ଭୁବନେଶ୍ୱର: ଯେମିତି ଆଶା କରାଯାଉଥିଲା ସେମିତି ହେଲା। ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନର ପ୍ରାରମ୍ଭରୁ ହଟ୍ଟଗୋଳ କରିଛନ୍ତି ବିରୋଧୀ। ଫଳରେ ବାଚସ୍ପତି ନିରଞ୍ଜନ ପୂଜାରୀ ଗୃହକୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି। ମାତ୍ର ଦୁଇ ମିନିଟ୍ ପରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ।
ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପୂର୍ବତନ ଡିଜି ପ୍ରକାଶ ମିଶ୍ର ମାମଲା ଉଠାଇ ଥିଲେ। ସେ କହିଥିଲେ, ପ୍ରକାଶ ମିଶ୍ର ମାମଲାରେ ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ସରକାର ଅପଦସ୍ଥ ହୋଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଇସ୍ତଫା ଦେଇ ଦେବା ଉଚିତ୍। ମୁଖ୍ୟମନ୍ତ୍ରୀ ପଦରେ ବସିବା ପାଇଁ ଆଉ ତାଙ୍କର ନୈତିକତ ଅଧିକାର ନାହିଁ। ତେବେ ବାଚସ୍ପତି ତାଙ୍କୁ କହିବା ପାଇଁ ଅନୁମତି ଦେଇ ନଥିଲେ। ପ୍ରଶ୍ନକାଳରେ ଏ ପ୍ରସଙ୍ଗରେ ଆଲୋଚନା କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ବାଚସ୍ପତି କହିଥିଲେ। ଏହା ପରେ କଂଗ୍ରେସ ବିଧାୟକମାନେ ହୋହାଲ୍ଲା କରିବା ଆରମ୍ଭ କରି ଦେଇଥିଲେ। ସେମାନେ ପ୍ରକାଶ ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ବ୍ୟାନର ହାତରେ ଧରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ସରକାରଙ୍କ ବିରୋଧରେ ନାରା ଦେଇ ଗୃହର ମଧ୍ୟଭାଗରେ ଥିବା ଟେବୁଲ ଉପରେ ଚଢ଼ି ଯାଇଥିଲେ। ବ୍ରହ୍ମ ବିଭ୍ରାଟ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ବିରୋଧୀମାନେ ବ୍ୟାନର ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ବିଜେଡି ପକ୍ଷରୁ ମଧ୍ୟ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଯାଇଥିଲା। ଶାସକ ଦଳର ବିଧାୟକମାନେ ମଧ୍ୟ ବ୍ୟାନର ପ୍ରଦର୍ଶନ କରିଥିଲେ। ଏଗୁଡ଼ିକରେ ଲେଖାଯାଇଥିଲା ଯେ ଓଡ଼ିଶା ପ୍ରତି ମୋଦି ସରକାରଙ୍କ ଉପେକ୍ଷା ସବୁ ସୀମା ଲଂଘି ଯାଇଛି। ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରସଙ୍ଗରେ ଓଡ଼ିଶାକୁ ଅଣଦେଖା କରାଯାଇଛି। ଅଚଳାବସ୍ଥା ଦେଖି ବାଚସ୍ପତି ଗୃହକୁ ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।
ଅନ୍ୟପକ୍ଷରେ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା ଓ ଅନୁଦାନ କ୍ଷେତ୍ରରେ ଓଡ଼ିଶାକୁ କେନ୍ଦ୍ରର ଅବହେଳା ଅଭିଯୋଗ କରି ବିଧାନସଭା ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଶାସକ ବିଜେଡି ବିଧାୟକଙ୍କ ଧାରଣାରେ ଦେଇଥିଲେ।