ବଲାଙ୍ଗିର: ବିଡିଓ ଓ ପୋଲିସ୍ ଅଧିକାରୀଙ୍କ ଦୁର୍ବ୍ୟବହାର ଯୋଗୁଁ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗିର: ବିଡିଓ ଓ ପୋଲିସ୍‌ ଅଧିକାରୀଙ୍କ ଦୁର୍ବ୍ୟବହାର ଯୋଗୁଁ ବଲାଙ୍ଗିର ଜିଲ୍ଳାରେ ମଙ୍ଗଳବାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦୁର୍ଯ୍ୟୋଧନ ବାଗ। ତାଙ୍କ ଘର ଜିଲ୍ଲାର ତୁରେକେଲା ବ୍ଲକ୍ ଅନ୍ତର୍ଗତ ଢୁସାମୁଣ୍ଡା ଗାଁରେ। ଫସଲହାନି ଓ ଋଣବୋଝ ଚିନ୍ତାରେ ଚାରି ମାସ ତଳେ ତାଙ୍କ ସ୍ତ୍ରୀ ଉଜୁଲି ବାଗ ଆତ୍ମହତ୍ୟା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉଜୁଲିଙ୍କ ମୃତ୍ୟୁ ପରେ ତୁରେକେଲା ବିଡିଓ ଦୁର୍ଯ୍ୟୋଧନଙ୍କୁ ୧୦ ହଜାର ଟଙ୍କାର ସହାୟତା […]

Farmer Suicide

Rakesh Mallick
  • Published: Wednesday, 06 April 2016
  • , Updated: 06 April 2016, 10:51 AM IST

[caption id="attachment_77584" align="alignleft" width="300"] ମୃତ ଚାଷୀ ଦୁର୍ଯ୍ୟୋଧନ ବାଗ[/caption]

ବଲାଙ୍ଗିର: ବିଡିଓ ଓ ପୋଲିସ୍‌ ଅଧିକାରୀଙ୍କ ଦୁର୍ବ୍ୟବହାର ଯୋଗୁଁ ବଲାଙ୍ଗିର ଜିଲ୍ଳାରେ ମଙ୍ଗଳବାର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଦୁର୍ଯ୍ୟୋଧନ ବାଗ। ତାଙ୍କ ଘର ଜିଲ୍ଲାର ତୁରେକେଲା ବ୍ଲକ୍ ଅନ୍ତର୍ଗତ ଢୁସାମୁଣ୍ଡା ଗାଁରେ। ଫସଲହାନି ଓ ଋଣବୋଝ ଚିନ୍ତାରେ ଚାରି ମାସ ତଳେ ତାଙ୍କ ସ୍ତ୍ରୀ ଉଜୁଲି ବାଗ ଆତ୍ମହତ୍ୟା କରିଥିଲେ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉଜୁଲିଙ୍କ ମୃତ୍ୟୁ ପରେ ତୁରେକେଲା ବିଡିଓ ଦୁର୍ଯ୍ୟୋଧନଙ୍କୁ ୧୦ ହଜାର ଟଙ୍କାର ସହାୟତା ଦେବା ସହିତ ଇନ୍ଦିରା ଆବାସ ଯୋଜନାରେ ଘର ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏଥିରେ ମଧ୍ୟସ୍ଥି ସାଜିଥିଲେ ତୁରେକେଲା ଥାନା ଏସ୍‌ଆଇ ଏସ୍‌.ଏଲ୍‌ ଭୋଇ। ଇନ୍ଦିରା ଆବାସ ଘର ପାଇଁ କିଛି ଦିନ ହେଲେ ଦୁର୍ଯ୍ୟୋଧନ ତୁରେକେଲା ବିଡିଓଙ୍କ ନିକଟକୁ ବାରମ୍ବାର ଯାଇଥିଲେ। ତେବେ ବିଡିଓ ତାଙ୍କୁ ଦୁର୍ବ୍ୟବହାର କରି ଘଉଡ଼ାଇ ଦେଇଥିଲେ। ତା’ପରେ ସେ ତୁରେକେଲା ଏସ୍‌ଆଇଙ୍କ ନିକଟକୁ ଗୁହାରି କରିବାକୁ ଯାଇଥିଲେ। ତେବେ ସେ ବି ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେଥିଯୋଗୁଁ ସେ ନିରାଶ ହୋଇପଡ଼ିଥିଲେ ଏବଂ ଗତକାଲି ସନ୍ଧ୍ୟାରେ କୀଟନାଶକ ଔଷଧ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବଲାଙ୍ଗିର ଜିଲ୍ଲାପାଳ ଏମ୍‌.ମୁଥୁକୁମାର କହିଛନ୍ତି,“ଏ ଅଭିଯୋଗ ସଂପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ମୁଁ ସବ୍‌-କଲେକ୍ଟରଙ୍କୁ କହିଛି। ରିପୋର୍ଟ ଆସିବା ପରେ ସବୁ କଥା ଜଣାପଡ଼ିଯିବ।”

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୨ ତାରିଖରେ ବଲାଙ୍ଗିର ଜିଲ୍ଲାର ଆଗଲପୁର ବ୍ଲକ୍ ଅନ୍ତର୍ଗତ ହରଭଙ୍ଗା ଗାଁରେ ନନ୍ଦିଘୋଷ ବାରିକ ନାମକ ଜଣେ ଚାଷୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ ଫସଲ ନଷ୍ଟ ହୋଇଯାଇ ଥିବାରୁ ସେ ଚିନ୍ତାରେ ଥିଲେ। ଆତ୍ମହତ୍ୟା କରିବାର ପୂର୍ବଦିନ ସେ ଉପଜିଲ୍ଲାପାଳଙ୍କୁ ଭେଟିବାକୁ ଯାଇଥିଲେ। ତେବେ ଜିଲ୍ଲା ପ୍ରଶାସନଠାରୁ କିଛି ପ୍ରତିଶ୍ରୁତି ନ ମିଳିବାରୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

Related story