‘ଅପହରଣ ନୁହେଁ, ମାଓ ଭୟରେ ପଳାଇ ଆସିଛନ୍ତି ନିର୍ବାଚନ ଅଧିକାରୀ’

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ୫ଟି ପଞ୍ଚାୟତରୁ ୫ ଜଣ ନିର୍ବାଚନ ଅଧିକାରୀଙ୍କ ସମେତ ୬ ଜଣଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହା ମାଓବାଦୀଙ୍କ ଦ୍ୱାରା ଅପହରଣ ନୁହେଁ, ମାଓବାଦୀଙ୍କ ଭୟରେ ଏହି କର୍ମଚାରୀମାନେ ଲୁଚି ପଳାଇ ଆସିଥିବା ମାଲକାନଗିରି ଏସ୍‌ଡିପିଓ ରାହୁଲ ପିଆର ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି,“୩ ଜଣ କର୍ମଚାରୀ ମାଲକାନଗିରି ଫେରି ଆସିଛନ୍ତି। ଆଉ ୨ ଜଣ ଫେରୁଛନ୍ତି। ସମସ୍ତେ ସୁରକ୍ଷିତ ଅଛନ୍ତି। ମାଓବାଦୀମାନଙ୍କ ପକ୍ଷରୁ ସେମାନଙ୍କୁ କୌଣସି […]

sdpo

Rakesh Mallick
  • Published: Friday, 13 January 2017
  • , Updated: 01 February 2017, 04:36 PM IST

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ୫ଟି ପଞ୍ଚାୟତରୁ ୫ ଜଣ ନିର୍ବାଚନ ଅଧିକାରୀଙ୍କ ସମେତ ୬ ଜଣଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହା ମାଓବାଦୀଙ୍କ ଦ୍ୱାରା ଅପହରଣ ନୁହେଁ, ମାଓବାଦୀଙ୍କ ଭୟରେ ଏହି କର୍ମଚାରୀମାନେ ଲୁଚି ପଳାଇ ଆସିଥିବା ମାଲକାନଗିରି ଏସ୍‌ଡିପିଓ ରାହୁଲ ପିଆର ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି,“୩ ଜଣ କର୍ମଚାରୀ ମାଲକାନଗିରି ଫେରି ଆସିଛନ୍ତି। ଆଉ ୨ ଜଣ ଫେରୁଛନ୍ତି। ସମସ୍ତେ ସୁରକ୍ଷିତ ଅଛନ୍ତି। ମାଓବାଦୀମାନଙ୍କ ପକ୍ଷରୁ ସେମାନଙ୍କୁ କୌଣସି ଧମକ ମିଳି ନ ଥିଲା। ଭୟରେ ସେମାନେ ପଳାଇ ଆସିଛନ୍ତି। ୫ ନିର୍ବାଚନ ଅଧିକାରୀଙ୍କ ସହ ଅପହରଣ ହୋଇଛନ୍ତି ବୋଲି କୁହାଯାଉଥିବା ଯୋଡ଼ାଆମ୍ବ ଗାଁ ମୁଖିଆଙ୍କ ପୁଅ ମନୋରଞ୍ଜନ ସୀସା ମଧ୍ୟ ସୁରକ୍ଷିତ ଅଛନ୍ତି।

ସୂଚନାଯୋଗ୍ୟ, ୨ ଦିନ ହେବ ଏହି କର୍ମଚାରୀମାନେ କାର୍ଯ୍ୟସ୍ଥଳକୁ ଯାଇଥିଲେ। ୨ ଦିନ ମଧ୍ୟରେ କେହି ନାମାଙ୍କନପତ୍ର ଦାଖଲ କରି ନ ଥିଲେ। ସ୍ଥାନୀୟ ଲୋକେ କେହି ଭୋଟ ଦେବେ ନାହିଁ ବୋଲି ନିର୍ବାଚନ ଅଧିକାରୀମାନଙ୍କୁ କହିଥିଲେ।

