ବିଜେଡି କାର୍ଯ୍ୟକ୍ରମରେ ଚିଟ୍‌ଫଣ୍ଡ ତଦନ୍ତ କମିଶନ ମୁଖ୍ୟ ଜଷ୍ଟିସ ଦାସଙ୍କ ଯୋଗଦାନକୁ ନେଇ ବିବାଦ

କଟକ: ମଧୁବାବୁଙ୍କ ଜୟନ୍ତୀ ଅବସରରେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଚିଟ୍‌ଫଣ୍ଡ ତଦନ୍ତ କମିଶନର ମୁଖ୍ୟ ଜଷ୍ଟିସ ଏମ୍‌.ଏମ୍‌. ଦାସଙ୍କ ଯୋଗଦାନକୁ ନେଇ ବିବାଦ ଦେଖା ଦେଇଛି। ଚିଟ୍‌ଫଣ୍ଡ ଦୁର୍ନୀତି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ଦାସ ବିଜେଡି କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ବିରୋଧୀ ଦଳଗୁଡିକ ପ୍ରଶ୍ନ ଉଠାଇଛନ୍ତି। ଏପରି କାର୍ଯ୍ୟକ୍ରମରେ କମିଶନର ଯୋଗଦେବା ଉଚିତ ହୋଇନାହିଁ ବୋଲି କଂଗ୍ରେସ କହିଥିବା ବେଳେ ଜଷ୍ଟିସ ଦାସ କମିଶନ ଅଧ୍ୟକ୍ଷ ପଦରୁ […]

justice Das

Rakesh Mallick
  • Published: Thursday, 28 April 2016
  • , Updated: 29 April 2016, 05:26 AM IST

କଟକ: ମଧୁବାବୁଙ୍କ ଜୟନ୍ତୀ ଅବସରରେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଚିଟ୍‌ଫଣ୍ଡ ତଦନ୍ତ କମିଶନର ମୁଖ୍ୟ ଜଷ୍ଟିସ ଏମ୍‌.ଏମ୍‌. ଦାସଙ୍କ ଯୋଗଦାନକୁ ନେଇ ବିବାଦ ଦେଖା ଦେଇଛି। ଚିଟ୍‌ଫଣ୍ଡ ଦୁର୍ନୀତି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ଦାସ ବିଜେଡି କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଇ ବିରୋଧୀ ଦଳଗୁଡିକ ପ୍ରଶ୍ନ ଉଠାଇଛନ୍ତି। ଏପରି କାର୍ଯ୍ୟକ୍ରମରେ କମିଶନର ଯୋଗଦେବା ଉଚିତ ହୋଇନାହିଁ ବୋଲି କଂଗ୍ରେସ କହିଥିବା ବେଳେ ଜଷ୍ଟିସ ଦାସ କମିଶନ ଅଧ୍ୟକ୍ଷ ପଦରୁ ଓହରି ଯିବା ଉଚିତ ବୋଲି ବିଜେପି କହିଛି। ଏହି ବିବାଦରୁ ବିଜେଡି ନିଜକୁ ଦୂରେଇ ରହିବାକୁ ଚେଷ୍ଟା କରିଛି। ଜଷ୍ଟିସ ଦାସ କାହିଁକି ଯୋଗଦେଲେ ସେ ହିଁ କହି ପାରିବେ। ଆଇନଜୀବୀ ସାମ୍ମୁଖ୍ୟ ଦଳୀୟ ଶାଖା ନୁହେଁ, ଏକ ସାମାଜିକ ସଂଗଠନ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ଅନନ୍ତ ଦାସ କହିଛନ୍ତି। ଅନ୍ୟପକ୍ଷରେ ନିଜ ମନ୍ତବ୍ୟରେ ଜଷ୍ଟିସ୍‌ ଦାସ କହିଛନ୍ତି, “ତଦନ୍ତକାରୀ ଅଧ୍ୟକ୍ଷ ନୁହେଁ, ଜଣେ ଅବସରପ୍ରାପ୍ତ ଜଜ୍‌ ଭାବେ ମୁଁ ସେଠାକୁ ଯାଇଥିଲି। ସେଠାରେ ଯାହା କହିଛି, ତାହା ମୋର ବ୍ୟକ୍ତିଗତ ମତ।”

