ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌: ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଭାରତ

ମେଲବର୍ଣ୍ଣ: ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ଓ ବାଂଲାଦେଶକୁ ହରାଇ ଚଳିତ ମହିଳା ଟି-୨୦ ବିଶ୍ୱକପରେ ଦମଦାର ଆରମ୍ଭ କରିଥିବା ଭାରତ ଗୁରୁବାର ତା’ର ତୃତୀୟ ମୁକାବିଲାରେ ମଜଭୁତ୍ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ନ୍ୟୁଜିଲ୍ୟାଣ୍ଡକୁ ହରାଇ ଭାରତ ହ୍ୟାଟ୍ରିକ୍ ବିଜୟ ହାସଲ କରିବା ସହ ସେମିଫାଇନାଲ୍ ନିକଟତର ପହଞ୍ଚିବାକୁ ପ୍ରୟାସ କରିବ। ଭାରତ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୭ ରନରେ ଏବଂ ବାଂଲାଦେଶକୁ ୧୮ ରନରେ ହରାଇଥିଲା। ଏହି ଦୁଇଟି ମ୍ୟାଚ୍ ଜିତିବା ପାଇଁ ଭାରତକୁ ସେତେଟା ସଂଘର୍ଷ […]

india-women

Ranjit Kumar Jena
  • Published: Wednesday, 26 February 2020
  • , Updated: 26 February 2020, 05:16 PM IST

ମେଲବର୍ଣ୍ଣ: ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ଓ ବାଂଲାଦେଶକୁ ହରାଇ ଚଳିତ ମହିଳା ଟି-୨୦ ବିଶ୍ୱକପରେ ଦମଦାର ଆରମ୍ଭ କରିଥିବା ଭାରତ ଗୁରୁବାର ତା'ର ତୃତୀୟ ମୁକାବିଲାରେ ମଜଭୁତ୍ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ନ୍ୟୁଜିଲ୍ୟାଣ୍ଡକୁ ହରାଇ ଭାରତ ହ୍ୟାଟ୍ରିକ୍ ବିଜୟ ହାସଲ କରିବା ସହ ସେମିଫାଇନାଲ୍ ନିକଟତର ପହଞ୍ଚିବାକୁ ପ୍ରୟାସ କରିବ। ଭାରତ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୭ ରନରେ ଏବଂ ବାଂଲାଦେଶକୁ ୧୮ ରନରେ ହରାଇଥିଲା। ଏହି ଦୁଇଟି ମ୍ୟାଚ୍ ଜିତିବା ପାଇଁ ଭାରତକୁ ସେତେଟା ସଂଘର୍ଷ କରିବାକୁ ପଡିନଥିଲା। ଭାରତ ଏବେ ଗ୍ରୁପ୍‌-ଏ'ରେ ଦୁଇଟି ମ୍ୟାଚ୍ ଜିତି ୪ ପଏଣ୍ଟ ସହ ଶୀର୍ଷରେ ରହିଛି।

