ଅମିତ ଶାହଙ୍କ କଟାକ୍ଷର ଉତ୍ତର ଦେଲା ବିଜେଡି: ସାମ୍ୱାଦିକ ସମ୍ମିଳନୀ କରି ରଖିଲେ ପ୍ରତି କଥାର ଜବାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ବୁଦ୍ଧିଜୀବୀ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଳିଯାଇଥିବା ଟ୍ରାନ୍ସଫର୍ମର ବୋଲି କହିଥିଲେ। ଏହି ଜଳିଯାଇଥିବା ଟ୍ରାନ୍ସଫର୍ମରକୁ ଉପାଡ଼ି ଫିଙ୍ଗି ଦେବାକୁ ସେ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ। ଆଜି ଏହାକୁ ବିଜେଡି କଡ଼ା ନିନ୍ଦା କରିଛି। ଏପରିକି ସାମ୍ୱାଦିକ ସମ୍ମିଳନୀ କରି ଶାହଙ୍କ ପ୍ରତି କଟାକ୍ଷର ଉତ୍ତର ମଧ୍ୟ ରଖିଛନ୍ତି ୩ ବିଜେଡି ନେତା। ଆଜି ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ […]

Rakesh Mallick
  • Published: Thursday, 07 September 2017
  • , Updated: 07 September 2017, 05:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ବୁଦ୍ଧିଜୀବୀ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଳିଯାଇଥିବା ଟ୍ରାନ୍ସଫର୍ମର ବୋଲି କହିଥିଲେ। ଏହି ଜଳିଯାଇଥିବା ଟ୍ରାନ୍ସଫର୍ମରକୁ ଉପାଡ଼ି ଫିଙ୍ଗି ଦେବାକୁ ସେ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ। ଆଜି ଏହାକୁ ବିଜେଡି କଡ଼ା ନିନ୍ଦା କରିଛି। ଏପରିକି ସାମ୍ୱାଦିକ ସମ୍ମିଳନୀ କରି ଶାହଙ୍କ ପ୍ରତି କଟାକ୍ଷର ଉତ୍ତର ମଧ୍ୟ ରଖିଛନ୍ତି ୩ ବିଜେଡି ନେତା।

ଆଜି ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି-“ଗଣତାନ୍ତ୍ରିକ ଲଢ଼େଇ ଆମେ ବିଶ୍ୱାସ କରୁ। ଲୋକଙ୍କ ସେବା ଆମର ପ୍ରାଥମିକତା। ସେଥିପାଇଁ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୋଟ୍‌ ଦେଇ ଜିତାଇଛନ୍ତି। ଆମକୁ ସେବା କରିବାକୁ ସୁଯୋଗ ଦେଇଛନ୍ତି। କିନ୍ତୁ ଯେଉଁଭଳି ଭାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଶବ୍ଦ ବାଣ ପ୍ରୟୋଗ କରାଯାଉଛି, ଏହାକୁ ଆମେ ବିରୋଧ କରୁଛୁ।”

ସେ କହିଛନ୍ତି-“ବିଜେପି ଶାସିତ ରାଜ୍ୟ ଗୁଡ଼ିକର ବିକାଶ କଥା ଶାହ କହୁଛନ୍ତି। ୩ ବର୍ଷରେ ମହାରାଷ୍ଟ୍ରରେ ୧୨,୦୦୦ ଚାଷୀ ଆତ୍ମହତ୍ୟା କରିଛନ୍ତି। ଗତ ଜୁନ୍‌ରେ ୮୫୨ ଚାଷୀ ଆତ୍ମହତ୍ୟା କରିଛନ୍ତି। ସେହିପରି  ଛତିଶଗଡ଼ରେ ୩୦୯ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଅକ୍‌ସିଜେନ୍‌ ନପାଇ ଉତ୍ତରପ୍ରଦେଶରେ ଏକ ମେଡ଼ିକାଲ କଲେଜରେ ବହୁ ପିଲାଙ୍କୁ ମୃତ୍ୟୁ ଘଟିଛି। ଏଥିପ୍ରତି ଶାହଙ୍କ ଆଖୁ ପଡ଼ୁନି? ଏହା କେଉଁ ପ୍ରକାର ବିକାଶ?”

