କାଲି ନଗଡ଼ା ଯିବ କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ଭୁବନେଶ୍ୱର: ଯାଜପୁର ଜିଲ୍ଲା ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବା ପାଇଁ ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର  କଲ୍ୟାଣ ମନ୍ତ୍ରଣାଳୟର ଏକ ୫ ଜଣିଆ ଟିମ୍ ନଗଡ଼ା ଗସ୍ତ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଚେତନ ସାଙ୍ଗିଙ୍କ ନେତୃତ୍ୱରେ ଏହି କେନ୍ଦ୍ରୀୟ ଟିମ୍‌ ଆସୁଛି। ଅନୁଧ୍ୟାନକାରୀ ଦଳରେ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଅବଦେଶ କୁମାର, ଶିଶୁ ଡାକ୍ତର ପ୍ରବୀଣ କୁମାର ଓ ଡାକ୍ତର ଅରୁଣ ସିଂହ ଅଛନ୍ତି। ଏହି […]

nagada

Rakesh Mallick
  • Published: Sunday, 31 July 2016
  • , Updated: 01 August 2016, 08:08 AM IST

ଭୁବନେଶ୍ୱର: ଯାଜପୁର ଜିଲ୍ଲା ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣାର ଅନୁଧ୍ୟାନ କରିବା ପାଇଁ ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର  କଲ୍ୟାଣ ମନ୍ତ୍ରଣାଳୟର ଏକ ୫ ଜଣିଆ ଟିମ୍ ନଗଡ଼ା ଗସ୍ତ କରିବ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଚେତନ ସାଙ୍ଗିଙ୍କ ନେତୃତ୍ୱରେ ଏହି କେନ୍ଦ୍ରୀୟ ଟିମ୍‌ ଆସୁଛି। ଅନୁଧ୍ୟାନକାରୀ ଦଳରେ ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଅବଦେଶ କୁମାର, ଶିଶୁ ଡାକ୍ତର ପ୍ରବୀଣ କୁମାର ଓ ଡାକ୍ତର ଅରୁଣ ସିଂହ ଅଛନ୍ତି।

ଏହି ଟିମ୍‌ ନଗଡା ଗାଁ ବୁଲି ଅପପୁଷ୍ଟି ଜନିତ ଶିଶୁ ମଡ଼କ ଘଟଣାର ତଥ୍ୟ ସଂଗ୍ରହ କରିବ। ଏହାପରେ ଟିମ୍‌ କେନ୍ଦ୍ରକୁ ତାର ରିପୋର୍ଟ ପ୍ରଦାନ କରିବ। ଏହି ଗସ୍ତ ଅବସରରେ  ଆସନ୍ତା ୩ ତାରିଖରେ ଟିମ୍‌ର ସଦସ୍ୟମାନେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ନଗଡ଼ା ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡି ଟିମ୍‌ ପଠାଇବାକୁ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ଚିଠି ଲେଖିଥିଲେ।

ନଗଡାକୁ ନେଇ ଚିନ୍ତାପ୍ରକଟ କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ। ନଗଡାରେ କାହିଁକି ଶିଶୁ ମଡକ ହେଲା ଓ ଏହା ପରେ ସରକାର କ’ଣ କରିଛନ୍ତି ତା’ର ତଥ୍ୟ ମାଗିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ। ୧୦ ଦିନ ମଧ୍ୟରେ ଏହି ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ଏନେଇ କମିଶନ ସଦସ୍ୟା ପ୍ରିୟଙ୍କା କାନୁନ୍‌ଗୋ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠି ପାଇବା ପରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଯାଜପୁର ଜିଲ୍ଲାପାଳଙ୍କୁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଜଣାଇବାକୁ କହିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଖରେ ବି ନଗଡାର ସବିଶେଷ ତଥ୍ୟ ନାହିଁ। ଗଣମାଧ୍ୟମର ରିପୋର୍ଟକୁ ଆଧାର କରି ଗତ ୨୦ ତାରିଖ ଦିନ ମହିଳା ଓ ଶିଶୁ କଲ୍ୟାଣ ସଚିବଙ୍କୁ ନଗଡା ବିଷୟରେ ୩ ଦିନରେ ତଥ୍ୟ ଦେବାକୁ କହିଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ତଥ୍ୟ ପାଇନାହିଁ। ଗତକାଲି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଯାଜପୁର ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ ତୁରନ୍ତ ତଥ୍ୟ ଦେବାକୁ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ଅପପୁଷ୍ଟିରେ ୨୦ ଶିଶୁଙ୍କ ମୃତ୍ୟୁ ଓ ଏହାପରେ ରାଜନୀତି ହେଉଥିଲେ ମଧ୍ୟ ସରକାର ନଗଡାର ତଥ୍ୟ ସଂଗ୍ରହ କରିପାରି ନାହାନ୍ତି। ଏହାକୁ ନେଇ ବିରୋଧୀଙ୍କର ସମାଲୋଚନାର ଶରବ୍ୟ ହୋଇଛନ୍ତି ସରକାର।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ନଗଡା ଗାଁ ରାଜ୍ୟ ସରକାରଙ୍କ ବିକାଶର କଥା କହୁଛି। ରାଜ୍ୟରେ ଥିବା ୩ କୋଟି ୨୦ଲକ୍ଷ ଜନସଧାରଣଙ୍କ ମଧ୍ୟରୁ ୧ କୋଟି ୪୦ ଲକ୍ଷ ଲୋକ ଆଜି ରାଜ୍ୟରେ ଅପପୁଷ୍ଟିର ଶିକାର। ଏ ହେଉଛି ଗୋଟିଏ ବେମାରିଆ ସରକାର।”

କଂଗ୍ରେସର ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି। ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି, “ରାଜ୍ୟରେ ଅପପୁଷ୍ଟି କିପରି ଦୂର ହେବ ଓ କିପରି ମା ଓ ଶିଶୁ ରକ୍ତହୀନତାର ଶିକାର ନ ହେବେ ସେ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ନଗଡାକୁ ନେଇ ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି ସେମାନେ ତାଙ୍କ କାର୍ଯ୍ୟରେ ବିଫଳ ହେବେ।”

Related story