କୌଣସି ଚାଷୀ ଆତ୍ମହତ୍ୟା କରି ନ ଥିବା ନେଇ ସରକାରଙ୍କ ଯୁକ୍ତି ଉପରେ ପ୍ରଶ୍ନବାଚୀ: ତଦନ୍ତ ରିପୋର୍ଟରେ ୧୫ ଚାଷୀଙ୍କ ଫସଲ ଉଜୁଡ଼ିଛି, ଋଣ ବି କରିଛନ୍ତି

ଭୁବନେଶ୍ୱର: ରାଜ୍ୟରେ ମରୁଡି ପଡିଛି। ୩୦ରୁ ୨୬ ଜିଲ୍ଲା ଏଥିରେ ପ୍ରଭାବିତ ହୋଇଛି। ବହୁ ସ୍ଥାନରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଫସଲ ଉଜୁଡି ଯାଇଛି। ହେଲେ ରାଜ୍ୟରେ ଜଣେ ହେଲେ ବି ଚାଷୀ ଋଣଭାର କି ଫସଲହାନୀ ଯୋଗୁଁ ମରିନାହାନ୍ତି। ଏ ସବୁ କଥା କହୁଛନ୍ତି ସରକାର। ଜିଲ୍ଲାପାଳ ଓ ଏସପିମାନେ ଦେଇଥିବା ରିପୋର୍ଟକୁ ଆଧାର କରି ସରକାର ଏପରି କହୁଛନ୍ତି। ତେବେ ଓଟିଭିକୁ ହସ୍ତଗତ ହୋଇଥିବା ତଥ୍ୟ ସରକାର ସତ କହୁଛନ୍ତି ନା ନିଜ ଦୋଷ […]

chasi

Rakesh Mallick
  • Published: Wednesday, 09 December 2015
  • , Updated: 10 December 2015, 03:18 AM IST

ଭୁବନେଶ୍ୱର: ରାଜ୍ୟରେ ମରୁଡି ପଡିଛି। ୩୦ରୁ ୨୬ ଜିଲ୍ଲା ଏଥିରେ ପ୍ରଭାବିତ ହୋଇଛି। ବହୁ ସ୍ଥାନରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଫସଲ ଉଜୁଡି ଯାଇଛି। ହେଲେ ରାଜ୍ୟରେ ଜଣେ ହେଲେ ବି ଚାଷୀ ଋଣଭାର କି ଫସଲହାନୀ ଯୋଗୁଁ ମରିନାହାନ୍ତି। ଏ ସବୁ କଥା କହୁଛନ୍ତି ସରକାର। ଜିଲ୍ଲାପାଳ ଓ ଏସପିମାନେ ଦେଇଥିବା ରିପୋର୍ଟକୁ ଆଧାର କରି ସରକାର ଏପରି କହୁଛନ୍ତି। ତେବେ ଓଟିଭିକୁ ହସ୍ତଗତ ହୋଇଥିବା ତଥ୍ୟ ସରକାର ସତ କହୁଛନ୍ତି ନା ନିଜ ଦୋଷ ଲୁଚାଉଛନ୍ତି ତାହା ଉପରେ ପ୍ରଶ୍ନବାଚୀ ଲଗାଇ ଦେଇଛି। ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ ୧୫ଟି ମାମଲାରେ ଚାଷୀ ଋଣ ନେଇଛନ୍ତି, ଫସଲ ବି ନଷ୍ଟ ହୋଇଛି। ଯଦି ଏ ଦୁଇଟି କଥା ସତ ତେବେ ପ୍ରଶ୍ନ ଉଠୁଛି ଫସଲହାନୀ ଓ ଋଣଭାର ଯୋଗୁ କେହି ଆତ୍ମହତ୍ୟା କରିନାହାନ୍ତି ବୋଲି ସରକାରଙ୍କ ଦମ୍ଭୋକ୍ତି କେତେଦୂର ଯୁକ୍ତିଯୁକ୍ତ।

ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟରେ ଏମିତି ବି କିଛି ତଥ୍ୟ ଅଛି ଯେଉଁଠି ଚାଷୀ ଋଣ କରିଥିବା ଓ ଫସଲହାନୀ ହୋଇଥିବା ଦର୍ଶାଯାଇଛି। ୧୨୨ ଆତ୍ମହତ୍ୟାର ତଦନ୍ତ ରିପୋର୍ଟ ଭିତରୁ ୧୫ଟି ମାମଲାରେ ଉଭୟ ଋଣଗ୍ରସ୍ତ ଓ ଫସଲହାନୀ ଦର୍ଶାଯାଇଛି। ଡିସେମ୍ୱର ୧ତାରିଖ ସୁଦ୍ଧା ଚାଷୀ ଆତ୍ମହତ୍ୟାର ଜିଲ୍ଲାପାଳମାନଙ୍କ ତଦନ୍ତ ରିପୋର୍ଟକୁ ଅନୁସାରେ ନବରଙ୍ଗପୁରର ଚାଷୀ ଦଶାରୁ ଗୌଡ ନଭେମ୍ୱର ୧୬ରେ ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁସାରେ ତାଙ୍କର ୨ ଏକର ଜମିରେ ୬୬ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି। ପତ୍ନୀଙ୍କ ନାଁରେ ସ୍ୱୟଂସହାୟକ ଗୋଷ୍ଠୀରୁ ଆଣିଛନ୍ତି ୧୫ ହଜାର ଟଙ୍କାର ଋଣ। ତେବେ ମୃତ୍ୟୁର କାରଣକୁ ନେଇ ଜିଲ୍ଲାପାଳ କିଛି ଉଲ୍ଲେଖ କରିନାହାନ୍ତି।

ବଲାଙ୍ଗିରର ଚାଷୀ କୃତିବାସ ଗହିର ଅକ୍ଟୋବର ୨୭ ତାରିଖରେ ଆତ୍ମହତ୍ୟା କରିଛନ୍ତି। ରିପୋର୍ଟ ଅନୁସାରେ ସେ କୋ-ଅପରେଟିଭ ବ୍ୟାଙ୍କରୁ ୭୨ହଜାର ୨୦୦ ଟଙ୍କା ଋଣ କରିଥିବା ବେଳେ ଲେବର ଏଜେଣ୍ଟଙ୍କ ପାଖରୁ ୬୦ହଜାର ଟଙ୍କା ଆଣିଛନ୍ତି। ତଦନ୍ତ ରିପୋର୍ଟରେ ଫସଲ  ନଷ୍ଟ ହୋଇଥିବା ଦର୍ଶାଯାଇଛି। ହେଲେ ପାରିବାରିକ କଳହରୁ ନିଶାସକ୍ତ ଅବସ୍ଥାରେ କୀଟନାଶକ ପିଇବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି।

କେନ୍ଦୁଝରର ଚାଷୀ ଶତୁଘ୍ନ ବେହେରା ଅକ୍ଟୋବର ୨୬ରେ ଆତ୍ମହତ୍ୟା କରିଥିଲେ। ରିପୋର୍ଟ କହୁଛି ତାଙ୍କର ଫସଲ ନଷ୍ଟ ହୋଇଛି। ସେ ଗ୍ରାମ୍ୟ ବ୍ୟାଙ୍କରୁ ୬୨ହଜାର ୩୦୦ଟଙ୍କା ଋଣ ନେଇଛନ୍ତି। ଫସଲ ନଷ୍ଟ ହୋଇଥିବା ସତ ହେଲେ ବି ଏହି କାରଣରୁ ସେ ଆତ୍ମହତ୍ୟା କରି ନ ଥିବା ଦର୍ଶାଯାଇଛି।

ସୁନ୍ଦରଗଡର ଚାଷୀ ଛତନ ଏକକା ନଭେମ୍ବର ୧୯ରେ ଆତ୍ମହତ୍ୟା କରିଥିଲେ। ଫସଲ ନଷ୍ଟ ହୋଇଥିବା ଜିଲ୍ଲାପାଳ ତଦନ୍ତ ରିପୋର୍ଟ ଉଲ୍ଲେଖ କରିଛନ୍ତି। ଦୁଇଟି ସଂସ୍ଥାରୁ ଛତନ ୩୧ହଜାର ଟଙ୍କା ଋଣ କରିଛନ୍ତି। ତେବେ ପରିବାରର ବୋଝ ବେକାରୀ ପୁଅ ନେଉ ନ ଥିବାରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଇଛି।

ଅନ୍ୟପକ୍ଷେ ବିଧାନସଭାରେ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଏବଂ ଚନ୍ଦ୍ରଶେଖର ମାଝି ଚାଷୀ ଆତ୍ମହତ୍ୟା ନେଇ ମାଗିଥିବା ପ୍ରଶ୍ନର ଉତ୍ତରରେ ଆତ୍ମହତ୍ୟାର କାରଣ ଦେଇ ନ ଥିଲେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ଜଣେ ବି ଚାଷୀ ମରୁଡି କ୍ଷୟକ୍ଷତି କିମ୍ୱା ଋଣ ବୋଝ ଯୋଗୁ ମରି ନ ଥିବା ଉତ୍ତର ରଖିଥିଲେ। ତେବେ ରିପୋର୍ଟରୁ ଆତ୍ମହତ୍ୟା କାରଣ ଦର୍ଶାଉଥିବା ଗୁରୁତ୍ୱପୂର୍ଣ୍ଣ ଅଂଶକୁ ବାଦ୍ ଦେଇ ଉପସ୍ଥାପିତ କରାଯାଇଛି। ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Related story