ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ହ୍ୟାଟ୍ରିକ୍ ବିଜୟ ସହ ସେମିରେ ଭାରତ

ମେଲବର୍ଣ୍ଣ: ଯୁବ ଓପ୍ନର ଶେଫାଳି ବର୍ମାଙ୍କ ବିସ୍ଫୋରକ ଇନିଂସ୍ ଏବଂ ବୋଲରଙ୍କ ଆଉ ଏକ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତ ଗୁରୁବାର ଏଠାରେ ନ୍ୟୁଜିଲ୍ୟାଣ୍ଡକୁ ୩ ରନରେ ହରାଇ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ହ୍ୟାଟ୍ରିକ୍ ବିଜୟ ପୂରଣ କରିବା ସହ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ୧୬ ବର୍ଷୀୟା ଶେଫାଳି ମାତ୍ର ୩୪ ବଲରେ ୪ ଚୌକା ଓ ୩ ଛକା ସହାୟତାରେ ୪୬ ରନ୍ କରିଥିଲେ, କିନ୍ତୁ ଏହା ସତ୍ତ୍ୱେ ଭାରତୀୟ ଟିମ୍ ପ୍ରଥମେ […]

india-women

Ranjit Kumar Jena
  • Published: Thursday, 27 February 2020
  • , Updated: 27 February 2020, 04:42 PM IST

ମେଲବର୍ଣ୍ଣ: ଯୁବ ଓପ୍ନର ଶେଫାଳି ବର୍ମାଙ୍କ ବିସ୍ଫୋରକ ଇନିଂସ୍ ଏବଂ ବୋଲରଙ୍କ ଆଉ ଏକ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଭାରତ ଗୁରୁବାର ଏଠାରେ ନ୍ୟୁଜିଲ୍ୟାଣ୍ଡକୁ ୩ ରନରେ ହରାଇ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ହ୍ୟାଟ୍ରିକ୍ ବିଜୟ ପୂରଣ କରିବା ସହ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ୧୬ ବର୍ଷୀୟା ଶେଫାଳି ମାତ୍ର ୩୪ ବଲରେ ୪ ଚୌକା ଓ ୩ ଛକା ସହାୟତାରେ ୪୬ ରନ୍ କରିଥିଲେ, କିନ୍ତୁ ଏହା ସତ୍ତ୍ୱେ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୩ ରନ୍ କରିପାରିଥିଲା। ଜବାବରେ ଭାରତୀୟ ବୋଲରମାନେ ଅପେକ୍ଷାକୃତ କମ୍ ସ୍କୋରକୁ ଡିଫେଣ୍ଡ କରିବାରେ ସଫଳ ହୋଇଥିଲେ ଏବଂ ନ୍ୟୁଜିଲ୍ୟାଣ୍ଡକୁ ୨୦ ଓଭରରେ ୬ ୱିକେଟରେ ୧୨୯ ରନରେ ରୋକିଥିଲା।

ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଶେଷ ମୁହୂର୍ତ୍ତରେ ଆମେଲିଆ କେର୍ ଧୂଆଁଧାର ବ୍ୟାଟିଂ କରିଥିଲେ ହେଁ, ଦଳକୁ ଜିତାଇପାରିନଥିଲେ। ଭାରତୀୟ ଟିମର ଏହାର ଲଗାତର ତୃତୀୟ ବିଜୟ। ଏହା ପୂର୍ବରୁ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ଅଷ୍ଟ୍ରେଲିଆକୁ ୧୭ ରନରେ ଏବଂ ବାଂଲାଦେଶକୁ ୧୮ ରନରେ ହରାଇଥିଲା। ଭାରତ ଗ୍ରୁପ୍‌-ଏ'ରେ ତିନୋଟି ମ୍ୟାଚରୁ ୬ ପଏଣ୍ଟ ହାସଲ କରି ସେମିଫାଇନାଲରେ ସ୍ଥାନ ପକ୍କା କରିବାରେ ପ୍ରଥମ ଦଳ ହୋଇଛି। ଭାରତୀୟ ଟିମ୍ ତା'ର ଶେଷ ଲିଗ୍ ମ୍ୟାଚ୍ ଶନିବାର ଶ୍ରୀଲଙ୍କା ବିପକ୍ଷରେ ଖେଳିବ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଶେଫାଳି ଦ୍ରୁତ ଆରମ୍ଭ ଦେଇଥିଲେ। ଭାରତ ପାୱାରପ୍ଲେ' ଓଭରରେ ୪୯ ରନ୍ କରିଥିଲା। କିନ୍ତୁ ମଧ୍ୟକ୍ରମରେ ନୈରାଶ୍ୟଜନକ ବ୍ୟାଟିଂ ପୁଣିଥରେ ଉଜାଗର ହୋଇଥିଲା । ଓପ୍ନର ସ୍ମୃତି ମନ୍ଧାନା (୧୧) ଏହି ମ୍ୟାଚରେ କମବ୍ୟାକ୍ କରିଥିଲେ ହେଁ, କିଛି ଖାସ୍ କରିପାରିନଥିଲେ। ଲି ତାହୁହୁଙ୍କ ବାହାରେ ଯାଉଥିବା ବଲକୁ ମାରିବାକୁ ଯାଇ ମନ୍ଧାନା ନିଜ ୱିକେଟ୍ ହରାଇ ବସିଥିଲେ। ଏହା ପରେ ଶେଫାଳି ଓ ତାନିଆ ଭାଟିଆ (୨୩) ଦ୍ୱିତୀୟ ୱିକେଟ୍ ପାଇଁ ୫୧ ରନ୍ ଯୋଡ଼ିଥିଲେ। ତାନିଆ ଦଶମ ଓଭରରେ ପ୍ୟାଭିଲିୟନ୍ ଫେରିଯାଇଥିଲେ।

