ନବୀନ-ନୀତିଶ ସାକ୍ଷାତରୁ ନୂଆ ରାଜନୈତିକ ସମୀକରଣର ବାସ୍ନା!

ଭୁବନେଶ୍ୱର: ନବୀନ ନିବାସରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ନବୀନ ପଟ୍ଟନାୟକଙ୍କ ଆଲୋଚନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିରୁ ନୂଆ ରାଜନୈତିକ ସମୀକରଣର ବାସ୍ନା ଆସୁଥିବା କୁହାଯାଉଛି। କେବଳ ନୀତିଶ ନୁହଁନ୍ତି ଜେଡିୟୁ ବରିଷ୍ଠ ନେତା ଶରଦ ଯାଦବ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ରବି ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସିଥିବା ଏହି ଦୁଇ ନେତା ନବୀନଙ୍କୁ ଭେଟିଥିବା ପୁରୁଣା ଜନତା ପରିବାରକୁ ପୁଣି ଏକାଠି କରିବାର ପ୍ରୟାସ ବୋଲି ଆଭାସ ମିଳୁଛି। […]

nitish-naveen

Rakesh Mallick
  • Published: Tuesday, 07 March 2017
  • , Updated: 07 March 2017, 11:25 PM IST

ଭୁବନେଶ୍ୱର: ନବୀନ ନିବାସରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ନବୀନ ପଟ୍ଟନାୟକଙ୍କ ଆଲୋଚନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥିରୁ ନୂଆ ରାଜନୈତିକ ସମୀକରଣର ବାସ୍ନା ଆସୁଥିବା କୁହାଯାଉଛି। କେବଳ ନୀତିଶ ନୁହଁନ୍ତି ଜେଡିୟୁ ବରିଷ୍ଠ ନେତା ଶରଦ ଯାଦବ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ରବି ରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସିଥିବା ଏହି ଦୁଇ ନେତା ନବୀନଙ୍କୁ ଭେଟିଥିବା ପୁରୁଣା ଜନତା ପରିବାରକୁ ପୁଣି ଏକାଠି କରିବାର ପ୍ରୟାସ ବୋଲି ଆଭାସ ମିଳୁଛି।

ପ୍ରଥମେ ନୀତିଶ ନବୀନ ନିବାସକୁ ଗଲେ ଓ ଆଲୋଚନା କଲେ। କିଛି ସମୟ ପରେ ନବୀନଙ୍କୁ ଭେଟି ଆଲୋଚନା କଲେ ଜେଡିୟୁର ବରିଷ୍ଠ ନେତା ଶରଦ ଯାଦବ। ଉଭୟ ପୃଥକ ଭାବେ ନବୀନଙ୍କୁ ଭେଟିଥିଲେ। ଏଥିରୁ ଚା’ କପ୍‌ରେ ନୂଆ ରାଜନୈତିକ ସମୀକରଣ ନେଇ ବାସ୍ନା ବାହାରୁଥିବା ଚର୍ଚ୍ଚା ହେଉଛି। ଏମିତି ମଧ୍ୟ ଉଭୟ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ସଦସ୍ୟ ଥିଲେ। ବିମୁଦ୍ରାକରଣ ପ୍ରସଙ୍ଗରେ ଉଭୟଙ୍କ ଅଭିମୁଖ୍ୟ ସମାନ ଥିଲା। ଏବେ ନୀତିଶ ମହାଗଠବନ୍ଧନ କରି ବିହାରରେ ସରକାର ଚଳାଇଛନ୍ତି। ଏପଟେ ପଞ୍ଚାୟତ ନିର୍ବାଚନରେ ବିଫଳତା ବିଜେଡିକୁ ଚିନ୍ତାରେ ପକାଇ ଦେଇଛି। ଏଭଳି ସ୍ଥିତିରେ ବିଜେଡି ମହାଗଠବନ୍ଧନ କଥା ଚିନ୍ତା କରୁଛି କି? ସେପଟେ ନୀତିଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧୀ। ନବୀନ ମଧ୍ୟ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରୁଛି। ଏଭଳି ସ୍ଥିତିରେ ବିଜେପିକୁ କାଉଣ୍ଟର ପାଇଁ ଏକାଠି ହୋଇପାରନ୍ତି ନୀତିଶ ଓ ନବୀନ। ଅନ୍ୟପକ୍ଷରେ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ। ଏ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥାଇ ପାରେ। ତେବେ ସାକ୍ଷାତ ପରେ ନୀତିଶ କହିଛନ୍ତି,“ଲୋକସଭା ପୂର୍ବତନ ବାଚସ୍ପତି ରବି ରାୟଙ୍କ ଶେଷ ଦର୍ଶନ କରିବାକୁ ଆସିଥିଲି। ମାତ୍ର ନବୀନଙ୍କୁ ନ ଭେଟି କେମିତି ପଳାଇ ଯାଇଥାନ୍ତି? ତାଙ୍କ ସହିତ ମୋର ବ୍ୟକ୍ତିଗତ ସମ୍ପର୍କ ରହିଛି। ତେଣୁ ଆଜି ତାଙ୍କୁ ଦେଖା କରି ବ୍ୟକ୍ତିଗତ କଥା ହେଲି।”

ଶରଦ ଯାଦବ କହିଛନ୍ତି,“ନବୀନ ବାବୁଙ୍କ ସହ ମୋର ପାରିବାରିକ ସମ୍ପର୍କ ରହିଛି। ସେଥିପାଇଁ ତାଙ୍କୁ ଦେଖାକରିବାକୁ ଆସିଥିଲି। ତାଙ୍କ ସହିତ ମୁଁ ଉତ୍ତରପ୍ରଦେଶ ନିର୍ବାଚନ ନେଇ ଆଲୋଚନା ହେଲି। ପଞ୍ଚାୟତ ନିର୍ବାଚନରେ ବିଜେଡି-ବିଜେଡି ମଧ୍ୟରେ ଲଢ଼େଇ ହେଲା।”

ତୃତୀୟ ମେଣ୍ଟ ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ,“ଏବେ କିଛି କହିହେବ ନାହିଁ। ସମୟ ଆସିଲେ କହିବି।”

ନବୀନ ଓ ନୀତିଶଙ୍କ ସାକ୍ଷାତ ଆଲୋଚନାକୁ ନେଇ କଂଗ୍ରେସ ଓ ବିଜେପି ପ୍ରତିକ୍ରିୟା ରଖିଛନ୍ତି। କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି,“ଆଗାମୀ ଦିନରେ ବିଜେପି ବିରୋଧରେ ଏକ ମେଣ୍ଟ ତିଆରି ହେବ। ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆହ୍ୱାନ ଦେଇଥିଲେ।”

ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି,“ବିଜେପି ବିରୋଧରେ ଲଢ଼ିବା ପାଇଁ ସମସ୍ତେ ଏକାଠି ହେଲେ ଆମେ ବିଚଳିତ ହେବାର ନାହିଁ। ଏମାନେ ଅଲଗା ବା ଏକ ହୋଇ ଲଢ଼ିଲେ ମଧ୍ୟ ବିଜେପି ମୁକାବିଲା ପାଇଁ ପ୍ରସ୍ତୁତ ରହିଛି।

Related story