ଏନେଇ ପ୍ରଫୁଲ ସାମଲ କହିଛନ୍ତି ଯେ ପିଲାମାନଙ୍କୁ ୧୪୪ ଧାରା ବିଷୟରେ ଜଣା ନ ଥିଲା। ସେମାନଙ୍କୁ କୁହାଯାଇଥିଲା ଅନ୍ୟ ରାସ୍ତାରେ ଯିବା ପାଇଁ। କିନ୍ତୁ ସେମାନେ ଏଠି ନୂଆ ହୋଇଥିବା ଯୋଗୁଁ ଜାଣି ପାରିଲେ ନାହିଁ। ତା’ପରେ ଅନେକ ଟ୍ରେନରୁ ଓହ୍ଲାଇ ସିଧାସଳଖ ଆସିଲେ ତ ସେହି ରାସ୍ତା ଦେଇ ଚାଲି ଆସିଲେ। ତେବେ ସେମାନେ ସଚିବାଳୟ ଦେଇ ଗଲା ବେଳେ ହୋହାଲ୍ଲା କରି ନାହାନ୍ତି।
ସେହିପରି ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ ସବୁ ସ୍ଥାନ ହେଉଛି ୧୪୪ ଧାରା ଅଞ୍ଚଳ। ସଚିବାଳୟ ଓ ବିଧାନସଭା ଦେଇ ଗଲା ବେଳେ ଛାତ୍ରଛାତ୍ରୀମାନେ କୌଣସି ବିଶୃଙ୍ଖଳା କରି ନାହାନ୍ତି। ଅନ୍ୟମାନଙ୍କ ପରି ସେମାନେ ବି ସେହି ରାସ୍ତାରେ ଯାଇଥିଲେ। ସେହି ରାସ୍ତାରେ ସେମାନେ ଗଲା ବେଳେ ଅନ୍ୟ କୌଣସି ପଥଚାରୀଙ୍କର ଅସୁବିଧା ହୋଇନାହିଁ। ମନ୍ତ୍ରୀ ମାରାଣ୍ଡି ଆହୁରି ମଧ୍ୟ କହିଛନ୍ତି ଯେ ସେ ସେହି ବାଟରେ ଗଲା ବେଳେ କାହାକୁ ଡାକି ନଥିଲେ। ଲୋକେ ସ୍ୱତଃସ୍ଫୃର୍ତ୍ତ ଭାବେ ତାଙ୍କ ସହିତ ସାମିଲ ହୋଇଥିଲେ।
ବିଜେଡି ବିଧାୟକ ତଥା ମୁଖ୍ୟପାତ୍ର ସମୀର ଦାଶ କହିଛନ୍ତି ଯେ ୧୪୪ ଧାରା ଜାରି ଅଞ୍ଚଳରେ ଶୋଭାଯାତ୍ରା କରିବା ଠିକ୍ ନୁହେଁ। କିନ୍ତୁ ବିଜୁ ଛାତ୍ର ଜନତା ଦଳର ଛାତ୍ରଛାତ୍ରୀମାନେ ଉକ୍ତ ଅଞ୍ଚଳରେ ଶୋଭାଯାତ୍ର କରି ନାହାନ୍ତି। ସେମାନେ କେବଳ ସେହିବାଟ ଦେଇ ଯାଉଥିଲେ। ତାକୁ ଶୋଭାଯାତ୍ରା ବୋଲି କୁହାଯାଉଛି। କିନ୍ତୁ ପ୍ରକୃତରେ ପିଲାଏ ଶୋଭାଯାତ୍ରା କରି ନ ଥିଲେ।
ଅନ୍ୟପକ୍ଷରେ ୧୪୪ ଧାରା ଜାରି ଅଞ୍ଚଳରେ ଶୋଭାଯାତ୍ରାକୁ ସମାଲୋଚନା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାର ଦୋହରା ମାପକାଠି ବ୍ୟବହାର କରୁଛନ୍ତି। ସରକାରୀ ଦଳ ପାଇଁ ଗୋଟିଏ ଓ ବିରୋଧୀ ଦଳ ପାଇଁ ଗୋଟିଏ। ତାଙ୍କରି ଦଳର କର୍ମୀ ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନାହିଁ। କିନ୍ତୁ ଆଉ କେହି କଲେ ତାହା ବେଆଇନ ହେଇଯାଉଛି।
ସେହିପରି କଂଗ୍ରେସ ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି ଯେ ଏହି ଘଟଣା ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ନିଜେ ଆଇନଶୃଙ୍ଖଳା ବିଭାଗକୁ ନିଜ ହାତରେ ରଖିଛନ୍ତି। କିନ୍ତୁ ତାଙ୍କରି କର୍ମୀ ଆଇନ ଭାଙ୍ଗୁଛନ୍ତି। ତାହା ପୁଣି ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ। ବିରୋଧୀ ଦଳ ୧୪୪ ଧାରା ଜାରି ଅଞ୍ଚଳରେ ନିୟମ ଭାଙ୍ଗି ଥିଲେ ସରକାର କ’ଣ ଛାଡ଼ି ଦେଇ ଥାଆନ୍ତେ? ଏଣୁ ନିୟମ ଭାଙ୍ଗି ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।