ଓଡ଼ିଶା ରାଜନୀତିରେ ବିଚିତ୍ର ଟ୍ରେଣ୍ଡ: କିଏ ଶାସକ କିଏ ବିରୋଧୀ କନ୍‌ଫ୍ୟୁଜନ

ଏବେ ଓଡ଼ିଶା ରାଜନୀତିରେ ବଡ଼ ବିଚିତ୍ର ସ୍ଥିତି ଉପୁଜିଛି। କିଏ ସରକାରୀ ଦଳ ଏବଂ କିଏ ବିରୋଧୀ ଦଳ ତାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି। ଏପରି କାହିଁକି କହିଲି ତାର କାରଣ ଅଛି। ସାଧାରଣରେ ଦେଖିବାକୁ ମିଳେ, ସରକାରରେ ଥିବା ଦଳ କେବଳ କାମରେ ମତଲବ ରଖେ। ଲୋକଙ୍କ ପାଇଁ ଏହା ଯୋଜନା ପ୍ରଣୟନ ଓ କାର୍ଯ୍ୟକାରୀ କରିବ। ଏହା କେବଳ ଜନତାଙ୍କ ପାଖରେ ଉତ୍ତରଦାୟୀ। କୌଣସି ରାଜନୈତିକ ଦଳଙ୍କ ପାଖରେ ନୁହେଁ। ଯଦି […]

Rakesh Mallick
  • Published: Tuesday, 19 September 2017
  • , Updated: 19 September 2017, 10:33 PM IST

[caption id="attachment_165824" align="alignleft" width="145"] ଅମରେଶ ବିଶ୍ୱାଳ[/caption]

ଏବେ ଓଡ଼ିଶା ରାଜନୀତିରେ ବଡ଼ ବିଚିତ୍ର ସ୍ଥିତି ଉପୁଜିଛି। କିଏ ସରକାରୀ ଦଳ ଏବଂ କିଏ ବିରୋଧୀ ଦଳ ତାକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି। ଏପରି କାହିଁକି କହିଲି ତାର କାରଣ ଅଛି। ସାଧାରଣରେ ଦେଖିବାକୁ ମିଳେ, ସରକାରରେ ଥିବା ଦଳ କେବଳ କାମରେ ମତଲବ ରଖେ। ଲୋକଙ୍କ ପାଇଁ ଏହା ଯୋଜନା ପ୍ରଣୟନ ଓ କାର୍ଯ୍ୟକାରୀ କରିବ। ଏହା କେବଳ ଜନତାଙ୍କ ପାଖରେ ଉତ୍ତରଦାୟୀ। କୌଣସି ରାଜନୈତିକ ଦଳଙ୍କ ପାଖରେ ନୁହେଁ। ଯଦି କିଛି ଉତ୍ତର ଦେବାକୁ ପଡେ଼ ତେବେ ତାହା ରାଜ୍ୟ ବିଧାନସଭାରେ। ବାହାରେ ନୁହେଁ।

କିନ୍ତୁ କିଛିଦିନ ଧରି ରାଜ୍ୟ ରାଜନୀତିରେ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳଛି। ପ୍ରତି କଥାରେ ସରକାରୀ ଦଳ, ସରକାରଙ୍କ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ କରି ଉତ୍ତର ଦେବାରେ ବ୍ୟସ୍ତ ରହୁଛି। ଏହା କାହିଁକି ହେଉଛି? ଗୋଟିଏ ମାତ୍ର କାରଣ। ତାହା ହେଲା ଭୟ। ଆପଣମାନେ ଜାଣିଛନ୍ତି, ୧୭ ବର୍ଷ ଧରି ରାଜ୍ୟ ଶାସନ ଗାଦିରେ ବସିଥିବା ବିଜେଡିର ମୂଳଦୁଆ ଖୁବ୍ ଶକ୍ତିଶାଳୀ ଅଛି। ଏହାକୁ ନେଇ ନିଜେ ବିଜେଡି ବି ଖୁବ୍ କନ୍‌ଫିଡେଣ୍ଟ ଥିଲା (ଏବେ ଆଉ ନାହିଁ)। କିନ୍ତୁ ପଞ୍ଚାୟତ ନିର୍ବାଚନ ପରେ ଏହି ବିଶ୍ୱାସର ମୂଳଦୁଆ ଦୋହଲି ଯାଇଛି। ବିଜେଡି ଅନୁମାନ କରିସାରିଛି ଯେ, ରାଜଭୋଗ ଦିନ ଖୁବ୍‌ଶୀଘ୍ର ଶେଷ ହୋଇ ଆସୁଛି। ତେଣୁ ଏବେ ଘରୁ ବାହାରି କିଛି କରିବାକୁ ପଡ଼ିବ। ଏହାର ଉପାୟ କିନ୍ତୁ ଭୁଲ୍ ବାଛିଛି ଶାସକ ଦଳ। କେମିତି?

