ବିଜେଡିର ନିରାଡମ୍ବର ଏମିତି: ରୋଶଣି ହେଲାନି କି ବାଣ ଫୁଟିଲାନି, ଆଉ ସବୁ ହେଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଆଉଟ୍‌ ଲୁକ୍‌’ ପତ୍ରିକା ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ମିଳିଛି। ନୂଆଦିଲ୍ଲୀରେ ନବୀନ ନିଜେ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ। ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାରୁ ନବୀନ ଓଡ଼ିଶାରେ ପହଞ୍ଚିଲେ ତାଙ୍କୁ ନିରାଡମ୍ବର ସ୍ୱାଗତ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ନବୀନ ଆସିଲେ ଓ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ ମଧ୍ୟ କରାଗଲା। ରୋଶଣି ହେଲାନି କି ବାଣ ପୁଟିଲାନି, ହେଲେ […]

cm

Rakesh Mallick
  • Published: Sunday, 20 August 2017
  • , Updated: 20 August 2017, 09:34 PM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଆଉଟ୍‌ ଲୁକ୍‌’ ପତ୍ରିକା ପକ୍ଷରୁ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ମିଳିଛି। ନୂଆଦିଲ୍ଲୀରେ ନବୀନ ନିଜେ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ। ଉତ୍କଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାରୁ ନବୀନ ଓଡ଼ିଶାରେ ପହଞ୍ଚିଲେ ତାଙ୍କୁ ନିରାଡମ୍ବର ସ୍ୱାଗତ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଥିଲା। ନବୀନ ଆସିଲେ ଓ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ ମଧ୍ୟ କରାଗଲା। ରୋଶଣି ହେଲାନି କି ବାଣ ପୁଟିଲାନି, ହେଲେ ସ୍ୱାଗରେ ଆଉ ସବୁ ହେଲା। ଯାହାକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି।

ଦଳ କହୁଛି ନବୀନଙ୍କୁ ନିରାଡମ୍ବର ସ୍ୱାଗତ କରାଯାଇଛି। ହେଲେ ବ୍ରାଣ୍ଡ ନବୀନଙ୍କୁ ଆଗକୁ ଆଣି ରାଜଧାନୀରେ ବିଜେଡିର ଶକ୍ତି ପ୍ରଦର୍ଶନ କରିଛି। ନବୀନଙ୍କ ଭାବମୁର୍ତ୍ତି ଓ ଶ୍ରେଷ୍ଠତ୍ୱକୁ ନେଇ ଦଳ ଦେଖାଇଛି ପତିଆରା। ପଞ୍ଚାୟତ ଝଟକା ପରେ ବିଜେପିକୁ ମାତ ଦେବାକୁ ମଉକା ଖୋଜୁଥିବା ବିଜେଡି ପାଇଁ ସୁପ୍ରିମୋଙ୍କ ମୁଣ୍ଡରେ ଶ୍ରେଷ୍ଠତ୍ୱର ମୁକୁଟ ସତେ ଯେମିତି ପାଓ୍ୱାର ବୁଷ୍ଟର ଭଳି ଶକ୍ତି ଯୋଗାଇଛି। ଅନ୍ୟପକ୍ଷରେ ବ୍ରାଣ୍ଡ ନବୀନ ସ୍ରୋତରେ ବ୍ରେକ୍ ଦେବାକୁ ରାଜଧାନୀରେ ସରକାର ବିରୋଧୀ ହୋର୍ଡିଂ ଲଗାଇ କାଉଣ୍ଟର ଆଟାକ୍‌ କରିଛି ବିଜେପି।

