ପାଣ୍ଡିଆନ୍‌ଙ୍କ ପଛେ ପଛେ...

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): କୌଣସି ଫିଲ୍ମ ଯଦି ପରଦାକୁ ଆସିଲା, ତେବେ ସାଧାରଣ ଦର୍ଶକ ତାକୁ ହିରୋ ହିରୋଇନ୍‌ଙ୍କ ଦୃଷ୍ଟିକୋଣରୁ ତଉଲନ୍ତି। ପ୍ରଥମେ ଦେଖନ୍ତି, ହିରୋ କିଏ ବା ହିରୋଇନ୍ କିଏ। କେହି ନିର୍ଦ୍ଦେଶକ କଥା ପଚାରନ୍ତି ନାହିଁ। ସେମିତି, କୌଣସି ଯାତ୍ରା ନାଟକକୁ ଲୋକମାନେ ତା ନାଁରୁ କଳନା କରନ୍ତି। ଯେଉଁ ଯାତ୍ରା ନାଟକର ନାଁ ଯେତେ ନାଟକୀୟ, ତାହା ସେତେ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରେ। ଏ କଥା ଏଠି ଅବତାରଣା କରିବାର କାରଣ […]

PANDIAN-1

Rakesh Mallick
  • Published: Friday, 12 January 2018
  • , Updated: 13 January 2018, 08:49 AM IST

ଭୁବନେଶ୍ୱର (ଅମରେଶ ବିଶ୍ୱାଳ): କୌଣସି ଫିଲ୍ମ ଯଦି ପରଦାକୁ ଆସିଲା, ତେବେ ସାଧାରଣ ଦର୍ଶକ ତାକୁ ହିରୋ ହିରୋଇନ୍‌ଙ୍କ ଦୃଷ୍ଟିକୋଣରୁ ତଉଲନ୍ତି। ପ୍ରଥମେ ଦେଖନ୍ତି, ହିରୋ କିଏ ବା ହିରୋଇନ୍ କିଏ। କେହି ନିର୍ଦ୍ଦେଶକ କଥା ପଚାରନ୍ତି ନାହିଁ। ସେମିତି, କୌଣସି ଯାତ୍ରା ନାଟକକୁ ଲୋକମାନେ ତା ନାଁରୁ କଳନା କରନ୍ତି। ଯେଉଁ ଯାତ୍ରା ନାଟକର ନାଁ ଯେତେ ନାଟକୀୟ, ତାହା ସେତେ ଅଧିକ ଦର୍ଶକଙ୍କୁ ଆକୃଷ୍ଟ କରେ। ଏ କଥା ଏଠି ଅବତାରଣା କରିବାର କାରଣ ହେଲା, କୌଣସି ରାଜ୍ୟକୁ ଗଲେ, ଆମେ ଆଗ ପଚାରୁ ସେଠି ମୁଖ୍ୟମନ୍ତ୍ରୀ କିଏ। କେଉଁ ଦଳ ଶାସନରେ ଅଛି। କେହି କେବେ ପଚାରେ ନାହିଁ ସେଠି କେଉଁ ଆଇଏଏସ୍ ଅଫିସର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବ ଅଛନ୍ତି।

ଓଡ଼ିଶାରେ ସ୍ଥିତି ଏବେ ସେମିତି ହୋଇଛି। ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କ ଭିତରୁ ପ୍ରାୟ ୪ କୋଟି ଲୋକ ନିଶ୍ଚୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାଣିଥିବେ, ତାଙ୍କ ନାଁ ଜାଣିଥିବେ। କିନ୍ତୁ କେତେ ଲୋକ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଜାଣିଥିବେ? ଅନୁମାନ କରି କହିହେବ ଯେ, ଓଡ଼ିସାର ୩ କୋଟି ଲୋକ ‘ପାଣ୍ଡିଆନ୍’ ଶବ୍ଦଟି ଜାଣିଥିବେ। ତେବେ କିଏ ଏହି ପାଣ୍ଡିଆନ୍?

