ମେଲବର୍ଣ୍ଣ: ଚଳିତ ମହିଳା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଭାରତୀୟ ମହିଳା ଟିମ୍ କ୍ରମାଗତ ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଛି। ଶୁକ୍ରବାର ସିରିଜର ଚତୁର୍ଥ ମ୍ୟାଚରେ ଭାରତ ଇଂଲଣ୍ଡ ନିକଟରୁ ୪ ୱିକେଟରେ ପରାସ୍ତ ହୋଇଛି। ଏହି ପରାଜୟ ସହ ଭାରତର ଫାଇନାଲ୍ ଆଶା କ୍ଷୀଣ ହୋଇଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଓପ୍ନର ସ୍ମୃତି ମନ୍ଧାନାଙ୍କୁ ଛାଡ଼ି ଦେଲେ ଟିମର ଅନ୍ୟ କୌଣସି ବ୍ୟାଟ୍ସଓମ୍ୟାନ୍ ସଫଳ ହୋଇନଥିଲେ। ମନ୍ଧାନା ସର୍ବାଧିକ ୪୫ (୪୦ ବଲ୍, ୭ ଚୌକା, ୧ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଶେଫାଳି ବର୍ମା ୮, ଜେମିମା ରୋଡ୍ରିଗ୍ସ ୨୩, କ୍ୟାପଟେନ୍ ହରମନପ୍ରୀତ କୌର୍ ୧୪, ତାନିଆ ଭାଟିଆ ୮ ରନ୍ କରି ଆଉଟ୍ ହୋଇଥିଲେ।
ଦୀପ୍ତି ଶର୍ମା ୯ ଓ ଅରୁନ୍ଧତୀ ରେଡ୍ଡି ୭ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆନ୍ୟା ସ୍ରୁବସୋଲ୍ ୩ଟି ଓ କ୍ୟାଥରିନ୍ ବ୍ରଣ୍ଟ୍ ୨ଟି ୱିକେଟ୍ ନେଇଥିଲେ। ଜବାବରେ ଇଂଲଣ୍ଡ ୧୮.୫ ଓଭରରେ ୬ ୱିକେଟ୍ ହରାଇ ୧୨୪ ରନ୍ କରି ବିଜୟୀ ହୋଇଥିଲା। ଇଂଲଣ୍ଡ ଦଳ ୨୮ ରନରେ ତା'ର ଶୀର୍ଷ ତିନି ବ୍ୟାଟ୍ସଓମ୍ୟାନଙ୍କୁ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ନାଟାଲି ସ୍କିଭରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଦଳ ୭ ବଲ୍ ବାକି ଥାଇ ମ୍ୟାଚକୁ ଜିତି ନେଇଥିଲା।
ସ୍କିଭର୍ ୩୮ ବଲରେ ୬ ଚୌକା ଓ ୧ ଛକା ସହ ସର୍ବାଧିକ ୫୦ ରନ୍ କରିଥିବା ବେଳେ କ୍ୟାପଟେନ୍ ହିଥର୍ ନାଇଟ୍ ୧୮ ଓ ଡାନିଏଲି ୟାଟ୍ ୧୪ ରନ୍ କରି ଆଉଟ୍ ହୋଇଥିଲେ। ଫ୍ରାନ୍ ୱିଲସନ୍ ୨୦ ଓ ଲରେନ୍ ୱିନଫିଲ୍ଡ ୨ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ରାଜେଶ୍ୱରୀ ଗାଏକ୍ୱାଡ୍ ୩ଟି ଓ ରାଧା ଯାଦବ ଗୋଟିଏ ୱିକେଟ୍ ପାଇଥିଲେ।