ଆସନ୍ତାକାଲି ବିଜେଡିର କାର୍ଯ୍ୟକର୍ତ୍ତା ବୈଠକ, କେନ୍ଦ୍ର ଅବହେଳା ମୁଖ୍ୟ ପ୍ରସଙ୍ଗ

ଭୁବନେଶ୍ୱର: ଆସନ୍ତାକାଲି ବସିବ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକର୍ତ୍ତା ବୈଠକ। ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟରେ ଦଳର ସ୍ଥିତି ଖରାପ ହୋଇଥିବାରୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହାକୁ ସୁଧାରିବାକୁ ବୈଠକରେ ଆଲୋଚନା କରାଯିବ। ବିଶେଷ କରି କେନ୍ଦ୍ର ଅବହେଳାକୁ ଆୟୁଧ କରି ଦଳ ତା’ର ରଣନୀତି ପ୍ରସ୍ତୁତ କରିବ। ମୁଖ୍ୟମନ୍ତ୍ରୀ ଓ ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକକୁ ଦଳ ଗୁରୁତ୍ୱର ସହ ନେଇଛି। ଲୋକଙ୍କ ମନ ଜିଣିବା ଓ ସେମାନଙ୍କ ବିଶ୍ୱାସକୁ […]

bjd

Rakesh Mallick
  • Published: Saturday, 09 July 2016
  • , Updated: 10 July 2016, 08:15 AM IST

ଭୁବନେଶ୍ୱର: ଆସନ୍ତାକାଲି ବସିବ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକର୍ତ୍ତା ବୈଠକ। ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟରେ ଦଳର ସ୍ଥିତି ଖରାପ ହୋଇଥିବାରୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହାକୁ ସୁଧାରିବାକୁ ବୈଠକରେ ଆଲୋଚନା କରାଯିବ। ବିଶେଷ କରି କେନ୍ଦ୍ର ଅବହେଳାକୁ ଆୟୁଧ କରି ଦଳ ତା’ର ରଣନୀତି ପ୍ରସ୍ତୁତ କରିବ।

ମୁଖ୍ୟମନ୍ତ୍ରୀ ଓ ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକକୁ ଦଳ ଗୁରୁତ୍ୱର ସହ ନେଇଛି। ଲୋକଙ୍କ ମନ ଜିଣିବା ଓ ସେମାନଙ୍କ ବିଶ୍ୱାସକୁ ପୁଣି ଫେରାଇ ଆଣିବାକୁ କିପରି ପ୍ରୟାସ କରାଯିବ ସେ ନେଇ ନବୀନ ତୃଣମୂଳ ସ୍ତରରୁ ରାଜ୍ୟସ୍ତରୀୟ ନେତାଙ୍କୁ କିଛି ପରାମର୍ଶ ଦେବେ ବୋଲି ଜଣାପଡିଛି।

ଆସନ୍ତାକାଲି ବୈଠକ ପୂର୍ବରୁ ଦଳର ହେବିୱେଟ୍‌ ନେତାଙ୍କୁ ନେଇ ଏକ ବୈଠକ ହୋଇଯାଇଛି। ଏଥିରେ ଆସନ୍ତାକାଲିର କାର୍ଯ୍ୟକର୍ତ୍ତା ବୈଠକର ଏଜେଣ୍ଡା, କେଉଁ ପର୍ଯ୍ୟାୟରେ କ’ଣ ଆଲୋଚନା ହେବ, କେନ୍ଦ୍ରୀୟ ଅବହେଳା ସମ୍ପର୍କରେ ଦଳର ଆଭିମୁଖ୍ୟ କ’ଣ ରହିବ ସେ ନେଇ ଆଲୋଚନା ହୋଇଛି। କେଉଁ ବିଭାଗରେ କେନ୍ଦ୍ର କ’ଣ ଅବହେଳା କରିଛି ମୁଖ୍ୟମନ୍ତ୍ରୀ ତାହାର ତଥ୍ୟ ରଖିବେ। ଏହାସହ ରାଜ୍ୟ ସରକାରଙ୍କ ସଫଳ ଯୋଜନା, ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣ, ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉପରେ ରାଜନୈତିକ ଚିଠା ପ୍ରସ୍ତାବ ମଧ୍ୟ ଆସିବ।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, “କେନ୍ଦ୍ର ସରକାର କ’ଣ କହିଥିଲେ ଓ କିପରି ଅବହେଳା କରିଛନ୍ତି ସେ ବିଷୟରେ ଆଲୋଚନା ହେବ। ମହିଳା ଓ ଯୁବକମାନଙ୍କ ଉପରେ ଗୁରୁତ୍ୱ ଦିଆଯିବ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସେ ବିଷୟରେ ଆଲୋଚନା ହୋଇପାରେ, ହେଲେ ତାହା ସାଂଗଠନିକ ପ୍ରସଙ୍ଗରେ ଆସିବ।”

ଡି’ ବ୍ରଦର୍ସ, ଚିଟ୍‌ଫଣ୍ଡ ଲିଙ୍କ, ମୋତିଲାଲଙ୍କ ସହ ମନ୍ତ୍ରୀ ଓ ବିଧାୟକଙ୍କ ସମ୍ପର୍କ, ଚିଟ୍‌ଫଣ୍ଡ ସଂସ୍ଥା ଓସ୍କାର ସହ ସାଂସଦ ଅନୁଭବ ମହାନ୍ତି ଓ ସିଦ୍ଧାନ୍ତ ମହାପାତ୍ରଙ୍କ ସମ୍ପୃକ୍ତି, କାଷ୍ଟିଂ କାଉଚ ଅଭିଯୋଗରେ ପପୁ ପମ୍‌ପମ୍‌ଙ୍କ ଗିରଫଦାରୀ ଓ ବରଗଡ଼ରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାକୁ ନେଇ ଦଳ କାଠଗଡ଼ାରେ ଛିଡା ହୋଇଛି। ଏପରି ସ୍ଥିତିରୁ ମୁକୁଳିବା ଓ ପୁଣି ଲୋକଙ୍କ ମନ ଜିଣିବାକୁ ଏପରି ବୈଠକ ଡକାଯାଇଥିବା ରାଜନୈତିକ ସମୀକ୍ଷକମାନେ କହିଛନ୍ତି।

ବରିଷ୍ଠ ସମ୍ବାଦିକ କେ. ରବି କହିଛନ୍ତି, “ଦଳର ଛବି ସୁଧାରିବା, କର୍ମୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଏପରି ବୈଠକ ବସୁଛି। କେନ୍ଦ୍ର ବିରୋଧରେ କିପରି ଜୋରଦାର ସ୍ୱର ଉତ୍ତୋଳନ କରି ହେବ ସେ ନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାପଡୁଛି।”

Related story