ଚିଟ୍‌ଫଣ୍ଡ ଲିଙ୍କ୍‌: ଆଇନ୍‌ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର: ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଚିଟ୍‌ଫଣ୍ଡ କମିଶନ ଜଷ୍ଟିସ ଏମ୍‌.ଏମ୍‌. ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ବିଜେପି ଟାର୍ଗେଟରେ ଏବେ ଆଇନ ମନ୍ତ୍ରୀ ଅରୁଣ ସାହୁ। ବିଜେପି ମନ୍ତ୍ରୀ ସାହୁଙ୍କୁ ଚିଟ୍‌ଫଣ୍ଡ ଆଇକନ୍‌ ବୋଲି କହିବା ସହ ତାଙ୍କ ଇସ୍ତଫା ଦାବି କରିଛି। ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ବିଜେପି ରାଜ୍ୟ ଉପ ସଭାପତି ସମୀର ମାହାନ୍ତି କହିଛନ୍ତି, “ଚିଟ୍‌ଫଣ୍ଡ କମ୍ପାନୀକୁ ସୁରକ୍ଷା ଦେବାରେ ଜଷ୍ଟିସ୍‌ ଏମ୍‌.ଏମ୍‌. ଦାସ ଏବଂ ଅରୁଣ ସାହୁ […]

samir-mahanty

Rakesh Mallick
  • Published: Thursday, 05 May 2016
  • , Updated: 05 May 2016, 02:50 PM IST

ଭୁବନେଶ୍ୱର: ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଚିଟ୍‌ଫଣ୍ଡ କମିଶନ ଜଷ୍ଟିସ ଏମ୍‌.ଏମ୍‌. ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ବିଜେପି ଟାର୍ଗେଟରେ ଏବେ ଆଇନ ମନ୍ତ୍ରୀ ଅରୁଣ ସାହୁ। ବିଜେପି ମନ୍ତ୍ରୀ ସାହୁଙ୍କୁ ଚିଟ୍‌ଫଣ୍ଡ ଆଇକନ୍‌ ବୋଲି କହିବା ସହ ତାଙ୍କ ଇସ୍ତଫା ଦାବି କରିଛି। ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ବିଜେପି ରାଜ୍ୟ ଉପ ସଭାପତି ସମୀର ମାହାନ୍ତି କହିଛନ୍ତି, “ଚିଟ୍‌ଫଣ୍ଡ କମ୍ପାନୀକୁ ସୁରକ୍ଷା ଦେବାରେ ଜଷ୍ଟିସ୍‌ ଏମ୍‌.ଏମ୍‌. ଦାସ ଏବଂ ଅରୁଣ ସାହୁ ଗୋଟିଏ ଲାଉର ମଞ୍ଜି। ଆଇନ ମନ୍ତ୍ରୀ ଚିଟ୍‌ଫଣ୍ଡ ଭଳି ଠକ କମ୍ପାନୀଙ୍କ ଆଇକନ ସାଜିଛନ୍ତି। ତାଙ୍କର ବିଧାନସଭାରେ ବକ୍ତବ୍ୟ ଦେବାର ନୈତିକ ଅଧିକାର ନାହିଁ। ସେ ସରକାରଙ୍କୁ ବିଧାନସଭାରେ ସୁରକ୍ଷା ପ୍ରଦାନ କରିପାରିବେ ନାହିଁ। ସେ ତାଙ୍କ ପଦର ମର୍ଯ୍ୟାଦା ରଖି ନାହାନ୍ତି, ଇସ୍ତଫା ଦେବା ଦରକାର।”

