ଛାତ୍ରପୁର କାଉନ୍‌ସିଲରଙ୍କୁ ବିଜେପି ପ୍ରରୋଚନାରେ ହତ୍ୟା କରାଯାଇଛି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଛତ୍ରପୁର ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ବିଜେପି ପ୍ରରୋଚନାରେ ହତ୍ୟା କରାଯାଇଛି। ବ୍ରହ୍ମପୁରରେ ‘ମୋ’ ବୁଥ୍‌ ମଜବୁଥ୍‌’ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବଡ଼ବଡ଼ ନେତାମାନେ ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ କୃଷ୍ଣ ନାୟକଙ୍କ ଦ୍ୱାରା ଲକ୍ଷ୍ମୀଦତ୍ତଙ୍କୁ ହତ୍ୟା କରାଇଛନ୍ତି। ଆଜି ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦ।

ନନ୍ଦ କହିଛନ୍ତି-“ଗଞ୍ଜାମରେ ‘ମୋ ବୁଥ୍‌ ମଜବୁଥ୍‌’ କାର୍ଯ୍ୟକ୍ରମ କରିବାକୁ ବିଜେପି ଚାହିଁଥିଲା। ସେତେବେଳେ ଅଧିକ କର୍ମୀ ନହେବେ ବୋଲି ଭାବିଥିଲେ। ବିଜେପି ସେହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କିଛି ମାଫିଆ ଓ ଗୁଣ୍ଡାଙ୍କୁ ନେଇ ଦଳରେ ସାମଲ କରିଥିଲା। ଏପରିକି ସେମାନଙ୍କ ହାତ ଧରି ଫଟୋ ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ।”

ସେ କହିଛନ୍ତି-“ଛତ୍ରପୁର ଏନ୍‌ଏସିର କାଉନ୍‌ସିଲରଙ୍କୁ ସମସ୍ତଙ୍କ ସମ୍ନାରେ ଗୋଡାଇ ଗୋଡ଼ାଇ ବିଜେପି କର୍ମୀମାନେ ହତ୍ୟା କଲେ। ମାତ୍ର ଏଥିପାଇଁ ସେମାନେ ଅନୁତାପ କଲେ ନାହିଁ। ବିଜେପି ସିବିଆଇ ଓ ଗୁଣ୍ଡାମାନଙ୍କୁ ନେଇ ଯେଉଁ ୧୨୦ର ସପ୍ନ ଦେଖିଛି, ଏହା ବିରୋଧରେ ବିଜେଡି ରାସ୍ତାକୁ ଓହ୍ଲାଇବ।”

ପ୍ରଶାନ୍ତ ନନ୍ଦଙ୍କ ଅଭିଯୋଗର ଜବାବ ରଖିଲେ ବିଜେପି ମୁଖପାତ୍ର ଗୋଲୋକ ମହାପାତ୍ର। ସେ କହିଛନ୍ତି-“ବିଧାୟକ ଓ କାଉନ୍‌ସିଲର ବିବାଦରୁ ଲକ୍ଷ୍ମୀଦତ୍ତଙ୍କୁ ହତ୍ୟା କରାଯାଇଛି। ମୃତ କାଉନସିଲର ଚେୟାରମ୍ୟାନଙ୍କ ଗୋଷ୍ଠୀର ଥିଲେ। ହତ୍ୟାକାରୀ ହତ୍ୟାକାଣ୍ଡ ପୂର୍ବରୁ ବିଧାୟକଙ୍କ ଘରକୁ ଯାଇଥିଲେ। ବିଧାୟକଙ୍କ ଘରେ ଲାଗିଥିବା ସିସିଟିଭି ଯାଞ୍ଚ ହେଲେ ସ୍ପଷ୍ଟ ହେବ।”

କିଛି ଦିନ ତଳେ ବ୍ରହ୍ମପୁରରେ ହୋଇଥିଲା ‘ମୋ’ ବୁଥ୍‌ ମଜବୁଥ୍‌’ କାର୍ଯ୍ୟକ୍ରମ। ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କୃଷ୍ଣ ନାୟକ ବିଜେପିରେ ଯୋଗଦେଇଥିଲେ।