ଶ୍ରେଷ୍ଠ ପ୍ରଶାସକ ନବୀନଙ୍କୁ ଶଙ୍ଖୋଳିବା ପାଇଁ ଆଜି ଖଚାଖଚ ଥିଲା ପୁରା ବିଜୁ ପଟ୍ଟନାୟକ ବିମାନ  ବନ୍ଦର। ‘ଆଓ୍ୱାର ସିଏମ ... ଆଓ୍ୱାର ହିରୋ...’ ନାରାରେ କମ୍ପୁଖିଲା ପରିବେଶ। ମୁଖିଆଙ୍କୁ ପାଛୋଟିବାକୁ ବାହାରିଥିଲା ବିରାଟ ପଟୁଆର। ଏକଜୁଟ ହୋଇଥିଲେ ନେତା, ମନ୍ତ୍ରୀ, କର୍ମୀ, ବିଧାୟକ ଓ ସାଂସଦ। ହଜାର ହଜାର କର୍ମୀଙ୍କ ଗହଣରେ ନବୀନଙ୍କ ଗାଡି ଛୁଟିଥିଲା ନବୀନ ନିବାସ। ସୁପ୍ରିମୋଙ୍କୁ ସମ୍ବର୍ଦ୍ଧନା ଦେଇ ବିଜେଡି କରିଥିଲା ଶକ୍ତି ପ୍ରଦର୍ଶନ। ପଞ୍ଚାୟତ ନିର୍ବାଚନ ପରେ ବିଜେପିର ବଢୁଥିବା ଶକ୍ତି ଓ ଅମିତ ଶାହଙ୍କ ଘନ ଘନ ଗସ୍ତକୁ ଦେଖି ଏ ମଉକାକୁ ରାଜନୈତିକ ଅସ୍ତ୍ର ଭାବେ ବିଜେଡି ବ୍ୟବହାର କରିଥିବା ଚର୍ଚ୍ଚା ହେଉଛି।

ଗତକାଲିଠାରୁ ବିଜେଡି ଘୋଷଣା କରିଥିଲା ରେଳ ଦୁର୍ଘଟଣା ଦୃଷ୍ଟିରୁ ଉତ୍ସବକୁ ନିରାଡମ୍ବର କରିବ। ହେଲେ ରାଜଧାନୀରେ ବାଇକ ଶୋଭାଯାତ୍ରା ଓ ହଜାର ହଜାର କର୍ମୀଙ୍କ ସମାବେଶକୁ ଦେଖି କେଉଁଠି ବି ଏହା ନିରାଡମ୍ବର ବୋଲି ଲାଗୁ ନ ଥିଲା।

ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି- “ନରାଡମ୍ବର ମାନେ ବାଜା, ବାଣ ନାହିଁ। ଅଲଗା କଥା ନାହିଁ। କର୍ମୀଙ୍କ ମଧ୍ୟରେ ଉତ୍ସାହ ଅଛି। ଆମ ନେତା ଓ ଆମ ହିରୋ। ଦେଶର ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଶ୍ରେଷ୍ଠ ହୋଇଛନ୍ତି। ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବାକୁ ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରୟାସ କରୁଥିଲେ ତାକୁ ଆଜି ସ୍ୱୀକୃତି ମିଳିଛି।”

ଅନ୍ୟପକ୍ଷରେ ବିଜେଡି ମୁଖିଆଙ୍କ ଶଙ୍ଖୋଳା ରାଜନୀତିକୁ ଚେକ ଦେବା ପାଇଁ ବିଜେପି ବି ପ୍ରସ୍ତୁତ କରିଥିଲା କାଉଣ୍ଚର ଷ୍ଟ୍ରାଟେଜି। ସହରରେ ଦଳ ଲଗାଇଥିଲା ସରକାରଙ୍କୁ ବିଫଳ ଦର୍ଶାଉଥିବା ଖବରର ଶିରୋନାମାକୁ ନେଇ ହୋର୍ଡିଂ ଓ ପୋଷ୍ଟର। ରାଜ୍ୟକୁ ନିନ୍ଦିତ କରିଥିବା ଘଟଣାବଳୀ ମୁଖ୍ୟମନ୍ତ୍ରୀଙ୍କ ପ୍ରଶାସନିକ ସଫଳତାର ସାର୍ଟିଫିକେଟ ବୋଲି ବାର୍ତ୍ତା ଦେଇଥିଲା ବିଜେପି। ବ୍ରାଣ୍ଡ ନବୀନଙ୍କୁ ପ୍ରଚାର ସର୍ବସ୍ୱ ବୋଲି କହି ବାଣ ମାରିଥିଲେ ଖୋଦ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Related story