ଭୁବନେଶ୍ୱର ଷ୍ଟେସନ୍‌ରେ ମାଗଣା ୱାଇ-ଫାଇ ସେବାର ଶୁଭାରମ୍ଭ କଲେ ରେଳମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ଆଜି ମାଗଣା ୱାଇ-ଫାଇ ସେବାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଓ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା। ଆଉ ଏହା ସହିତ ମୁମ୍ବାଇ ସେଣ୍ଟ୍ରାଲ୍ ଷ୍ଟେସନ ପରେ ଏହି ସେବା ଉପଲବ୍ଧ କରାଇବାରେ ଭୁବନେଶ୍ୱର ଦେଶର ଦ୍ୱିତୀୟ ଷ୍ଟେସନ୍ ହେବାର ଗୌରବ ଅର୍ଜନ କରିଛି। ସ୍ମାର୍ଟଫୋନ୍, ଟ୍ୟାବ୍ କିମ୍ବା ଲ୍ୟାପ୍‌ଟପ୍ ବ୍ୟବହାରକାରୀମାନେ ଷ୍ଟେସନ୍‌ରେ ଏହି ମାଗଣା ସେବାର ଫାଇଦା ଉଠାଇ ପାରିବେ। ଯାତ୍ରୀମାନେ ମାଗଣାରେ ସମସ୍ତ […]

pravu

Rakesh Mallick
  • Published: Sunday, 17 April 2016
  • , Updated: 17 April 2016, 10:51 AM IST

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ଆଜି ମାଗଣା ୱାଇ-ଫାଇ ସେବାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଓ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା। ଆଉ ଏହା ସହିତ ମୁମ୍ବାଇ ସେଣ୍ଟ୍ରାଲ୍ ଷ୍ଟେସନ ପରେ ଏହି ସେବା ଉପଲବ୍ଧ କରାଇବାରେ ଭୁବନେଶ୍ୱର ଦେଶର ଦ୍ୱିତୀୟ ଷ୍ଟେସନ୍ ହେବାର ଗୌରବ ଅର୍ଜନ କରିଛି। ସ୍ମାର୍ଟଫୋନ୍, ଟ୍ୟାବ୍ କିମ୍ବା ଲ୍ୟାପ୍‌ଟପ୍ ବ୍ୟବହାରକାରୀମାନେ ଷ୍ଟେସନ୍‌ରେ ଏହି ମାଗଣା ସେବାର ଫାଇଦା ଉଠାଇ ପାରିବେ। ଯାତ୍ରୀମାନେ ମାଗଣାରେ ସମସ୍ତ ପ୍ରକାର ଅଡିଓ ଓ ଭିଡିଓ ଡାଉନ୍‌ଲୋଡ୍ କରିବା ସହିତ ଯାବତୀୟ ଇଣ୍ଟରନେଟ୍ କାମ ପ୍ଲାଟଫର୍ମରେ ବସି କରିପାରିବେ।

