କଂଗ୍ରେସ ରାଜନୀତି: ନୂଆ ଟିମ୍ ପ୍ରତି ନିରଂଜନଙ୍କ କଟାକ୍ଷ, ତାରା ବାହିନୀପତି କହିଲେ ନିରଂଜନଙ୍କ ମନ୍ତବ୍ୟ ଠିକ୍ ନୁହେଁ

ଭୁବନେଶ୍ୱର: ନୂଆ ପିସିସି ଟିମକୁ ନେଇ ଆରମ୍ଭ ହୋଇଯାଇଛି ତୁ ତୁ ମେ ମେ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଟିମ୍ ଘୋଷଣା କରିବା ପରେ ଦଳର ଅନେକ ନେତା ଏହାକୁ ବଢ଼ିଆ ଟିମ୍ ବୋଲି କହିଥିଲେ। ତେବେ ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆ ପିସିସି ଟିମ୍ ଉପରେ ଉଠାଇଛନ୍ତି ପ୍ରଶ୍ନ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନିଜ ଟିମରେ ୧୦ ଜଣ ଉପ-ସଭାପତି, ୨୫ ଜଣ ସାଧାରଣ ସଂପାଦକ […]

niranjantara

Rakesh Mallick
  • Published: Thursday, 06 August 2015
  • , Updated: 06 August 2015, 05:08 PM IST

ଭୁବନେଶ୍ୱର: ନୂଆ ପିସିସି ଟିମକୁ ନେଇ ଆରମ୍ଭ ହୋଇଯାଇଛି ତୁ ତୁ ମେ ମେ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଟିମ୍ ଘୋଷଣା କରିବା ପରେ ଦଳର ଅନେକ ନେତା ଏହାକୁ ବଢ଼ିଆ ଟିମ୍ ବୋଲି କହିଥିଲେ। ତେବେ ଆଜି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନୂଆ ପିସିସି ଟିମ୍ ଉପରେ ଉଠାଇଛନ୍ତି ପ୍ରଶ୍ନ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନିଜ ଟିମରେ ୧୦ ଜଣ ଉପ-ସଭାପତି, ୨୫ ଜଣ ସାଧାରଣ ସଂପାଦକ ଓ ୫୫ ଜଣ ସଂପାଦକଙ୍କୁ ସାମିଲ କରିଛନ୍ତି।ଏହା ସହିତ ନୂଆ କରି ୫ ଜଣ ରାଜନୈତିକ ସଂପାଦକଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ବାଦ୍ ଶୃଙ୍ଖଳା କମିଟି, ସମନ୍ୱୟ କମିଟି ଓ କାର୍ଯ୍ୟକାରୀ କମିଟି ଆଦି ଗଠନ କରାଯାଇଛି। ଏଣୁ ପିସିସି ସଭାପତିଙ୍କ ଟିମର ଆକାର ବେଶ ବଡ଼ ହୋଇଛି ବୋଲି କୁହାଯାଉଥିବା ବେଳେ ଆଜି ନିରଞ୍ଜନ ପଟ୍ଟନାୟକ ଏହାକୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏଥର ପିସିସି ଟିମ୍ ବଡ଼ ହୋଇଯାଇଛି। ଅତୀତରେ ପିସିସିର କେବେ ବି ଏତେ ବଡ଼ ଟିମ୍ ନଥିଲା। ଦେଖାଯାଉ, ଏହି ଟିମ୍ ଆଗକୁ କ’ଣ କରୁଛି? ତେବେ ଗାଁଗହଳିରେ ଗୋଟେ କଥା ଅଛି- ବହୁ ଲୋକରେ ମୂଷା ମରେ ନାହିଁ। ପିସିସିରେ ସେମିତି ହେବ ନାହିଁ ବୋଲି ସେ ଆଶା କରୁଛନ୍ତି। ତା’ବଦଳରେ ସମସ୍ତେ ମିଶି ମୂଷାକୁ ମାରନ୍ତୁ। ଏହା ସହିତ  ନିରଞ୍ଜନ କହିଛନ୍ତି ଯେ ସେ ପିସିସି ସଭାପତି ହୋଇଥିଲେ ଏତେ ବଡ଼ ଟିମ୍ ଗଠନ କରି ନଥାଆନ୍ତେ।