ମାହାନ୍ତି କହିଛନ୍ତି, “ଓଡ଼ିଶା ଭାସ୍କର ୟୁଥ ଆଇକନ୍‌ ଆୱାଡ-୨୦୧୦ କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ଅର୍ଥତତ୍ତ୍ୱ, ସି-ସୋର ଓ ଏସ୍‌ଏଲ୍‌ବି ପରି ଚିଟ୍‌ଫଣ୍ଡ କମ୍ପାନୀ। ଏଥିରେ ଅରୁଣ ସାହୁଙ୍କୁ ୟୁଥ ଆଇକନ୍‌ ମୁକୁଟ୍‌ ପିନ୍ଧା ଯାଇଥିଲା। ୨୦୧୧ ଜୁନ ୨୦ରେ ସ୍ୱସ୍ତି ପ୍ରିମିୟମରେ କାର୍ଯ୍ୟକ୍ରମ ହୋଇଥିଲେ। ସେଠାରେ ମାଳ ମାଳ ବିଜେଡି ନେତା ଉପସ୍ଥିତ ଥିଲେ। ଏହା କ’ଣ ଚିଟ୍‌ଫଣ୍ଡ ପ୍ରୀତିର ପ୍ରମାଣ ନୁହେଁ ? ଅରୁଣଙ୍କ ମୁଣ୍ଡରେ ୟୁଥ ଆଇକନ ମୁକୁଟ ପିନ୍ଧାଇବା ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ଟଙ୍କା କାହାର, ଏହା ଚିଟ୍‌ଫଣ୍ଡ ଟଙ୍କା ନୁହେଁ ତ? ଏହା ଚିଟ୍‌ଫଣ୍ଡ ଟଙ୍କା ନୁହେଁ ବୋଲି ଅରୁଣ ସାହୁ ଛାତିରେ ହାତ ଦେଇ କହିପାରିବେ ତ?”

ସେ କହିଛନ୍ତି, “ଚିଟ୍‌ଫଣ୍ଡ ପ୍ରାୟୋଜିତ କାର୍ଯ୍ୟକ୍ରମରେ ନବୀନ କ୍ୟାବିନେଟ୍‌ର ଦୁଇ ନମ୍ବର ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ବିଧାୟକ ପ୍ରଭାତ ତ୍ରିପାଠୀ, ସମୀର ଦାସ ଓ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ଅନ୍ତରଙ୍ଗ ଯୋଗଦାନ ଚିଟ୍‌ଫଣ୍ଡ ମାଲିକମାନଙ୍କୁ ବେପାର ବଢାଇବାରେ ସହାୟକ ହୋଇଥିଲା। ଚିଟ୍‌ଫଣ୍ଡ କେଳେଙ୍କାରୀରୁ ମୁହଁ ବୁଲାଇ ଲୋକଙ୍କୁ ଭକୁଆ ବନାଇ ଏହି ନେତାମାନେ ନିଜକୁ ସତୀ ବୋଲାଉଛନ୍ତି କାହିଁକି? ସ୍ୱସ୍ତି ପ୍ରିମିୟମ ହୋଟେଲରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥିଙ୍କ ମନୋରଞ୍ଜନ ପାଇଁ ଆନ୍ତର୍ଜାତୀୟ ସ୍ତରର ବଛା ବଛା ମଡେଲଙ୍କୁ ଅଣାଯାଇଥିଲା। ଏଥିପାଇଁ ଚିଟ୍‌ଫଣ୍ଡ କମ୍ପାନୀମାନେ ଯେଉଁ ବିପୁଳ ଟଙ୍କା ଖର୍ଚ୍ଚ କରିଥିଲେ, ତାହା ୨୦ଲକ୍ଷ କ୍ଷତିଗ୍ରସ୍ତ ଲୋକଙ୍କ ଟଙ୍କା କି ? ବିଭିନ୍ନ ଆଇନ କରି ଏହି କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରାଇବାକୁ ସରକାର କହୁଥିବା ବେଳେ ସଞ୍ଜୟ, ଅରୁଣ ଓ ଜଷ୍ଟିସ୍‌ ଦାସଙ୍କ ଜରିଆରେ ପରୋକ୍ଷରେ ସେମାନଙ୍କ କଟା ଘା’ରେ ଚୂନ ଲଗାଇଛନ୍ତି। କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସରକାର କେବେ ଟଙ୍କା ଫେରାଇବେ ବିଜେପି ପ୍ରଶ୍ନ କରୁଛି।”

