ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ବିଜେଡି ଆକାଉଣ୍ଟକୁ ଯାଇଛି କୋଟି କୋଟି ଟଙ୍କା: ନରସିଂହ ମିଶ୍ର

ଭୁବନେଶ୍ୱର: ଚିଟ୍‌ଫଣ୍ଡ କେଳେଙ୍କାରୀରେ ବିଜେଡିର ସମ୍ପୃକ୍ତି ନେଇ ପୁଣି ଏକ ଗୁରୁତର ଅଭିଯୋଗ ଆସିଛି। ଏହି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ୨ ଜଣ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟକୁ ଆସିଥିବା ଟଙ୍କାକୁ ନେଇ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ଏହି ଆକାଉଣ୍ଟ ବିଜେଡିର କି ନୁହେଁ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଗୋଟିଏ ଦିନରେ ଏହି ଆକାଉଣ୍ଟକୁ ୮ କୋଟି ଟଙ୍କା ଆସିଥିବା ଓ […]

narashingha

Rakesh Mallick
  • Published: Tuesday, 03 May 2016
  • , Updated: 04 May 2016, 07:35 AM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ କେଳେଙ୍କାରୀରେ ବିଜେଡିର ସମ୍ପୃକ୍ତି ନେଇ ପୁଣି ଏକ ଗୁରୁତର ଅଭିଯୋଗ ଆସିଛି। ଏହି ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ୨ ଜଣ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟକୁ ଆସିଥିବା ଟଙ୍କାକୁ ନେଇ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ଏହି ଆକାଉଣ୍ଟ ବିଜେଡିର କି ନୁହେଁ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଗୋଟିଏ ଦିନରେ ଏହି ଆକାଉଣ୍ଟକୁ ୮ କୋଟି ଟଙ୍କା ଆସିଥିବା ଓ ଏହି ଟଙ୍କା କେଉଁଠୁ ଆସିଲା ବୋଲି ବିଧାନସଭାରେ ମିଶ୍ର ପ୍ରଶ୍ନ କରିଛନ୍ତି।

ମିଶ୍ର କହିଛନ୍ତି, “ଏସ୍‌ବିଆଇ ମେନ ବ୍ରାଞ୍ଚରେ ୧୦୦୯୧୭୫୫୨୪୬ ନମ୍ବରରେ ଏହି ଆକାଉଣ୍ଟ ରହିଛି। ଏହା ବିଜେଡିର ଆକାଉଣ୍ଟ କି ନୁହେଁ, ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ। ଚିଟ୍‌ଫଣ୍ଡ ଅଭିଯୁକ୍ତ ଶ୍ରୀକୃଷ୍ଣ ପାଢୀ ଏବଂ ତାଙ୍କ ବାପା ପୂର୍ଣ୍ଣ ପାଢୀଙ୍କ ଆକାଉଣ୍ଟରୁ ଏହି ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାନ୍ସଫର ହୋଇଛି।  ଏଟି ଲିଙ୍କ୍‌ ଅଭିଯୋଗରେ ଶ୍ରୀକୃଷ୍ଣ ପାଢୀ ଏବେ ଜେଲରେ ଅଛନ୍ତି। ବାପପୁଅଙ୍କ ଆକାଉଣ୍ଟରୁ ଏସ୍‌ବିଆଇ ମେନ୍‌ ବ୍ରାଞ୍ଚରେ ଥିବା ଆକାଉଣ୍ଟକୁ ଟଙ୍କା ଆସିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି କି ନାହିଁ ସ୍ପଷ୍ଟ କରନ୍ତୁ?” ସେହିପରି କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବା ବେଳେ ଏ କଥା କେମିତି ଜାଣି ପାରିଲା ନାହିଁ ବୋଲି ମିଶ୍ର ପଚାରିଛନ୍ତି।

ବିରୋଧୀ ଦଳ ନେତାଙ୍କ ଏହି ଅଭିଯୋଗ ପରେ ବିଜେପି ମଧ୍ୟ ଶାସକ ଦଳକୁ ଟାର୍ଗେଟ୍‌ କରିଛି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ବିରୋଧୀ ଦଳ ନେତାଙ୍କ ଅଭିଯୋଗ ଅନୁସାରେ ଏସ୍‌ବିଆଇ ମେନ ବ୍ରାଞ୍ଚରେ ଥିବା ଆକାଉଣ୍ଟକୁ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ଟଙ୍କା ଯାଇଛି। ଆକାଣ୍ଟଟଟି ବିଜେଡି ନାଁରେ ରହିଛି। ନବୀନ ପଟ୍ଟନାୟକ ବିଜେଡିର ସଭାପତି ଥିବାରୁ ସେ ବି ଏଥିରେ ସମ୍ପୃକ୍ତ। ମୁଖ୍ୟମନ୍ତ୍ରୀ ଏହା ଉପରେ ଗୃହରେ ବିବୃତି ଦେବା ଆବଶ୍ୟକ।”

ଅନ୍ୟପକ୍ଷରେ ବିଜେଡି ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟକୁ ଚ୍ୟାଲେଞ୍ଜ କରି କହିଛି, ସାହସ ଥିଲେ ତଥ୍ୟ ସିବିଆଇକୁ ଦିଅନ୍ତୁ। ଅଭିଯୋଗ ପ୍ରମାଣ କରି ନ ପାରିଲେ ନରସିଂହ ମିଶ୍ର ରାଜନୀତି ଛାଡିବେ କି ବୋଲି ଦଳ ପ୍ରଶ୍ନ କରିଛି।

ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି, “ଏ ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ। ଯଦି କିଛି ପ୍ରମାଣ ଅଛି ତେବେ ସେ (ନରସିଂହ ମିଶ୍ର) ସିବିଆଇକୁ ତଥ୍ୟ ଦିଅନ୍ତୁ। ପ୍ରମାଣ କରି ନ ପାରିଲେ ସେ ସବୁଦିନ ପାଇଁ ରାଜନୀତିରୁ ସନ୍ୟାସ ନିଅନ୍ତୁ, ନ ହେଲେ ସମସ୍ତଙ୍କୁ କ୍ଷମା ମାଗନ୍ତୁ।”

ଚିଟ୍‌ଫଣ୍ଡ ଲିଙ୍କରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସମ୍ପୃକ୍ତି ଅଭିଯୋଗ ପରେ ବିରୋଧୀଙ୍କ ନୂଆ ଅଭିଯୋଗ ବିଧାନସଭାରେ ସରକାରଙ୍କୁ ଏବେ କାଠଗଡ଼ାରେ ଠିଆ କରିଛି।

Related story