ଭିନ୍ନ ଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣ: ୪ ମୃତ

ଜଗତସିଂହପୁର/ପୁରୀ: ଆଜି  ରାଜ୍ୟର ଦୁଇଟି ପୃଥକ ପୃଥକ ସ୍ଥାନରେ ବାଣ ବିସ୍ଫୋରଣ ଘଟି ଚାରି ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଚାରି ଜଣଙ୍କ ମଧ୍ୟରେ ୩ ଜଣ ମହିଳା ରହିଥିବା ବେଳେ ଜଣେ ପୁରୁଷ ଅଛନ୍ତି। ଗୋଟିଏ ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟଟି ଘଟିଛି ପୁରୀରେ। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଣ୍ଟି ଗାଁରେ ଏକ ବେଆଇନ୍ ବାଣ କାରଖାନାରେ ବିସ୍ଫୋରଣ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏ ଦୁଇ ଜଣ […]

puri and jagshingpur-kracker-blast

Rakesh Mallick
  • Published: Thursday, 05 November 2015
  • , Updated: 05 November 2015, 10:34 AM IST

ଜଗତସିଂହପୁର/ପୁରୀ: ଆଜି  ରାଜ୍ୟର ଦୁଇଟି ପୃଥକ ପୃଥକ ସ୍ଥାନରେ ବାଣ ବିସ୍ଫୋରଣ ଘଟି ଚାରି ଜଣଙ୍କ ମୃତ୍ୟୁ ଘଟିଛି। ମୃତ ଚାରି ଜଣଙ୍କ ମଧ୍ୟରେ ୩ ଜଣ ମହିଳା ରହିଥିବା ବେଳେ ଜଣେ ପୁରୁଷ ଅଛନ୍ତି। ଗୋଟିଏ ଘଟଣା ଜଗତସିଂହପୁର ଜିଲ୍ଲାରେ ଘଟିଥିବା ବେଳେ ଅନ୍ୟଟି ଘଟିଛି ପୁରୀରେ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଣ୍ଟି ଗାଁରେ ଏକ ବେଆଇନ୍ ବାଣ କାରଖାନାରେ ବିସ୍ଫୋରଣ ଘଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏ ଦୁଇ ଜଣ ମା’ ଓ ଝିଅ। ସେମାନଙ୍କ ନାଁ ଝାନସୀରାଣୀ ବିଶ୍ୱାଳ ଓ ଝରଣା। ସେମାନଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି। ଏହା ସହିତ ୩ ବଖରା ଘର ଭୁଶୁଡ଼ି ପଡ଼ିଛି। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ଗାଁ ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ ୩ଟା ବେଳେ ଗାଁର ନରେନ୍ଦ୍ର ବିଶ୍ୱାଳ ଘରେ ଜୋରରେ ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ହିଁ ନରେନ୍ଦ୍ରଙ୍କ ପତ୍ନୀ ଝାନସୀରାଣୀ ଓ ୧୮ ବର୍ଷୀୟ ଝିଅ ଝରଣାଙ୍କ ମୃତ୍ୟୁ ଘଟିଥିଲା। ତେବେ ନରେନ୍ଦ୍ର ବର୍ତ୍ତି ଯାଇଛନ୍ତି। ମା’ଝିଅ ବାଣ ଭିଡ଼ୁଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି।

ଏହି ଗାଁରେ ଅନେକ ବେଆଇନ୍ ବାଣ କାରଖାନା ଚାଲିଥିବା ଅଭିଯୋଗ ହୋଇଛି। ତେବେ ବାଲିକୁଦା ଆଇଆଇସି କହିଛନ୍ତି ଯେ ଘଟଣାର ତଦନ୍ତ କରାଯିବ।

ଅନ୍ୟପକ୍ଷରେ ପୁରୀର ବ୍ରହ୍ମଗିରି ଥାନା ଅନ୍ତର୍ଗତ ନାଉଡ଼ିକେରା ଗାଁରେ ଏକ ଘରେ ବାଣ ବିସ୍ଫୋରଣ ଯୋଗୁଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସତ୍ୟଭାମା ନାୟକ ଓ ରାମଚନ୍ଦ୍ର ସାସମଲ। ସତ୍ୟଭାମା ବାଣ ବିକ୍ରି କରୁଥିଲେ। ରାମଚନ୍ଦ୍ର ବାଣ କିଣିବାକୁ ଆସିଥିଲେ। ତାଙ୍କ ଘର ତନ୍ତିପାଟଣାରେ। ବିସ୍ଫୋରଣ ପରେ ଉଭୟଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ସତ୍ୟଭାମାଙ୍କର ବାଟରେ ହିଁ ମୃତ୍ୟୁ ହୋଇଯାଇଥିଲା। ରାମଚନ୍ଦ୍ର ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ତେବେ ଏଥିରେ ଆଉ କେହି ଆହତ ହୋଇ ନାହାନ୍ତି।

Related story