ଏହି ଅବସରରେ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଥିଲେ,“ଦେଶରେ ଅଧିକରୁ ଅଧିକ ଲୋକଙ୍କ ୱାଇ-ଫାଇ ସେବା ଯୋଗାଇ ଦେବାକୁ ରେଳବାଇ ଲକ୍ଷ୍ୟ ରଖିଛି। ତେଣୁ ଦେଶର ୪୦୦ଟି ‘ଏ ୱାନ୍’ ଷ୍ଟେସନ୍‌କୁ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ସାମିଲ କରାଯାଇଛି। ସେଥିମଧ୍ୟରୁ ୧୦୦ଟି ଷ୍ଟେସନ୍‌ରେ ୱାଇ-ଫାଇ ସେବା ଚଳିତ ବର୍ଷ ସୁଦ୍ଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ମୁମ୍ବାଇ ସେଣ୍ଟ୍ରାଲ୍ ଷ୍ଟେସନ୍‌ରେ ପ୍ରଥମେ ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା। ଏହା ପରେ ଦେଶର ଦ୍ୱିତୀୟ ସହର ଭାବେ ଆଜି ଭୁବନେଶ୍ୱର ଷ୍ଟେସନରେ ଏହି ମାଗଣା ଦ୍ରୁତ ୱାଇ-ଫାଇ ସେବାର ଶୁଭାରମ୍ଭ କରାଯାଇଛି। ଆମ ସରକାର କେବଳ ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ଭଳି ସ୍ଥାନରେ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଉ ନାହିଁ। ଦେଶର ସମସ୍ତ ବଡ଼ ସହର ସହିତ ଛୋଟ ସହରକୁ ବି ଆମେ ପ୍ରାଧ୍ୟାନ୍ୟ ଦେଉଛୁ। ସେଥିପାଇଁ ଏହି ମାଗଣା ୱାଇ-ଫାଇ କାର୍ଯ୍ୟକ୍ରମରେ ଦ୍ୱିତୀୟ ଷ୍ଟେସନ୍ ଭାବେ ଭୁବନେଶ୍ୱରକୁ ସାମିଲ କରିବାକୁ ଆମେ ନିଷ୍ପତ୍ତି ନେଇଥିଲୁ।”

ସେ କହିଥିଲେ,“ଚଳିତ ବର୍ଷ ୧୦୦ଟି ଷ୍ଟେସନ୍‌ରେ ଯାତ୍ରୀଙ୍କୁ ୱାଇ-ଫାଇ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିରେ ଓଡ଼ିଶାର କଟକ ଓ ପୁରୀ ଷ୍ଟେସନ୍ ବି ଅନ୍ତର୍ଭୁକ୍ତ ଅଛି।”

ଚଳିତ ବର୍ଷ ସୁଦ୍ଧା ବୋଳଗଡ଼କୁ ରେଳ ଲାଇନ୍ କାମ ଶେଷ କରାଯିବ ଓ ୨୦୧୭ ସୁଦ୍ଧା ନୟାଗଡ଼କୁ ରେଳ ଲାଇନ୍ ନିର୍ମାଣ କାର୍ଯ୍ୟ ଶେଷ କରାଯିବ ବୋଲି ସୁରେଶ ପ୍ରଭୁ କହିଥିଲେ। ସେହିପରି ରାଜ୍ୟର ନକ୍ସଲ ପ୍ରଭାବିତ  ଜିଲ୍ଲା ସହିତ ସବୁଠୁ ପଛୁଆ ଅଞ୍ଚଳଗୁଡ଼ିକୁ ଖୁବ୍‌ଶୀଘ୍ର ରେଳ ସଂଯୋଗ କରାଯିବା ନେଇ ସେ ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ସେ ପୂର୍ବର ୟୁପିଏ ସରକାରଙ୍କ ଉପରେ ମଧ୍ୟ ଖୁବ୍ ବର୍ଷି ଥିଲେ।