ପଳାଇ ଆସିଥିବା ୫ ନିର୍ବାଚନ ଅଧିକାରୀମାନେ ହେଲେ ଲିଙ୍ଗରାଜ ମାଝି, ପୁରୁଷୋତ୍ତମ ବେହେରା, ହୃଷିକେଶ ନାୟକ, କାମିନୀକାନ୍ତ ସିଂ, ପ୍ରବୀଣ ସୋରେନ। ଏମାନେ ଚିତ୍ରକୋଣ୍ଡାର ବିଚ୍ଛିନ୍ନାଞ୍ଚଳର ପଣସପୁଟ, ଯନ୍ତ୍ରୀ, ଗାଜଲ ମାମୁଡ଼ି, ଯୋଡ଼ାଆମ୍ବ, ଅଣ୍ଡରାପାଲ୍ଲୀ ପଞ୍ଚାୟତରେ ନାମାଙ୍କନପତ୍ର ଗ୍ରହଣ କରିବା ପାଇଁ ନିର୍ବାଚନ ଅଧିକାରୀ ଭାବେ ଯାଇଥିଲେ।

ପ୍ରଥମେ ଲିଙ୍ଗରାଜ ଆସି ମାଲକାନଗିରିରେ ପହଞ୍ଚି ଥିଲେ। ସେ ଯନ୍ତ୍ରୀ ପଞ୍ଚାୟତ ପାଇଁ ନିର୍ବାଚନ ଅଧିକାରୀ ଭାବେ ଯାଇଥିଲେ। ସେ କହିଥିଲେ,“ଗ୍ରାମବାସୀ କି ଅନ୍ୟ କାହା ପାଖରୁ କିଛି ଧମକ ପାଇ ନ ଥିଲି। ମୁଁ ରହୁଥିବା ସ୍କୁଲ ଆଖପାଖରେ ମାଓବାଦୀମାନେ ରହୁଥିବା ଶୁଣିବାକୁ ପାଇଥିଲି। ଏହା ଶୁଣିବା ପରେ ମୁଁ ବହୁତ ଡରି ଯାଇଥିଲି। ୨ଦିନ ରହିଲି କେହି ନାମାଙ୍କନପତ୍ର ଦାଖଲ କରିବାକୁ ମଧ୍ୟ ଆସିଲେ ନାହିଁ। ରାତିରେ ଶୋଇବା ବେଳେ କିଛି ଶଦ୍ଦ ହେଲେ ମାଓବାଦୀମାନେ ଆସିଗଲେ ବୋଲି ଭାବି ଡରି ଯାଉଥିଲି। ତେଣୁ ମୁଁ ସେଠାରୁ ପଳାଇ ଆସିଲି।”

ଏହି ୫ ନିର୍ବାଚନ ଅଧିକାରୀଙ୍କ ସହ ମନୋରଞ୍ଜନଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିବା ଖବର ଆଜି ସକାଳେ ପ୍ରଚାରିତ ହୋଇଥିଲା। ଏପରିକି ସେମାନଙ୍କୁ ସିମିଳିପଦରରେ ପ୍ରଜାକୋର୍ଟରେ ହାଜର କରାଯାଇଥିବା ମଧ୍ୟ ଶୁଣିବାକୁ ମିଳିଥିଲା। ଏହି ଖବର ଆସିବା ପରେ ରାଜ୍ୟ ନିର୍ବାଚନ କମିଶନ ମାଲକାନଗିରି ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଥିଲେ।

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମାରେ ମାଓବାଦୀମାନେ ପୋଷ୍ଟର ମାରି ନିର୍ବାଚନରୁ ନିବୃତ୍ତ ରହିବାକୁ ଆଦିବାସୀମାନଙ୍କୁ ଧମକ ଦେଇଥିଲେ। ଯିଏ ପ୍ରାର୍ଥୀ ହେବ ତାକୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ଓ ଭୋଟ୍ ଦେଲେ ବୁଢ଼ା ଆଙ୍ଗୁଠି କାଟି ଦିଆଯିବ ବୋଲି ସେମାନେ ଧମକ ଦେଇଥିଲେ।

Related story