ଜଷ୍ଟିସ୍‌ ଦାସଙ୍କ ବହିଷ୍କାର ଦାବି; ଚିଟ୍‌ଫଣ୍ଡ୍‌ କମିଶନ୍‌ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ

କଟକ: ଚିଟ୍‌ଫଣ୍ଡ୍‌ କମିଶନ୍ ଅଧ୍ୟକ୍ଷ ପଦରୁ ଜଷ୍ଟିସ୍‌ ଏମ୍‌.ଏମ୍ ଦାସଙ୍କୁ ବହିଷ୍କାର କରିବା ଦାବିରେ ଆଜି ବିଜେପି ପକ୍ଷରୁ କଟକ ସ୍ଥିତ କମିଶନ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଟକ ନଗର ଓ କଟକ ଜିଲ୍ଲା ବିଜେପି ପକ୍ଷରୁ ଶତାଧିକ ଦଳୀୟ କର୍ମୀ ବକ୍ସିବଜାର ଛକରୁ ଶୋଭାଯାତ୍ରାରେ ବାହାରି ପୋଲିସ୍ ମୁଖ୍ୟାଳୟରେ ଥିବା କମିଶନ୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ନାରାବାଜି କରିବା ସହିତ ଜଷ୍ଟିସ୍ ଦାସଙ୍କ ବହିଷ୍କାର ଦାବି କରିଥିଲେ। ବିକ୍ଷୋଭକାରୀମାନେ କମିଶନ୍‌ଙ୍କ କାର୍ଯ୍ୟାଳୟ ମଧ୍ୟକୁ […]

katak-bjp

Rakesh Mallick
  • Published: Monday, 02 May 2016
  • , Updated: 02 May 2016, 01:47 PM IST

କଟକ: ଚିଟ୍‌ଫଣ୍ଡ୍‌ କମିଶନ୍ ଅଧ୍ୟକ୍ଷ ପଦରୁ ଜଷ୍ଟିସ୍‌ ଏମ୍‌.ଏମ୍ ଦାସଙ୍କୁ ବହିଷ୍କାର କରିବା ଦାବିରେ ଆଜି ବିଜେପି ପକ୍ଷରୁ କଟକ ସ୍ଥିତ କମିଶନ୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଟକ ନଗର ଓ କଟକ ଜିଲ୍ଲା ବିଜେପି ପକ୍ଷରୁ ଶତାଧିକ ଦଳୀୟ କର୍ମୀ ବକ୍ସିବଜାର ଛକରୁ ଶୋଭାଯାତ୍ରାରେ ବାହାରି ପୋଲିସ୍ ମୁଖ୍ୟାଳୟରେ ଥିବା କମିଶନ୍‌ଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ନାରାବାଜି କରିବା ସହିତ ଜଷ୍ଟିସ୍ ଦାସଙ୍କ ବହିଷ୍କାର ଦାବି କରିଥିଲେ।

ବିକ୍ଷୋଭକାରୀମାନେ କମିଶନ୍‌ଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ୍ ସେମାନଙ୍କୁ ବାଧା ଦେଇଥିଲା। ପରେ ପୋଲିସ୍‌ ବିଜେପି କର୍ମୀମାନଙ୍କୁ ଅଟକ ରଖିଥିଲା। ଜମାକାରୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥବା ଚିଟ୍‌ଫଣ୍ଡ୍‌ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଦାସଙ୍କୁ ହଟାଇବା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବିଜେପି ନେତା।

ଦଳର ରାଜ୍ୟ ଉପ-ସଭାପତି ନୟନ କିଶୋର ମହାନ୍ତି କହିଛନ୍ତି,“ଜଷ୍ଟିସ୍‌ ଦାସଙ୍କ ମନ୍ତବ୍ୟ ନିନ୍ଦନୀୟ। ସେ ନିଜ ପଦରୁ ଇସ୍ତଫା ଦେଇ ଦେବା ଉଚିତ୍। ସରକାର କମିଶନ୍ ନିଯୁକ୍ତି ନେଇ ତାଙ୍କ ବିଜ୍ଞପ୍ତିକୁ ରଦ୍ଦ କରନ୍ତୁ ଓ ନୂଆ କମିଶନ ଗଠନ କରନ୍ତୁ।”

ସେ କହିଛନ୍ତି,“ଚିଟ୍‌ଫଣ୍ଡ୍ ଦୁର୍ନୀତିରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସଂପୃକ୍ତି ରହିଥିଲେ ହେଁ ସରକାର ତାଙ୍କୁ ହଟାଉ ନାହାନ୍ତି। କାରଣ ସେ ବାହାରିଲେ ବିଜେଡିର ଡଜନେରୁ ଅଧିକ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ସହିତ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ ବି ଫସିଯିବ। ତେଣୁ ସରକାର ନିଜକୁ ବଞ୍ଚାଇବାକୁ ଯାଇ ଚିଟ୍‌ଫଣ୍ଡ୍‌ ମାମଲାରେ କାହାକୁ ବହିଷ୍କାର କରିବା ପାଇଁ ସାହାସ କରୁନାହାନ୍ତି।”

ବିକ୍ଷୋଭରେ ବିଜେପିର ବରିଷ୍ଠ ନେତା ତଥା  ପୂର୍ବତନ ମନ୍ତ୍ରୀ ସମୀର ଦେ, କଟକ ନଗର ବିଜେପି ସଭାପତି ଲକ୍ଷ୍ମୀଧର ପ୍ରଧାନ ଓ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲୀ ପ୍ରମୁଖ ସାମିଲ ହୋଇଥିଲେ। ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ।

ଚିଟ୍‌ଫଣ୍ଡ୍ କମିଶନ ଅଧ୍ୟକ୍ଷଙ୍କ ବହିଷ୍କାର ଓ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି ବିଜେପି ପକ୍ଷରୁ ସବୁ ଜିଲ୍ଲାରେ ଧାରଣା ଦିଆଯିବ।

Related story