ପ୍ରଥମ ଦୁଇଟି ମ୍ୟାଚରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ବେଶ୍ ପ୍ରଭାବଶାଳୀ ରହିଥିଲା, କିନ୍ତୁ ଦଳର ବ୍ୟାଟିଂ ବିଭାଗ ଏପର୍ଯ୍ୟନ୍ତ ଆଶାମୁତାବକ ପ୍ରଦର୍ଶନ କରିପାରିନାହିଁ। ଦୁଇ ଅଭିଜ୍ଞ କ୍ୟାପଟେନ୍ ହରମନପ୍ରୀତ କୌର୍ ଓ ସ୍ମୃତି ମନ୍ଧାନାଙ୍କଠାରୁ ଦଳ ବଡ଼ ସ୍କୋର ଆଶା ବାନ୍ଧିଛି। ୧୬ ବର୍ଷୀୟା ଶେଫାଳି ବର୍ମା ଦୁଇଟି ଯାକ ମ୍ୟାଚରେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଦ୍ୱାରା ସମସ୍ତଙ୍କୁ ଖୁବ୍ ପ୍ରଭାବିତ କରିଛନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷରେ ୨୯ ଓ ବାଂଲାଦେଶ ବିପକ୍ଷରେ ମାତ୍ର ୧୭ ବଲରେ ୩୯ ରନର ଧୂଆଁଧାର ଇନିଂସ୍ ଖେଳିଥିଲେ। ତୃତୀୟ ସ୍ଥାନରେ ବ୍ୟାଟିଂ କରୁଥିବା ଜେମିମା ରୋଡ୍ରିଗ୍ସ ମଧ୍ୟ ଯଥାକ୍ରମେ ୨୬ ଓ ୩୪ ରନ୍ କରି ଟିମ୍ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛନ୍ତି, କିନ୍ତୁ କୌରଙ୍କ ଫର୍ମ ଚିନ୍ତାର ବିଷୟ ହୋଇଛି।

ବାଂଲାଦେଶ ବିପକ୍ଷରେ ଅସୁସ୍ଥତା କାରଣରୁ ଖେଳିପାରିନଥିବା ମନ୍ଧାନା ଆସନ୍ତାକାଲି କମବ୍ୟାକ୍ କରିବେ। ମଧ୍ୟକ୍ରମରେ ଦୀପ୍ତି ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ଅପରାଜିତ ୪୯ ରନର ଉପଯୋଗୀ ଯୋଗଦାନ କରିଥିବା ବେଳେ ବାଂଲାଦେଶ ବିପକ୍ଷରେ ବେଦା କ୍ରିଷ୍ଣମୂର୍ତ୍ତୀ ୧୧ ବଲରେ ଅପରାଜିତ ୨୦ ରନର ଇନିଂସ୍ ଖେଳିଥିଲେ। ବୋଲିଂ ବିଭାଗରେ ପୁନମ ଯାଦବ ଦୁଇଟି ଯାକ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଏପର୍ଯ୍ୟନ୍ତ ୭ଟି ୱିକେଟ୍ ନେଇ ଟୁର୍ଣ୍ଣାମେଣ୍ଟର ଲିଡିଂ ୱିକେଟଟେକର ଅଛନ୍ତି। ତାଙ୍କୁ ମିଡିୟମ୍ ପେସର ଶିଖା ପାଣ୍ଡେଙ୍କର ଭରପୂର ସହଯୋଗ ମଧ୍ୟ ମିଳିଛି। ଶିଖା ଏପର୍ଯ୍ୟନ୍ତ ୫ ୱିକେଟ୍ ନେଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ଭାରତ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ରେକର୍ଡ ନିକଟରେ ଭଲ ରହିଛି। ବର୍ଷକ ପୂର୍ବେ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୩-୦ରେ ହରାଇଥିଲା। ତେବେ ଭାରତ ୨୦୧୮ରେ ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ଟି-୨୦ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ୩୪ ରନରେ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ କୌର୍ ୧୦୩ ରନର ସ୍ମରଣୀୟ ଇନିଂସ୍ ଖେଳିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ଟିମରେ କ୍ୟାପଟେନ୍ ସୋଫିତ ଡିଭାଇନ୍‌, ସୁଜି ବେଟ୍ସ, ଲି ତାହୁହୁ ଏବଂ ଆମେଲିଆ କେରଙ୍କ ଭଳି ଶୀର୍ଷସ୍ତରର ଖେଳାଳି ଅଛନ୍ତି। କିୱି ଟିମ୍ ତା'ର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଥିଲା। ଏହି ମ୍ୟାଚରେ ଡିଭାଇନ୍ ୫୫ ବଲରେ ୭୫ ରନର ଅପରାଜିତ ଇନିଂସ୍ ଖେଳିଥିଲେ।

Related story