରାଇ ୧୮୯ ରନ୍ କରିଥିଲା। ଘରୋଇ ଦଳର ଦୁଇ ଓପ୍ନର ଆଲିସା ହିଲୀ ଓ ବେଥ୍ ମୁନୀ […]

aus-women

Ranjit Kumar Jena
  • Published: Thursday, 27 February 2020
  • , Updated: 27 February 2020, 07:20 PM IST

ମେଲବର୍ଣ୍ଣ: ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପର ଗ୍ରୁପ୍‌-ଏ'ର ଏକ ମ୍ୟାଚରେ ଆୟୋଜକ ଅଷ୍ଟ୍ରେଲିଆ ୮୬ ରନରେ ବାଂଲାଦେଶକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆର ସେମିଫାଇନାଲ୍ ଆଶା ମଧ୍ୟ ଉଜ୍ଜୀବିତ ହୋଇଛି। ବୁଧବାର ମାନୁକା ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧ ୱିକେଟ୍ ହରାଇ ୧୮୯ ରନ୍ କରିଥିଲା।

ଘରୋଇ ଦଳର ଦୁଇ ଓପ୍ନର ଆଲିସା ହିଲୀ ଓ ବେଥ୍ ମୁନୀ ପ୍ରଥମ ୱିକେଟ୍ ପାଇଁ ରେକର୍ଡ ୧୫୧ ରନର ପାର୍ଟନରଶିପ୍ କରିଥିଲେ। ମହିଳା ଟି-୨୦ କ୍ରିକେଟରେ ଅଷ୍ଟ୍ରେଲିଆ ପକ୍ଷରୁ ଏହା କୌଣସି ୱିକେଟ୍ ପାଇଁ ସବୁଠାରୁ ବଡ଼ ଭାଗିଦାରୀ। ଏହାଛଡ଼ା ମହିଳା ଟି-୨୦ ବିଶ୍ୱକପରେ ଏହା କୌଣସି ୱିକେଟ୍ ପାଇଁ ତୃତୀୟ ସର୍ବାଧିକ ପାର୍ଟନରଶିପ୍।

ଟି-୨୦ ବିଶ୍ୱକପରେ କୌଣସି ୱିକେଟ୍ ପାଇଁ ସବୁଠାରୁ ରେକର୍ଡ ପାର୍ଟନରଶିପ୍ ଇଂଲଣ୍ଡର ନାଟାଲି ସ୍କିଭର୍ ଓ ହିଥର ନାଇଟଙ୍କ ନାଁରେ ରହିଛି। ଦୁହେଁ ଥାଇଲ୍ୟାଣ୍ଡ୍ ବିପକ୍ଷରେ ତୃତୀୟ ୱିକେଟ୍ ପାଇଁ ଅପରାଜିତ ୧୬୯ ରନ୍ ଯୋଡ଼ିଥିଲେ। ତେବେ ହିଲୀ ଓ ମୁନୀ ଏହି ରେକର୍ଡ ଭାଙ୍ଗିବାରେ ବିଫଳ ହୋଇଥିଲେ।

ହିଲୀ ୫୩ ବଲରେ ୧୦ ଚୌକା ଓ ୩ ଛକା ସହ ୮୩ ରନ୍ କରି ଆଉଟ୍ ହୋଇଥିବା ବେଳେ ବୁନୀ ୫୯ ବଲରେ ୯ ଚୌକା ସହ ୮୧ ରନ୍ ଏବଂ ଆଶଲେ ଗାର୍ଡନର୍ ୯ ବଲରେ ୩ ଚୌକା ଓ ୧ ଛକା ସହ ୨୨ ରନ୍ କରି ଅପରାଜିତ ଥିଲେ।

୧୯୦ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ୨୦ ଓଭରରେ ୯ ୱିକେଟ୍ ହରାଇ ୧୦୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଫରଗାନା ହକ୍ ସର୍ବାଧିକ ୩୬, ନିଗାର ସୁଲତାନା ୧୯, ଶାମିମା ସୁଲତାନା ୧୩ ଓ ରୁମାନା ଅହମ୍ମଦ ୧୩ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ୍ ସ୍କଟ୍ ୩ଟି ଓ ଜେସ୍ ଜୋନାସେନ୍ ୨ଟି ୱିକେଟ୍ ନେଇଥିଲେ।

Related story