ବିଜେପି ହେଉଛି ଏବେ ବିଜେଡିର ବଡ଼ ଶତ୍ରୁ। ବିଧାନସଭାରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥଇବା କଂଗ୍ରେସ ନୁହେଁ। କେନ୍ଦ୍ର ଦ୍ୱାରା ଶକ୍ତିଶାଳୀ ହୋଇ, ଦିନେ ଶୁଖିଲା ପଡ଼ିଥିବା ପଦ୍ମ ପୋଖରୀରେ ଏବେ ଖାଲି ପାଣି ଆଉ ପାଣି। ଦେଶର ଅନ୍ୟ ସ୍ଥାନରେ ଯେଉଁଠି ବି ଇଲେକ୍ସନ ହୋଇଛି, କାରଣ ଯାହା ବି ଥାଉନା କାହିଁକି, ସେଠି ବିଜେପି ଭଲ ଫଳ ପାଇଛି। ସେଇ ଶକ୍ତି ବଳରେ ଏବେ ଓଡ଼ିଶାରେ ବି ଖୁବ୍ ମାତିଛି ବିଜେପି। କିନ୍ତୁ ତୃଣମୂଳ ସ୍ତରରେ ଓଡ଼ିଆ ଲୋକ ଯେ, ଟଙ୍କିକିଆ ଚାଉଳର ଭାତ ଖାଇ ଖାଲି ନବୀନ ନବୀନ ଭଜୁଛନ୍ତି ତାହା ପଦ୍ମ ଦଳିଆଙ୍କୁ ବୋଧେ ମାଲୁମ ନାହିଁ। ଓଡ଼ିଆ ଲୋକଙ୍କୁ ଟଙ୍କିକିଆ ଚାଉଳ କବଳରୁ ମୁକ୍ତ କରିବା ବଡ଼ କଷ୍ଟକର ହୋଇପାରେ ବିଜେପି ପାଇଁ। ତେବେ ଆମେ ଅସଲ ପ୍ରସଙ୍ଗରୁ ଦୂରେଇ ଯାଉଛନ୍ତି। କାହିଁକି ଏବେ କିଏ ଶାସକ କିଏ ବିରୋଧୀ ତାକୁ ନେଇ ଦ୍ବନ୍ଦ୍ୱ ସୃଷ୍ଟି ହୋଇଛି?

ଏବେ ଦେଖିବାକୁ ମିଳୁଛି, ଦୈନିକ କୌଣସି ନା କୌଣସି ଏକ କାର୍ଯ୍ୟକ୍ରମ କରି ବିଜେପି ବାଲାଏ ପ୍ରଶ୍ନ ପଚାରୁଛ୍ତି, ଆଉ ସଂଧ୍ୟା ବେଳକୁ ସାମ୍ୱାଦିକ ସମ୍ମିଳନୀ କରି ଏହାର ଉତ୍ତର ଦେଉଛନ୍ତି ଶାସକ ବିଜେଡିର ହନୁମାନିଆ ଯୁବନେତାଏ। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଯେତେବେଳେ ଓଡ଼ିଶାକୁ ତାଙ୍କ ସିରିଜ୍ ଗସ୍ତ କରୁଥିଲେ, ସେତେବେଳେ ତାଙ୍କ ଘନଘନ ପ୍ରଶ୍ନବାଣରେ ଘାଇଲା ହୋଇଯାଇଥିଲେ ସରକାର। ତାଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ସବୁଦିନ ଗୋଟେ ସାମ୍ୱାଦିକ ସମ୍ମିଳନୀ କରୁଥିଲେ ସରକାରୀ ଦଳ। ଓଡ଼ିଶା ରାଜନୀତିକୁ ବହୁବର୍ଷ ଧରି ଜାଣିଥିବା ପୁରୁଣା ଲୋକେ, ଏ ସ୍ଥିତି ଦେଖି ହସିଲେ। ବିଜୁ ବାବୁ ଯେତେବେଳେ ଶାସନରେ ଥିଲେ, ସେ କେବଳ କାମ କରୁଥିଲେ। କେବେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପ୍ରେସ୍ ମିଟ୍ କରୁନଥିଲେ। କେବଳ ବିଧାନସଭାରେ ହିଁ ବିରୋଧୀଙ୍କୁ ଉତ୍ତର ଦେଉଥିଲେ। ସେହିପରି ଜାନକୀ ବାବୁ ମଧ୍ୟ ସରକାରରେ ଥିଲାବେଳେ କେବେ ଏମିତି ସାମ୍ୱାଦିକ ସମ୍ମିଳନୀ କରି କାହାର ଉତ୍ତର ଦେଉନଥିଲେ। ଯଦି ୧୭ ବର୍ଷ ଧରି କାମ କରିଛ, ତେବେ ଉତ୍ତର ତ ତମ କାମ। ଏବେ ଡରୁଛ କାହିଁକି।

