ଚିଟ୍‌ଫଣ୍ଡ୍ କମିଶନ୍‌ ଅଧ୍ୟକ୍ଷଙ୍କ ବହିଷ୍କାର ଦାବିରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଏମ୍.ଏମ୍ ଦାସଙ୍କ ବହିଷ୍କାର ଦାବି କରି ଆଜି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଦଳ ପକ୍ଷରୁ ସବୁ ଜିଲ୍ଲା ସଦର ମହକୁମାରେ ଧାରଣା ଦିଆଯାଇଛି। ଭୁବନେଶ୍ୱରରେ ମଧ୍ୟ ଦଳ ପକ୍ଷରୁ ଏକ ଶୋଭାଯାତ୍ରା କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପାୱାର ହାଉସ୍‌ ଛକଠାରୁ ଏଡିଏମ୍‌ଙ୍କ ଅଫିସ୍‌ ପର୍ଯ୍ୟନ୍ତ ଅନୁଷ୍ଠିତ ଶୋଭାଯାତ୍ରାରେ ଦଳର ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ। ସେମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏଡିଏମ୍‌ଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଥିଲେ। […]

congress's chitfund-rally

Rakesh Mallick
  • Published: Monday, 02 May 2016
  • , Updated: 02 May 2016, 07:54 AM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଏମ୍.ଏମ୍ ଦାସଙ୍କ ବହିଷ୍କାର ଦାବି କରି ଆଜି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଦଳ ପକ୍ଷରୁ ସବୁ ଜିଲ୍ଲା ସଦର ମହକୁମାରେ ଧାରଣା ଦିଆଯାଇଛି।

ଭୁବନେଶ୍ୱରରେ ମଧ୍ୟ ଦଳ ପକ୍ଷରୁ ଏକ ଶୋଭାଯାତ୍ରା କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପାୱାର ହାଉସ୍‌ ଛକଠାରୁ ଏଡିଏମ୍‌ଙ୍କ ଅଫିସ୍‌ ପର୍ଯ୍ୟନ୍ତ ଅନୁଷ୍ଠିତ ଶୋଭାଯାତ୍ରାରେ ଦଳର ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ। ସେମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏଡିଏମ୍‌ଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଥିଲେ।

ବିକ୍ଷୋଭରେ ସାମିଲ ବରିଷ୍ଠ ନେତା ସୁରେଶ ରାଉତରାୟ କହିଥିଲେ,“ଚିଟ୍‌ଫଣ୍ଡ୍‌ ଦୁର୍ନୀତି ଯୋଗୁଁ ରାଜ୍ୟର ଲକ୍ଷ ଲକ୍ଷ ଲୋକ ସେମାନଙ୍କ ଅର୍ଥ ହରାଇଛନ୍ତି। ଏହି ଦୁର୍ନୀତିରେ ସରକାରଙ୍କ ମନ୍ତ୍ରୀ ଓ ବିଧାୟକମାନେ ସଂପୃକ୍ତ ଅଛନ୍ତି। ସରକାର ମନ୍ତ୍ରୀମାନଙ୍କୁ ବହିଷ୍କାର କରୁ ନାହାନ୍ତି। ପୁଣି ଏ ପ୍ରସଙ୍ଗରେ ଚିଟ୍‌ଫଣ୍ଡ୍‌ କମିଶନ୍‌ ଅଧ୍ୟକ୍ଷଙ୍କ ମନ୍ତବ୍ୟ ଲଜ୍ଜାଜନକ।”

କଂଗ୍ରେସ ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି,“ ଜଷ୍ଟିସ୍ ଏମ୍‌.ଏମ୍‌ ଦାସଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ। ସେ ସରକାରଙ୍କୁ ସୁହାଇଲା ଭଳି ମନ୍ତବ୍ୟ ଦେଇଛନ୍ତି। ତାଙ୍କ ମନ୍ତବ୍ୟରୁ ଚିଟ୍‌ଫଣ୍ଡ୍ ଦୁର୍ନୀତି ନେଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି। ତେଣୁ ଚିଟ୍‌ଫଣ୍ଡ୍‌ କମିଶନ ଅଧ୍ୟକ୍ଷ ପଦରୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି  କଂଗ୍ରେସ ଦାବି କରୁଛି। ଏଥିପାଇଁ ଆଜି ସବୁ ଜିଲ୍ଲାର ସଦର ମହକୁମାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।”

ସୁନ୍ଦରଗଡ଼ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜଷ୍ଟିସ୍‌ ଦାସଙ୍କ ବହିଷ୍କାର ସହିତ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଦୁଷ୍ମନ୍ତ କୁମାର ନାଏକଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ସ୍ଥାନୀୟ ଷ୍ଟାଡିୟମ୍ ଛକରୁ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଜିଲ୍ଲା ସଭାପତି କହିଛନ୍ତି।

ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ,“‘ଚିଟ୍‌ଫଣ୍ଡ କମିଶନ ଏମ୍‌.ଏମ୍‌. ଦାସଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଜମାକାରୀଙ୍କ ଘା’ରେ ଚୂନ ଲଗାଇବା ସଦୃଶ୍ୟ ହୋଇଛି। ଏହି ଘଟଣା ପରେ ଜଷ୍ଟିସ ଦାସ୍‌ କମିଶନ ପଦରେ ରହିବାର ନୈତିକତା ହରାଇଛନ୍ତି। ସେ ନିଜ ପଦରୁ ଇସ୍ତଫା ଦେଇ ଦେବା ଉଚିତ୍। ଯଦି ସେ ଇସ୍ତଫା ନ ଦିଅନ୍ତି ସରକାର ବିଜ୍ଞପ୍ତି ଜାରି କରି ତାଙ୍କୁ ପଦରୁ ବହିଷ୍କାର କରିବା ଉଚିତ୍।”

ସୂଚନାଯୋଗ୍ୟ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଗତ ବୁଧବାର ରାତିରେ କଟକରେ ବିଜେଡି ଆଇନଜୀବୀ ସାମୁଖ୍ୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜଷ୍ଟିସ୍ ଦାସ ଯୋଗ ଦେଇ କହିଥିଲେ ଯେ ଲୋଭଗ୍ରସ୍ତ ହୋଇ ଚିଟ୍‌ଫଣ୍ଡ୍ ଜମାକାରୀମାନେ ଠକେଇର ଶିକାର ହୋଇଛନ୍ତି। ଏଥିରେ ସରକାର ଅବା ଆଉ କାହାରି ଭୂମିକା ନାହିଁ। ସରକାର କାହିଁକି ଟଙ୍କା ଫେରାଇବେ? ଅତିବେଶୀ ହେଲେ ସରକାର ପ୍ରାକୃତିକ ଦୁର୍ବିପାକ ସହାୟତା ଭଳି କିଛି ଟଙ୍କା ଦେଇପାରନ୍ତି।

Related story