କୌତୂହଳ ବଶତଃ ଗୁଗୁଲରେ ମୁଁ ସର୍ଚ୍ଚ କଲି ‘ପାଣ୍ଡିଆନ୍’ ଶବ୍ଦକୁ ନେଇ। ସେଥିରେ ଆସିଲା ୩ଟି ଫଳାଫଳ। ଫଳାଫଳ-୧: ୧୫ଶହ ଶତାବ୍ଦୀରେ ଦକ୍ଷିଣ ଭାରତରେ ରାଜୁତି କରୁଥିଲେ ‘ପାଣ୍ଡିଆନ୍ ସାମ୍ରାଜ୍ୟ’ର ସମ୍ରାଟମାନେ। ଫଳାଫଳ-୨: ତାମିଲନାଡୁରେ ‘ପାଣ୍ଡିଆନ୍’ ନାମକ ଜଣେ ଲୋକପ୍ରିୟ ଅଭିନେତା ଥିଲେ, ଯିଏ କି ପରେ ରାଜନୀତିକୁ ବି ଆସିଥିଲେ। ୧୯୫୯ ମସିହା ଜାନୁଆରୀ ୫ ତାରିଖରେ ଜନ୍ମିତ ପାଣ୍ଡିଆନ୍‌ଙ୍କର ୨୦୦୮ ଜାନୁଆରୀ ୧୦ ତାରିଖରେ ଦେହାନ୍ତ ହୋଇଥିଲା। ଫଳାଫଳ-୩: ସେହିପରି ‘ପାଣ୍ଡିଆନ୍’ ହେଉଛି ତାମିଲନାଡୁର ଏକ ଲୋକପ୍ରିୟ ଚଳଚ୍ଚିତ୍ର, ଯାହା ରିଲିଜ୍ ହୋଇଥିଲା ୧୯୯୨ ମସିହାରେ। ଏହାର ହିରୋ ହେଉଛନ୍ତି ଲୋକପ୍ରିୟ ଅଭିନେତା ରଜନୀକାନ୍ତ।

ବର୍ତ୍ତମାନେ ଏହି ତାଲିକାରେ ଆଉଜଣେ ପାଣ୍ଡିଆନଙ୍କ ନାଁ ଯୋଡ଼ି ହୋଇଛି। ସେ ହେଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍। ୨୦୦୦ ମସିହା ବ୍ୟାଚ୍‌ର ଏହି ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସରଙ୍କ ପୈତୃକ ରାଜ୍ୟ ହେଲା ତାମିଲନାଡୁ। ବିଭିନ୍ନ ସମୟରେ ସେ ଓଡ଼ିଶାର କିଛି ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ। କିନ୍ତୁ ସେ ଯେତେବେଳେ ଗଂଜାମ ଜିଲ୍ଲାପାଳ ଥିଲେ ସେତେବେଳେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ହେବାର ସୁଯୋଗ ପାଇଲେ। ଏହାର କାରଣ ଥିଲା, ଗଂଜାମ ହେଉଛି ନବୀନଙ୍କ ରାଜନୈତିକ ପଡ଼ିଆ। ସ୍ୱଭାବିକତଃ ସେଠି ଯିଏ ଜିଲ୍ଲାମୁଖ୍ୟ ରହିବେ, ସେ ସିଧାସଳଖ ନବୀନଙ୍କ ଇଙ୍ଗିତରେ କାମ କରିବାକୁ ବାଧ୍ୟ। ଆଗରୁ ବି କିଛି ଜିଲ୍ଲାପାଳ ସେଠି ଥିଲେ, କିନ୍ତୁ ସଂଯୋଗ ବଶତଃ ପାଣ୍ଡିଆନ୍ ବାବୁଙ୍କୁ ନବୀନ ଅଧିକ ବିଶ୍ୱାସ କଲେ ଓ ଏହାର ଫଳ ସ୍ୱରୂପ ୨୦୧୧ ମସିହା ମେ ୨ ତାରିଖରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ବା ପ୍ରାଇଭେଟ୍ ସେକ୍ରେଟାରି ଭାବେ ନିଯୁକ୍ତି ପାଇଲେ। ତା ପରଠାରୁ ପାଣ୍ଡିଆନ୍ ବାବୁଙ୍କ ପ୍ରଭାବ ଧୀରେ ଧୀରେ ବଢ଼ି ଚାଲିଛି। ସ୍ଥିତି ଏମିତି ଯେ, ପାଣି ଏବେ ବେକ ଧରିଲାଣି।