ଏଇଠି ଆଉଗୋଟେ କଥା କହିରଖେ। ଅମିତ ଶାହ ଆସିଲେ ଓ ଗଣିତ କଷି କହିଗଲେ ଯେ, ଓଡ଼ିଶାରେ ଆମେ ଆଗାମୀ ନିର୍ବାଚନରେ ୧୨୦ ବିଧାନସଭା ଆସନ ଜିତିବୁ। ୧୧୭ ଆସନରେ ଏବେ ରାଜୁତି କରୁଥିବା ବିଜେଡି ବାଲାଏ ଏଥିରେ ଆତଙ୍କିତ ହୋଇଗଲେ। କହିଲେ ଆମେ ୧୨୩ ଜିତିବୁ। ଆମ କହିବା କଥା, ଯଦି ତମେ ଏତେ ଜିତିଛ, ଆଗକୁ ବି ପୁଣି ୧୨୩ ଜିତିବ, ତେବେ ବିଜେପି ୧୨୦ କହିଲା ପରେ ଏତେ ଡରୁଛ କାହିଁକି। ତା ମାନେ ତମେ କଣ କିଛି ହିସାବ କିତାବ ନକରି କେବଳ ବିଜେପିକୁ ଡରେଇବା ପାଇଁ ବାହାସ୍ଫୋଟ ମାରି ୧୨୩ କହିଛ କି? ଭାଇ ଆଦୌ ଡରନା। ଓଡ଼ିଶା ବିଧାନସଭାର ଆସନ ସଂଖ୍ୟା ଆଉ ବଢ଼ିବାର ନାହିଁ। ତେଣୁ ତମ ୧୨୩ ପରେ ବାକି ଯାହା ରହିଲା ତାକୁ ବିଜେଡି କଂଗ୍ରେସ ବାଣ୍ଟ କରିକି ନେବେ। କିନ୍ତୁ ପ୍ୟାରୀ ବାବୁ ଗଲାପରେ ବିଜେଡିରେ ରାଜନୈତିକ ହିସାବ ଜାଣିଥିବା ଚାଣକ୍ୟ କିଏ ଅଛି ତ? ନା ଆଇଏଏସ୍ ଅଫିସରଙ୍କ ଉପରେ ସବୁ ଛାଡ଼ି ଦେଇଛ?

ସେହିପରି ଏବେ ଆଉଗୋଟେ ବଡ଼କଥା ହେଲା, ବିଜେପି ହାତରେ ଗୋଟେ ବଡ଼ ଅସ୍ତ୍ର ଅଛି। ତାହା ହେଲା ସିବିଆଇ। ଏ କଥା ମୁଁ କହୁନି, ନିଜେ ବିଜେଡି ନେତାଏ କହୁଛନ୍ତି। ବିଜେଡି ବାଲାଏ ଯେତେବେଳେ ଅଧିକ ଉତୁରିବେ, ସେତେବେଳେ ବିଜେପି ଧୀର୍ କରି ଏହି ବୋମାଟି ପକେଇ ଦେଉଛି। ସିବିଆଇ ଚାହିଁଲେ ତ ଏକାଥରେ ଗୁଡ଼ାଏ ବିଜେଡି ନେତାଙ୍କୁ ତନାଘନା କରି ଆରେଷ୍ଟ କରିପାରନ୍ତା। ଅବଶ୍ୟ ଆମର ସିବିଆଇର କାର୍ଯ୍ୟଧାରା ଉପରେ ଏତେଟା ଜ୍ଞାନ ନାହିଁ। ଯାହା ବିଜେଡି ନେତାଏ ସାମ୍ୱାଦିକ ସମ୍ମିଳନୀ କରି କହୁଛନ୍ତି, ଏ ଲେଖକ ସେଇ କଥାକୁ ତର୍ଜମା କରି ଦୁଇପଦ ଲେଖୁଛି। ତେଣୁ ବିଜେଡି ବାଲାଏ ଏବେ ଭାବୁଥିବେ, ନେକ୍ସ ଟାର୍ଗେଟ୍ କିଏ। ଓଡ଼ିଶାବାସୀ ଏବେ ଏ ଯେଉଁ ରାଜନୈତିକ ହଟଚମଟ ଦେଖୁଛନ୍ତି, ଏହା ନିର୍ବାଚନ ଯାଏଁ ଚାଲିବ। ଆହୁରି ଆଶ୍ଚର୍ଯ୍ୟ ଟ୍ରେଣ୍ଡ ସବୁ ଦେଖିବେ। ସବୁଠୁ ମଜା କଥା ହେଲା, ଆମକୁ ଏବେଠୁ ନିର୍ବାଚନ ଆସିଗଲା ବୋଲି ଲାଗିଲାଣି। ଜୟ ଜଗନ୍ନାଥ।

Related story