ବିଜେପୁର ଟେନ୍‌ସନ୍‌: ଅସନ୍ତୁଷ୍ଟଙ୍କୁ ମନାଉଛି ବିଜେଡି, କାଲି ଯିବ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନରେ ବିଜୟୀ ହେବା ପାଇଁ ବିଜେଡି ଜୋରଦାର୍ କସରତ୍ ଆରମ୍ଭ କରିଦେଇଛି। ଭୁବନେଶ୍ୱରରେ ବଡ଼ବଡ଼ ନେତାଙ୍କ ମାନଭଞ୍ଜନ ପରେ ତଳସ୍ତର କର୍ମୀଙ୍କୁ ମନାଇବା ପାଇଁ ବରଗଡ଼ରେ ଉଦ୍ୟମ ଚଳାଇଛି। ଆସନ୍ତାକାଲି କଂଗ୍ରେସର ଏକ ପ୍ରତିନିଧି ଦଳ ବରଗଡ଼ ଗସ୍ତରେ ଯାଇ ପ୍ରାର୍ଥୀ ଚୟନ କରିବ। ବିଜେଡିର ତଳସ୍ତର ନେତାଙ୍କୁ ମନାଇବା ପାଇଁ ଆଜି ବରଗଡ଼ରେ ବସିଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ବରପାଲି ବ୍ଲକ, ଏନ୍ଏସିର ନେତା ଓ କର୍ମୀଙ୍କ […]

bijapur election

Rakesh Mallick
  • Published: Saturday, 14 October 2017
  • , Updated: 14 October 2017, 08:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ବିଜେପୁର ଉପନିର୍ବାଚନରେ ବିଜୟୀ ହେବା ପାଇଁ ବିଜେଡି ଜୋରଦାର୍ କସରତ୍ ଆରମ୍ଭ କରିଦେଇଛି। ଭୁବନେଶ୍ୱରରେ ବଡ଼ବଡ଼ ନେତାଙ୍କ ମାନଭଞ୍ଜନ ପରେ ତଳସ୍ତର କର୍ମୀଙ୍କୁ ମନାଇବା ପାଇଁ ବରଗଡ଼ରେ ଉଦ୍ୟମ ଚଳାଇଛି। ଆସନ୍ତାକାଲି କଂଗ୍ରେସର ଏକ ପ୍ରତିନିଧି ଦଳ ବରଗଡ଼ ଗସ୍ତରେ ଯାଇ ପ୍ରାର୍ଥୀ ଚୟନ କରିବ।

ବିଜେଡିର ତଳସ୍ତର ନେତାଙ୍କୁ ମନାଇବା ପାଇଁ ଆଜି ବରଗଡ଼ରେ ବସିଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ବରପାଲି ବ୍ଲକ, ଏନ୍ଏସିର ନେତା ଓ କର୍ମୀଙ୍କ ସମେତ ମନ୍ତ୍ରୀ, ବିଧାୟକ, ସାଂସଦ, ଜିଲ୍ଲା  ସଭାପତି, ପର୍ଯ୍ୟବେକ୍ଷକ ଏବଂ ଦଳର ବରିଷ୍ଠ ନେତାମାନେ ଉପସ୍ଥିତି ଥିଲେ। ଅସନ୍ତୁଷ୍ଟ ସ୍ଥାନୀୟ ନେତାମାନେ ସେମାନଙ୍କ ଅଭିଯୋଗ ବିଜେଡି ଟିମ୍‌ ସମ୍ମୁଖରେ ରଖିଥିଲେ। ଏମିତିକି କେତେକ ସ୍ଥାନୀୟ ନେତା ପାଟିତୁଣ୍ଡ କରିଥିବା ଅଭିଯୋଗ ହୋଇଥିଲା। ପରେ ବୈଠକରେ ଆସନ୍ତା ୨୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରପାଲି ଗସ୍ତ ବେଳେ ଦଳର ଶକ୍ତି ପ୍ରଦର୍ଶନ, ବିଜେପୁରରେ ଦଳୀୟ ପଦଯାତ୍ରାକୁ ବ୍ୟାପକ କରିବା ଓ ଉପନିର୍ବାଚନରେ ରୀତା ସାହୁଙ୍କ ଜିତାପଟକୁ ସୁନିଶ୍ଚିତ କରିବା ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା। ଗାଈସିଲଟ୍ ବ୍ଲକ ପାଇଁ ଆସନ୍ତାକାଲି ପଦ୍ମପୁରରେ ଓ  ବିଜେପୁର ବ୍ଲକ ପାଇଁ ସୋମବାର ସୋହେଲାରେ ବୈଠକ ହେବ ବୋଲି ଜଣାପଡ଼ିଛି।

ଦିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି-“ଆମେ ସବୁ ବେଳେ ଚାହୁଁଛୁ ବିଜେପୁର ନିର୍ବାଚନମଣ୍ଡଳୀର ବିକାଶ ହେଉ। ଏହା ଉପରେ ଆଜି ଆଲୋଚନା ହୋଇଥିଲା। ଆମ ଦଳ ଭିତରେ କୌଣସି ମନୋମାଳିନ୍ୟ ନାହିଁ।”

ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି-“ବିଜେପୁର ଉପନିର୍ବାଚନ ପାଇଁ ଯେକୌଣସି ସମୟରେ ତାରିଖ ଘୋଷଣା ହୋଇପାରେ। ସେଥିପ୍ରତି ଦୃଷ୍ଟିଦେଇ ଆଜି ଆମର ଏକ ପ୍ରସ୍ତୁତି ବୈଠକ ବସିଥିଲା।”

ସେପଟେ କଂଗ୍ରେସ୍‌ରେ ବିଧାୟକ ନବ ଦାସଙ୍କ ନେତୃତ୍ୱରେ ପର୍ଯ୍ୟବେକ୍ଷକ ମଣ୍ଡଳୀ ଆସନ୍ତାକାଲି ବରଗଡ଼ ଗସ୍ତ କରିବ। ରୀତା ସାହୁ ବିଜେଡିରେ ଯୋଗଦେବା ପରେ ଏଠାରେ କଂଗ୍ରେସ ସ୍ଥିତି କ’ଣ ଅଛି, କାହାକୁ ପ୍ରାର୍ଥୀ କଲେ ଦଳକୁ ଅଧିକ ଫାଇଦା ମିଳିବ ସେନେଇ ଅନୁଧ୍ୟାନ କରି ରିପୋର୍ଟ ଦେବେ।

କଂଗ୍ରେସ ବିଧାୟକ ନବ ଦାସ କହିଛନ୍ତି-“ଆସନ୍ତାକାଲି ବରଗଡ଼ ଗସ୍ତରେ ଯାଉଛି। ପ୍ରତି ବ୍ଲକର ବରିଷ୍ଠ ନେତାମାନଙ୍କଠାରୁ ମତାମତ ନେଇ ରିପୋର୍ଟ ଦେବି।”

ବିଜେପିରେ ଅଶୋକ ପାଣିଗ୍ରାହୀ ମିଶିବା ପରେ ସେଠାରେ କିଏ ହେବେ ପ୍ରାର୍ଥୀ ତାହା ଏ ପର୍ଯ୍ୟନ୍ତ ଘୋଷଣା କରାଯାଇନି। ତେବେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା କେନ୍ଦ୍ରୀୟ ନେତୃତ୍ୱ ପାଖକୁ ପଠାଯିବ। ପ୍ରାର୍ଥୀ କିଏ ହେବେ ତାହା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ ବୋଲି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି।

Related story