ସେ କହିଥିଲେ,“ଏମିତି ଅନେକ ରାଜ୍ୟ ଅଛନ୍ତି ଯେଉଁମାନେ ବର୍ଷ ବର୍ଷ ଧରି ପୂର୍ବର କେନ୍ଦ୍ର ସରକାରଙ୍କ ଦ୍ୱାରା ଅବହେଳିତ ହୋଇ ରହି ଥିଲେ। ଓଡ଼ିଶା ମଧ୍ୟ ସେଥିରୁ ଗୋଟିଏ। ୨୦୧୨-୧୩ ଆର୍ଥିକ ବର୍ଷରେ ତତ୍‌କାଳୀନ ସରକାର ଓଡ଼ିଶାକୁ ରେଳ ବଜେଟ୍‌ରେ ଦେଇଥିଲେ ୭୧୯ କୋଟି ଟଙ୍କା। ୨୦୧୩-୧୪ ଆର୍ଥିକ ବର୍ଷରେ ସେହି ସରକାର ଓଡ଼ିଶାକୁ ରେଳ ବଜେଟ୍‌ରେ ୮୧୨ କୋଟି ଟଙ୍କା ଦେଇଥିଲେ। ଓଡ଼ିଶାକୁ କେବେ ବି ୧୦୦୦ କୋଟି ମିଳି ନ ଥିଲା। କିନ୍ତୁ ଆମ ସରକାର ଆସିବା ପରେ ୨୦୧୫-୧୬ରେ ଓଡ଼ିଶାକୁ ପ୍ରଥମେ ରେଳ ବଜେଟ୍‌ରେ ୪,୨୦୦ କୋଟି ଟଙ୍କା ଦିଆଯାଇଥିଲା। ଏବର୍ଷ ଓଡ଼ିଶାକୁ ଆମେ ୬୦୦୦ କୋଟି ଟଙ୍କା ଦେଇଛୁ।”

ସେହିପରି ନର୍ଲାରୁ ପ୍ରସ୍ତାବିତ ୱାଗନ ମରାମତି କାରଖାନା ଉଠିବା ପ୍ରସଙ୍ଗରେ ମଧ୍ୟ ସେ ୟୁପିଏ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ସୁରେଶ କହିଥିଲେ,“ଘୋଷଣା କରି ଦେଲେ କିଛି ହୁଏ ନାହିଁ। ଘୋଷଣାକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟ୍‌ରେ ବ୍ୟବସ୍ଥା କରିବାକୁ ପଡ଼େ। କିନ୍ତୁ ଏନେଇ (ନର୍ଲା ୱାଗନ ମରାମତି କାରଖାନା) ବଜେଟ୍‌ରେ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ତେବେ ଗତକାଲି ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ ଏନେଇ ଆଲୋଚନା କରିଛି। ନର୍ଲାରେ କେଉଁ ପ୍ରକାର କାରଖାନା ପ୍ରତିଷ୍ଠା କରାଯାଇ ପାରିବ ସେ ନେଇ ଏକ ମିଳିତ ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି। ଓଡ଼ିଶାର ମୁଖ୍ୟ ଶାସନ ସଚିବ ଓ ରେଳବାଇର ମହାପ୍ରବନ୍ଧକ ମିଳିତ ଭାବେ ନର୍ଲାରେ କ’ଣ କାରଖାନା ପ୍ରତିଷ୍ଠା କରାଯାଇପାରିବ ସେ ନେଇ ପରାମର୍ଶ ଦେବେ। ଆର୍ଥିକ ଦୃଷ୍ଟିରୁ ସମ୍ଭବ ଓ ବାଣିଜ୍ୟିକ ଦୃଷ୍ଟିରୁ ଲାଭଦାୟକ ହୋଇପାରୁ ଥିବା ଯେକୌଣସି କାରଖାନା ସେଠାରେ ପ୍ରତିଷ୍ଠା କରାଯିବ।”

ଭୁବନେଶ୍ୱର ଷ୍ଟେସନ୍‌ରେ ୱାଇ-ଫାଇ ସେବାର ଶୁଭାରମ୍ଭ ଅବସରରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା କହିଥିଲେ,“ଭୁବନେଶ୍ୱର ଷ୍ଟେସନକୁ ପ୍ରତିଦିନ ପ୍ରାୟ ୧ ଲକ୍ଷ ଯାତ୍ରୀ ଆସିଥାଆନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ମାଗଣା ୱାଇ-ଫାଇ ସେବାର ଫାଇଦା ନେଇ ପାରିବେ।”

ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ପ୍ୟାରୀ ମୋହନ ମହାପାତ୍ର ଓ ବୈଷ୍ଣବ ଚରଣ ପରିଡ଼ା ଉପସ୍ଥିତ ରହିଥିଲେ।

Related story