ମୁମ୍ବାଇ: ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ କାରଣରୁ ବର୍ତ୍ତମାନ ଜାତୀୟ ଦଳରୁ ବାହାରେ ଅଛନ୍ତି। ହାର୍ଦ୍ଦିକ ନିଜକୁ ଫିଟ୍ କହୁଥିଲେ ହେଁ, ଫିଟନେସ୍ ଟେଷ୍ଟରେ ବାରମ୍ବାର ଫେଲ୍ ହୋଇ ଟିମରୁ ବାଦ୍ ପଡ଼ୁଛନ୍ତି। ଆଗକୁ ଆଇପିଏଲ୍ ଥିବାରୁ ଏହା ପୂର୍ବରୁ ସେ ଫିଟ୍ ହେବେ କି ନାହିଁ, ତାକୁ ନେଇ ସନ୍ଦେହ ଦେଖା ଦେଇଛି।
ତେବେ ଏଭଳି କଠିନ ସମୟରେ ହାର୍ଦ୍ଦିକଙ୍କୁ ଭାରତର ପୂର୍ବତନ ପେସ୍ ବୋଲର ଜାହିର୍ ଖାନ୍ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଜାହିର୍ ଏହି ଷ୍ଟାର୍ ଅଲରାଉଣ୍ଡରଙ୍କୁ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି। ଏହା ସହ ଜାହିର୍ ତାଙ୍କୁ (ହାର୍ଦ୍ଦିକ) ଆହତ ମୁକୁଳିବା ପାଇଁ ଆଦୌ ବ୍ୟଗ୍ର ନହେବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି।
ନିଜ କ୍ୟାରିୟରରେ ଅଧିକାଂଶ ସମୟରେ ଆହତ ସମସ୍ୟାରେ ରହିଥିବା ଜାହିର୍ ହାର୍ଦ୍ଦିକଙ୍କ ଆଇପିଏଲ୍ ଖେଳିବା ନେଇ କହିଛନ୍ତି, ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ୍ ଖେଳିବା ପାଇଁ ଏବେ ବହୁତ ସମୟ ବାକି ଅଛି ଏବଂ ହାର୍ଦ୍ଦିକ ନିଜର ସମୟ ନେବା ଦରକାର। ହାର୍ଦ୍ଦିକ ଶତପ୍ରତିଶତ ବଦଳରେ ୧୨୦ ପ୍ରତିଶତ ଫିଟନେସ୍ ସହ ପ୍ରତ୍ୟାବର୍ତ୍ତନ କରିବା ଦରକାର। ଯେତେବେଳେ ଜଣେ ଆହତ ହୁଏ, ତାକୁ ପ୍ରତ୍ୟାବର୍ତ୍ତନ କରିବା କେତେ କଷ୍ଟକର, ତାହା ମୋ'ଠାରୁ ହୁଏତ ଭଲଭାବେ କେହିବି ଜାଣିନଥିବେ।
ମୁମ୍ବାଇ ଇଣ୍ଡିଆନ୍ସର ନିର୍ଦ୍ଦେଶକ (କ୍ରିକେଟ୍ ଅପରେଶନ୍) ଜାହିର୍ କହିଛନ୍ତି, କୌଣସି ଖେଳାଳି ଯେତେବେଳେ ଆହତ ହୁଅନ୍ତି, ସେତେବେଳେ ତାଙ୍କୁ ଧୈର୍ଯ୍ୟ ରଖିବାର ଆବଶ୍ୟକତା ରହିଛି। ମୁଁ ବ୍ୟକ୍ତିଗତ ଭାବେ ପାଣ୍ଡ୍ୟାଙ୍କ ସହ କଥା ହୋଇଛି ଏବଂ ତାଙ୍କୁ ବ୍ୟଗ୍ର ନହେବା ପାଇଁ ପରାମର୍ଶ ଦେଇଛି।