ରାଜ୍ୟର ଦୁଇଜଣ ବରିଷ୍ଠ ବିଜେଡି ନେତା ସାଂସଦ ବୈଜୟନ୍ତ ପଣ୍ଡା  ଓ ପୂର୍ବତନ ବିଧାୟକ ରମାରଂଜନ ବଳିଆରସିଂହ ପ୍ରଥମଥର ପାଇଁ ରାଜ୍ୟ ଶାସନର ‘ମାରୁୱାଡ଼ି ଗଦି’ ପାଲଟିଥିବା ତୃତୀୟ ମହଲାକୁ ଅଙ୍ଗୁଳି ଦେଖାଇଛନ୍ତି। ଅଙ୍ଗୁଳି କେବଳ ମହଲା ଉପରେ ନାହିଁ, ଅଛି ତାମିଳ ବାବୁ ପାଣ୍ଡିଆନଙ୍କ ଉପରେ। ଆଗରୁ ବି ବହୁତ ବିଜେଡି ନେତା ‘ମନେମନେ’ ପାଣ୍ଡିଆନଙ୍କ ପ୍ରଭାବ ସଂପର୍କରେ ଆଲୋଚନା କରିଛନ୍ତି। କିନ୍ତୁ କାହା ଜିଭରେ ହାଡ଼ ନଥିଲା ତାଙ୍କ ନାଁଟା ଖୋଲିକି କହିବାକୁ। ନିଜ ସ୍ୱାର୍ଥ ପାଇଁ ହେଉ ବରଂ ଏ ଦୁଇ ନେତା ନାଁ ଧରିଲେ।

ଠିକ୍ ଏକା ଅବସ୍ଥା ଥିଲା, ଯେତେବେଳେ ପ୍ୟାରୀମୋହନ ମହାପାତ୍ରଙ୍କ ପ୍ରଭାବ ଶିଖର ଛୁଇଁଥିଲା। ଅଙ୍କଲଙ୍କ ଇଙ୍ଗିତ ନମିଳିଲେ ବିଜେଡି ଶାସନରେ ପତ୍ର ହଲୁନଥିଲା। ବାବୁ ପ୍ୟାରୀମୋହନଙ୍କ ନାଁ କହିଲେ, ବିଜେଡି ନେତାଏ ଚୁପୁଚୁପୁ କରି କଥା କହୁଥିଲେ। ଏବେ ସେଇମିତି ପାଣ୍ଡିଆନଙ୍କ ନାଁ କହିଲେ ବିଜେଡି ନେତାଙ୍କ ଛେରୁଆ ଅବସ୍ଥା। ପ୍ୟାରୀବାବୁ ପରବର୍ତ୍ତୀ ସମୟରେ ସଂପୂର୍ଣ୍ଣ ରାଜନୀତିକୁ ଆସି ଯାଇଥିଲେ। ପାଣ୍ଡିଆନ୍ ବାବୁ କିନ୍ତୁ ନିଜ ପ୍ରଶାସନିକ କାମ ସହ ବିଜେଡି କାର୍ଯ୍ୟ ବି ବୁଝୁଛନ୍ତି ବୋଲି ଅଭିଯୋଗ ହୋଇଛି। ରମାରଂଜନ ବଳିଆରସିଂହ ତ କହିଛନ୍ତି, ପାଣ୍ଡିଆନ୍ ବାବୁ କାଳେ ବିଜେଡିର ଟିକେଟ୍‌ ବଣ୍ଟନ କରିଥିଲେ ଓ ଦଳ ପାଇଁ ଚାନ୍ଦା ମଧ୍ୟ ସଂଗ୍ରହ କରୁଛନ୍ତି।