ସେ ଆହୁରି କହିଛନ୍ତି, “ଜଷ୍ଟିସ ଦାସଙ୍କ ଇସ୍ତଫା ଦାବି କରିଛୁ। ବିଜେପି ୩୬ଟି ସାଂଗଠନିକ ଜିଲ୍ଲାରେ ତା’ର କାର୍ଯ୍ୟକ୍ରମ କରିଛି। ବିଧାନସଭାରେ ସଞ୍ଜୟ ଦାସବର୍ମା ଓ ଜଷ୍ଟିସ ଦାସଙ୍କ ଇସ୍ତଫା ଦାବି କରିଛୁ। ଆଇନ ମନ୍ତ୍ରୀ ଚିଟ୍‌ଫଣ୍ଡ କମ୍ପାନୀଙ୍କ ସହ ପୂର୍ଣ୍ଣମାତ୍ରାରେ ସମ୍ପୃକ୍ତ ଅଛନ୍ତି। ତାଙ୍କ ଉପସ୍ଥିତିରେ ଜଷ୍ଟିସ୍‌ ଦାସ ବକ୍ତବ୍ୟ ରଖିଲେ। ଆଇନମନ୍ତ୍ରୀ ମଧ୍ୟ ଇସ୍ତଫା ଦିଅନ୍ତୁ ଓ ୨୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ କିପରି ଓ କେବେ ସରକାର ଟଙ୍କା ଫେରାଇବେ ଶୀଘ୍ର ସ୍ପଷ୍ଟ କରନ୍ତୁ।”

ବିଜେପି ଅଭିଯୋଗର କଡା ଜବାବ ଦେଇଛି ବିଜେଡି। ବିଜେଡି ମୁଖପାତ୍ର ପ୍ରତାପ ଜେନା ୟୁଥ ଆଇକନ୍‌ କାର୍ଯ୍ୟକ୍ରମର କିଛି ଫଟୋ ଦେଖାଇ କହିଛନ୍ତି, “ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅରୁଣ ସାହୁଙ୍କୁ ଯୋଗଦାନକୁ ନେଇ ଚିଟ୍‌ଫଣ୍ଡ କମ୍ପାନୀକୁ ପ୍ରମୋସନ କରିବା ଅଭିଯୋଗ କରି ବିଜେପି ପକ୍ଷରୁ ତାଙ୍କ ଇସ୍ତଫା ଦାବି କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅରୁଣ ସାହୁଙ୍କ ସହ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚରେ ବସିଥିଲେ। ବର୍ତ୍ତମାନର ମାନବ ସମ୍ବଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ମଞ୍ଚରେ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଏବଂ ବିଜେପି ବରିଷ୍ଠ ନେତା କେଭି ସିଂଦେଓ ଉପସ୍ଥିତ ଥିଲେ। ବିଜେପି ନିଜ କଥା ନ କହି ଓଡ଼ିଶାର ଜଣେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା କେତେଦୂର ଯୁକ୍ତିଯୁକ୍ତ ରାଜ୍ୟବାସୀ ବିଚାର କରିବେ। ନିଜ ଦଳର ଯେଉଁ ମନ୍ତ୍ରୀ ଓ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜ୍ୟ ବିଜେପି ସେମାନଙ୍କ ଇସ୍ତଫା ଦାବି କରିବ କି ?

ଜଣଙ୍କ ପରେ ଜଣେ ମନ୍ତ୍ରୀ ଓ ଜଷ୍ଟିସ୍‌ ଦାସଙ୍କ ଚିଟ୍‌ଫଣ୍ଡ ଲିଙ୍କ୍‌ ନେଇ ବିରୋଧୀ ସରକାରଙ୍କୁ କାଠଗଡାରେ ଛିଡା କରିଛନ୍ତି। ଚିଟ୍‌ଫଣ୍ଡ କେଳେଙ୍କାରୀକୁ ନେଇ ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଦିନଟିଏ ବି ଭଲରେ ଚାଲିପାରିନାହିଁ। ହଟଗୋଳ, ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବା, ତାଙ୍କ ମାଇକ ଭାଙ୍ଗିବା, ରିପୋଟରଙ୍କ ମାଇକ ଭାଙ୍ଗିବା, ସଚିବାଳୟ ପରିସରରେ ଧାରଣାରେ ବସିବା ବିଧାନସଭାରେ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ଚିଟ୍‌ଫଣ୍ଡ କେଳେଙ୍କାରୀକୁ ନେଇ ବିରୋଧୀ ରାସ୍ତାକୁ ମଧ୍ୟ ଓହ୍ଲାଇଛନ୍ତି। ଏହାବାଦ୍‌ ସରକାରୀ ଦଳ ଓ ବିରୋଧୀଙ୍କ ଆରୋପ ପ୍ରତ୍ୟାରୋପ ରାଜ୍ୟ ରାଜନୀତିକୁ ସରଗରମ କରିଛି।

Related story