କାର୍ଯ୍ୟକ୍ରମରେ ଯୋଗଦେଇ ଜଷ୍ଟିସ ଦାସ କହିଥିଲେ, “ଜଣେ ବ୍ୟକ୍ତି ଗୋଟିଏ କମ୍ପାନୀରେ ଟଙ୍କା ଖଟାଇଛି। ସେ ତା’ର ଟଙ୍କା କିପରି ଫେରି ପାଇବ ଓ କେତେ ପାଇବ ସେ ନେଇ ଉଭୟ (କମ୍ପାନୀ ଓ ଜମାକାରୀ)ଙ୍କ ମଧ୍ୟରେ ଚୁକ୍ତି ହୋଇଛି। ଏବେ ଦୁର୍ନୀତି ଅଭିଯୋଗ ଆସିବା ପରେ ସରକାର କାହିଁକି ଜମାକାରୀଙ୍କ କ୍ଷତି ଭରଣ କରିବେ? ତଥାପି ଯେହେତୁ ବହୁ ସଂଖ୍ୟାରେ ଲୋକ ଏହି ଦୁର୍ନୀତିର ଶିକାର ହୋଇଛନ୍ତି, ସେମାନେ କିପରି ଟଙ୍କା ଫେରି ପାଇବେ ସରକାର ସେଥିପାଇଁ ପଦକ୍ଷେପ ନେଇ ପାରିବେ।”

ଜଷ୍ଟିସ ଦାସ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ଓ ଏପରି ମନ୍ତବ୍ୟ ଦେବାକୁ ନେଇ ବିରୋଧୀ ତାଙ୍କୁ ଟାର୍ଗେଟ କରିଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ତଦନ୍ତ କମିଶନର ଅଧ୍ୟକ୍ଷ ହୋଇ ତାଙ୍କର ଏକ ଦଳୀୟ କାର୍ଯ୍ୟକ୍ରମକୁ ଯିବା ଉଚିତ ହୋଇନାହିଁ। ମୋ ମତରେ ସେ ସରକାରୀ ଦଳର ସଭାକୁ ଯିବା ଠିକ୍‌ ହେଲା ନାହିଁ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଜଷ୍ଟିସ ଦାସ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ଦୁର୍ଭାଗ୍ୟଜନକ, ଏହାକୁ ମୁଁ ନିନ୍ଦା କରୁଛି। ସେ ତଦନ୍ତ କମିଶନ ଅଧ୍ୟକ୍ଷ ପଦରୁ ଓହରିଯିବା ଉଚିତ।”

ଜଷ୍ଟିସ ଦାସ କହିଛନ୍ତି, “ଉକ୍ତ କାର୍ଯ୍ୟକ୍ରମକୁ ଜଣେ ଅବସରର ପ୍ରାପ୍ତ ଜଜ୍‌ ଭାବେ ଯାଇଥିଲି, ତଦନ୍ତ କମିଶନ ଅଧ୍ୟକ୍ଷ ଭାବେ ନୁହେଁ। ବିଜେଡି ଆଇନଜୀବି ସାମ୍ମୁଖ୍ୟ କାର୍ଯ୍ୟକ୍ରମକୁ ଜଣେ ଅବସରପ୍ରାପ୍ତ ଜଜ୍‌ ଯିବାରେ ଅସୁବିଧା ନାହିଁ। ଯାହା କହିଥିଲି ତାହା ମୋର ବ୍ୟକ୍ତିଗତ ମତ ଥିଲା, ସରକାରଙ୍କ କିଛି ଭୂମିକା ନାହିଁ। ମୋ କାମ ମୁଁ ଠିକ୍‌ ଭାବେ କରୁଛି, କିଛି ଲୋକ ଟଙ୍କା ମଧ୍ୟ ପାଇଲେଣି।”