ଏହା ପରେ ଜେମିମା ରୋଡ୍ରିଗ୍ସ (୧୦) ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଭାରତ ୧୦ ଓଭର ସୁଦ୍ଧା ୨ ୱିକେଟ୍ ହରାଇ ୭୫ ରନ୍ କରି ଭଲ ସ୍ଥିତିରେ ଥିଲା। କିନ୍ତୁ ଜେମିମାଙ୍କ ଆଉଟ୍ ପରେ ଭାରତର ୱିକେଟ୍ ପତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। କ୍ୟାପଟେନ୍ ହରମନପ୍ରୀତ କୌର (୧)ଙ୍କ ଖରାପ ଫର୍ମ ଜାରି ରହିଛି। କୌରଙ୍କ ପରେ ଶେଫାଳିଙ୍କୁ ଆମେଲିଆ କେର୍ ପ୍ୟାଭିଲିୟନ୍ ପଠାଇଥିଲେ। ବାଂଲାଦେଶ ବିପକ୍ଷରେ ଦ୍ରୁତ ରନ୍ କରିଥିବା ଦେବା କ୍ରିଷ୍ଣମୂର୍ତ୍ତି (୬) ଓ ଦୀପ୍ତି ଶର୍ମା (୮) ଦୁଇ ଅଙ୍କ ଛୁଇଁପାରିନଥିଲେ। ରାଧା ଯାଦବ ୯ ବଲରେ ୧ ଛକା ସହାୟତାରେ ୧୪ ରନ୍ କରିଥିବା ବେଳେ ଶିଖା ପାଣ୍ଡେ ୧୪ ବଲରେ ୧୦ ରନ୍ କରି ଅପରାଜିତ ଥିଲେ। କିୱି ଟିମ୍ ପକ୍ଷରୁ ରୋଜମ୍ୟାରୀ ମାଇର୍ ଓ କେର୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ବ୍ୟାଟ୍ସଓମାନଙ୍କୁ ଭାରତୀୟ ସ୍ପିନରମାନେ ଆରମ୍ଭରୁ ବାନ୍ଧି ରଖିଥିଲେ। ଦଳର ଦୁଇ ଓପ୍ନର ରାଚେଲ୍ ପ୍ରିଷ୍ଟ (୧୨) ଓ କ୍ୟାପଟେନ୍ ସୋଫି ଡିଭାଇନ୍ (୧୪) ନିରାଶ କରିଥିବା ବେଳେ ଅଭିଜ୍ଞ ସୁଜି ବେଟ୍ସ (୬) ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିଲେ। ମ୍ୟାଡି ଗ୍ରୀନ୍ (୨୪) ଓ କ୍ୟାଟୀ ମାର୍ଟିନ୍ (୨୫) ଚତୁର୍ଥ ୱିକେଟ୍ ପାଇଁ ୪୩ ରନ୍ ଯୋଡ଼ି ଦଳ ପାଇଁ ଆଶା ସଞ୍ଚାର କରିଥିଲେ। ଗ୍ରୀନଙ୍କୁ ଆଉଟ୍ କରି ରାଜେଶ୍ୱରୀ ଗାଏକ୍ୱାଡ୍ ଏହି ଯୋଡ଼ିକୁ ଭାଙ୍ଗିଥିଲେ। ସେହିପରି ମାର୍ଟିନଙ୍କୁ ରାଧା ଯାଦବ ପ୍ୟାଭିଲିୟନ୍ ପଠାଇଥିଲେ।

ଦଳକୁ ଶେଷ ୨ ଓଭରରେ ୩୪ ରନ୍ ଆବଶ୍ୟକ ହେଉଥିବା ବେଳେ କେର୍ ଇନିଂସର ୧୯ତମ ଓଭରରେ ପୁନମ ଯାଦବଙ୍କୁ ୪ଟି ଚୌକା ମାରି ମ୍ୟାଚକୁ ରୋମାଞ୍ଚକର କରିଥିଲେ। ଶେଷ ଓଭରରେ ଦଳକୁ ୧୬ ରନ୍ ଦରକାର ହେଉଥିଲା, କିନ୍ତୁ ଅଭିଜ୍ଞ ଶିଖା ପାଣ୍ଡେ ଦମଦାର ବୋଲିଂ କରି ମାତ୍ର ୧୨ ରନ୍ ହିଁ ଦେଇ ଭାରତକୁ ବିଜୟୀ କରାଇଥିଲେ। କେର ୧୯ ବଲରେ ୬ ଚୌକା ସହ ୩୪ ରନ୍ କରି ଅପରାଜିତ ଥିବା ବେଳେ ହାଲେ ଜେନସେନ୍ ୧୧ ରନ୍ କରି ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ଦୀପ୍ତି, ଶିଖା, ରାଜେଶ୍ୱରୀ, ପୁନମ ଓ ରାଧା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

Related story