ବିଜେଡି ମୁଖପାତ୍ର ଅରୁଣ ସାହୁ କହିଛନ୍ତି-“ବିଜୁବାବୁ ନିଜ ପରିବାରର କାହାକୁ ରାଜନୀତିକୁ ଆଣିନଥିଲେ। ତାଙ୍କ ପରଲୋକ ପରେ ଓଡ଼ିଶାବାସୀ ନବୀନବାବୁଙ୍କୁ ଆଣିଥିଲେ। ରାଜନୀତିରେ ଶାଳୀନତା କେବଳ ନବୀନଙ୍କଠାରେ ମିଳିଥାଏ। ସେ(ନବୀନ) କାହା ବିରୋଧରେ କିଛି ନକହି କେବଳ ଜନସେବାରେ ମନ ଦିଅନ୍ତି।”

ଧାନର ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି ଦାୟିତ୍ୱ କେବଳ କେନ୍ଦ୍ର ସରକାରଙ୍କର ନୁହେଁ, ରାଜ୍ୟ ସରକାରଙ୍କର ମଧ୍ୟ। ଛତିଶଗଡ଼ ଓ ମଧ୍ୟପ୍ରଦେଶ ସରକାର ଚାଷୀଙ୍କ ଏମ୍‌ଏସ୍‌ପି ବୃଦ୍ଧି କରାଇଛନ୍ତି ବୋଲି ଶାହ ଆଜି କହିଛନ୍ତି। ଏହାକୁ ଖଣ୍ଡନ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ସେ କହିଛନ୍ତି-“ଶାହ ଯାହା କହିଛନ୍ତି, ତାହା ସମ୍ପୂର୍ଣ୍ଣ ମିଛ। ଜଣେ ବିଜେପି ମୁଖିଆଙ୍କଠାରୁ ଏପରି ମିଛ ଆଶା କରାଯାଉନଥିଲା। କେନ୍ଦ୍ର ସରକାରଙ୍କ ଆଇନ୍‌ ଅନୁସାରେ ଯଦି ରାଜ୍ୟ ସରକାର ଚାଷୀଙ୍କୁ ଏମ୍‌ଏସ୍‌ପି ଦିଅନ୍ତି, ତାହାହେଲେ କେନ୍ଦ୍ରଠାରୁ ଏମ୍‌ଏସ୍‌ପି ପାଇବେ ନାହିଁ। ଏକଥା କ’ଣ ଶାହ ଜାଣିନାହାନ୍ତି? ଏହା କେବଳ ଓଡ଼ିଶା ଲୋକଙ୍କୁ ଭଣ୍ଡେଇବା ସଦୃଶ ହୋଇଛି।”

ସମଗ୍ର ଦେଶରେ ସାଢ଼େ ଦୁଇ କୋଟି ଗୃହିଣୀଙ୍କୁ ରନ୍ଧନ ଗ୍ୟାସ ପ୍ରଦାନ କରାଯାଇଛି। ଏହାକୁ ଆମେ ସ୍ୱାଗତ କରୁଛୁ। ତେବେ ଏଠି ପ୍ରଶ୍ନ ଉଠୁଛୁ ପରବର୍ତ୍ତୀ ସମୟରେ ଗ୍ୟାସ ରି-ଫିଲିଂ କେତେ ଜଣ କରିଛନ୍ତି। ଗ୍ୟାସ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ମାତ୍ର ୩୪ ପ୍ରତିଶତ ଲୋକ ରିଫିଲିଂ କରିବାକୁ ଯାଉଛନ୍ତି।”

ସେ କହିଛନ୍ତି-“କେନ୍ଦ୍ରରୁ ଆସୁଥିବା ମନ୍ତ୍ରୀମାନେ ଓଡ଼ିଶା ସରକାରକୁ ସ୍ଥାଣୁ ବୋଲି କହୁଛନ୍ତି। ଯଦି ରାଜ୍ୟ ସରକାର ଠିକ୍‌ ଭାବେ କାମ କରୁନାହିଁ, ତାହାହେଲେ କେନ୍ଦ୍ର କ’ଣ ପାଇଁ ଖେଳ, ଗ୍ରାମୀଣ କାର୍ଯ୍ୟକ୍ରମ, କୃଷୀ ପାଇଁ ପୁରସ୍କୃତ କରୁଛି। କେନ୍ଦ୍ର ସରକାର ଯେଉଁ ପୁରସ୍କାର ଦେଉଛନ୍ତି, ତାହା କଣ ଶାହ ଜାଣିପାରୁ ନାହାନ୍ତି? ପ୍ରକୃତରେ କିଏ ସତ କଥା କହୁଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ନା ଶାହ। ଏହାର ସ୍ପଷ୍ଟିକରଣ ଦେବା ଦରକାର।”

Related story