ସେ ଆହୁରି କହିଛନ୍ତି, “ମୋ ମତକୁ ନେଇ ଏପରି ଚର୍ଚ୍ଚା ହେବାର କିଛି କାରଣ ନାହିଁ। ସରକାରୀ ନିଷ୍ପତ୍ତି ଅନୁସାରେ କମିଶନ କାମ କରୁଛି। ଛୋଟ ଛୋଟ ଜମାକାରୀଙ୍କୁ ଚିହ୍ନଟ କରିବାରେ ଲାଗିଛି। ସେମାନେ କେମିତି ଟଙ୍କା ଫେରି ପାଇବେ ସେଥିପ୍ରତି ଗୁରୁତ୍ୱ ଦେଉଛି। ଉକ୍ତ କାର୍ଯ୍ୟକ୍ରମରେ କହିଥିଲି, ଚିଟ୍‌ଫଣ୍ଡ କମ୍ପାନୀରେ ଯେଉଁମାନେ ଟଙ୍କା ରଖିଛନ୍ତି, ସେମାନେ ବ୍ୟାଙ୍କର ସୁଧକୁ ନଜର ନ ରଖି ଲୋଭର ବଶବର୍ତ୍ତୀ ହୋଇ ଟଙ୍କା ରଖିଛନ୍ତି। ଏହା ସରକାରଙ୍କ ମତ ନୁହେଁ। ଯେଉଁ କମ୍ପାନୀମାନଙ୍କୁ ନୋଟସ୍‌ ଦିଆଯାଉଛି, ସେମାନଙ୍କ ମଧ୍ୟରୁ ବହୁ କମ୍ପାନୀ ଆସି ସେମାନଙ୍କ ଜମାକାରୀଙ୍କୁ ଟଙ୍କା ଫେରାଇବା ଆରମ୍ଭ କଲେଣି। ୧୦୦୦ରୁ ଅଧିକ ଲୋକ ଟଙ୍କା ଫେରିପାଇଲେଣି।”

ସେ କହିଛନ୍ତି, “କୌଣସି କାର୍ଯ୍ୟକ୍ରମକୁ ଯିବା ନ ଯିବା ମୋର ବ୍ୟକ୍ତିଗତ ବ୍ୟାପାର। କମିଶନ କାମ ସହ ଏହାର କିଛି ସମ୍ପର୍କ ନାହିଁ। କେଉଁ ଦଳ କାର୍ଯ୍ୟକ୍ରମ କରୁଛି, କେଉଁ ନେତା ଯୋଗ ଦେଇଛନ୍ତି ତାକୁ ଦେଖି ମୁଁ ସେଠାକୁ ଯାଇ ନ ଥିଲି। ଉକ୍ତ କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଆଇନଜୀବୀ ଯୋଗ ଦେଇଥିଲେ। ସେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଁ ମୋ ଅଭିଜ୍ଞତା ସେମାନଙ୍କ ସହ ବିନିମୟ କଲେ ସେମାନଙ୍କ କାର୍ଯ୍ୟଧାରାରେ ସହାୟକ ହେବ ଚିନ୍ତା କରି ଯାଇଥିଲି। ଏଥିରେ ରାଜନୀତି କରାଯିବା ଉଚିତ ନୁହେଁ।”

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ଚିଟ୍‌ଫଣ୍ଡ ତଦନ୍ତ କମିଶନର ମୁଖ୍ୟ ଜଷ୍ଟିସ ଏମ୍‌.ଏମ୍‌. ଦାସ ସରକାରଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏପରି ସ୍ଥିତିରେ ତାଙ୍କଠାରୁ ନିରପେକ୍ଷ ତଦନ୍ତ ମିଳିବା ନେଇ ଆଶଙ୍କା ରହିଛି।”

Related story