ତଥ୍ୟାଭିଜ୍ଞ ମହଲରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଜେଡି ନେତାଏ ନବୀନ ବାବୁଙ୍କ ପାଖକୁ କୌଣସି ଦଳୀୟ କାର୍ଯ୍ୟରେ ଗଲେ, ସେ କାଳେ ସେମାନଙ୍କୁ ଇଂରାଜୀରେ କହନ୍ତି ‘ଆସ୍କ ମିଷ୍ଟର ପାଣ୍ଡିଆନ୍’। ଜଣେ ସାଧାରଣ ଲୋକ ହିସାବରେ ଦେଖିଲେ ଏହା ଅନୁମାନ କରିହେଉଛି ଯେ, ବୟସାଧିକ୍ୟ ପାଇଁ ନବୀନ ବାବୁ ସବୁକଥା ଠିକ୍‌ରେ ବୁଝାବୁଝି କରିବା ସମ୍ଭବ ନୁହେଁ। ତା ପରେ ତାଙ୍କ ଶରୀରର ସୁସ୍ଥତା ବିଷୟ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ଏ ସବୁ କାରଣରୁ ସେ ଯେ ରାଜ୍ୟର ସବୁ କଥା ନିଜେ ବୁଝିପାରିବେ ତାହା କେବେ ସମ୍ଭବ ନୁହେଁ। ତେଣୁ ବ୍ୟକ୍ତିଗତ ସଚିବ ହିସାବରେ ପାଣ୍ଡିଆନ୍ ବାବୁ ତାଙ୍କ କାମ ସବୁ ବୁଝୁଛନ୍ତି। ଏଥିରେ କିଛି ଅସୁବିଧା ନାହିଁ। କିନ୍ତୁ ଜଣେ ସରକାରୀ ଆଇଏଏସ୍ ଅଫିସର ଦଳୀୟ କାମ ବୁଝିବାଟା ଠିକ୍ ଲାଗୁନି। କଥାଟା ‘ଜଗୁଆଳି ନିଜକୁ ପରିବା ବାଡ଼ିର ମାଲିକ ବୋଲି କହିବା’ ଭଳିଆ ହେଲାଣି।

ତେବେ ପାଣ୍ଡିଆନ ବାବୁଙ୍କ ଦକ୍ଷତା ଉପରେ ଆମର କୌଣସି ସନ୍ଦେହ ନାହିଁ। ଏତେ କମ୍ ବୟସର ଅଫିସର ଜଣେ ବହୁ ବରିଷ୍ଠଙ୍କୁ ‘ଶିମିଳି ତୁଳା’ ପରି ଉଡ଼େଇ ଦେଇ ନିଜକୁ ‘ଶିଳିପୁଆ’ ବୋଲି ପ୍ରମାଣିତ କରିଥିବା ଅଫିସର, ନିଶ୍ଚିତ ଭାବରେ ବୁଦ୍ଧିଆ। ଗଂଜାମରେ ଜିଲ୍ଲାପାଳ ଥିଲାବେଳେ ତାଙ୍କର କିଛି କରାମତି ସଂପର୍କରେ ଆମ ପାଖରେ ଖବର ଅଛି। କିନ୍ତୁ ଲକ୍ଷ୍ମଣରେଖା ଡେଇଁବାଟା ତାଙ୍କ ପକ୍ଷେ ଅନୁଚିତ ମନେହେଉଛି। ବିଜେଡିର କିଛି ନେତା ବି କେମିତି ତାଙ୍କ ‘ପାଦ ସୁନ୍ଦର’ ‘ନାକ ସୁନ୍ଦର’ କରି ତେଲ ମାରନ୍ତି ସେ ଖବର ବି ଆମ ପାଖରେ ଅଛି। ତେବେ ଅଧିକ ଖବର ଆସନ୍ତା ଲେଖାରେ ପ୍ରକାଶ ପାଇବ।

Related story