[caption id="attachment_21469" align="alignleft" width="300"] ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି[/caption]

ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଗଠନ କରିଥିବା ସମନ୍ୱୟ କମିଟିକୁ ମଧ୍ୟ ସମାଲୋଚନା କରିଛନ୍ତି ନିରଞ୍ଜନ। ରାମଚନ୍ଦ୍ର ରଥ, କାହ୍ନୁଚରଣ ଲେଙ୍କା, କାମାକ୍ଷା ପ୍ରସାଦ ସିଂହଦେଓ, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ଚନ୍ଦ୍ର ଶେଖର ସାହୁ, ଶ୍ରୀକାନ୍ତ ଜେନା, ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଭକ୍ତ ଚରଣ ଦାସ, ରମାକାନ୍ତ ମିଶ୍ର, ସୁରେନ୍ଦ୍ର ସିଂହ ଭୋଇ, ମତଲୁବ୍ ଅଲ୍ଲୀ, କିଶୋର ଚରଣ ପଟେଲ, ଶିବାନନ୍ଦ ରାୟ, ସମୀର ରାଉତରାୟ, ଗୁରୁପଦ ନନ୍ଦ ଓ ହେମାନନ୍ଦ ବିଶ୍ୱାଳଙ୍କ ଭଳି ବରିଷ୍ଠ ନେତାଙ୍କୁ ନେଇ ପ୍ରସାଦ ସମନ୍ୱୟ କମିଟି ଗଠନ କରିଛନ୍ତି। ତେବେ ନିରଞ୍ଜନ ଏହି ଟିମକୁ ‘ଓଲ୍ଡ ଏଜ୍ ହୋମ୍’ ବୋଲି କହିଛନ୍ତି। ସେ ବ୍ୟଙ୍ଗ କରି କହିଛନ୍ତି, ଯୁବକମାନଙ୍କୁ ନେଇ ଟିମ୍ ଗଠନ କରାଯାଇଛି। ତା’ମଧ୍ୟରେ ବୃଦ୍ଧଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି ଏକ ସମନ୍ୱୟ କମିଟି ଗଠନ କରି। ଏହାକୁ ସେ ‘ଓଲ୍ଡ ଏଜ୍ ହୋମ୍’ ବୋଲି ନାଁ ଦେଇଛନ୍ତି। ଆଗକୁ ଏହା କେମିତି କାମ କରୁଛି ତାହା ଦେଖିବାର ଅଛି ବୋଲି ସେ କହିଛନ୍ତି।

ପିସିସି ସଭାପତିଙ୍କ ନୂଆ ଟିମରେ ୮୦ ପ୍ରତିଶତ ନୂଆ ମୁହଁଙ୍କୁ ସ୍ଥାନ ଦିଆଯାଇଛି। ଏହି ନୂଆ ମୁହଁମାନଙ୍କ ଯୋଗ୍ୟତା ଓ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, ପିସିସି ସଭାପତି ଅନେକ ନୂଆ ମୁହଁଙ୍କୁ ତାଙ୍କ ଟିମରେ ସ୍ଥାନ ଦେଇଛନ୍ତି। ନୂଆ ନୂଆ ଯୁବକମାନଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ସେମାନଙ୍କ ବ୍ୟାକଗ୍ରାଉଣ୍ଡ୍ ବିଷୟରେ କିଛି ଜଣାପଡୁନି। ଦେଖାଯାଉ, ସେମାନେ ଆଗାମୀ ଦିନରେ କିପରି କାମ କରୁଛନ୍ତି? ତେବେ ସେ ଆଶା କରୁଛନ୍ତି ଯେ ଏହି ଯୁବକମାନେ ଖୁବ୍ ପରିଶ୍ରମ କରିବେ ଓ ଦଳକୁ ଏକ ଭଲ ସ୍ଥାନରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନେକ ନେତା ପିସିସି କମିଟିରେ ସ୍ଥାନ ପାଇ ନଥିବା ଯୋଗୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

ନିରଞ୍ଜନଙ୍କ ଏଭଳି ମନ୍ତବ୍ୟ ଆସିବା ପରେ ଦଳର କେତେକ ନେତା ଏହାକୁ ନାପସନ୍ଦ କରିଛନ୍ତି। ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ନିରଞ୍ଜନ ପଟ୍ଟନାୟକଙ୍କ ଭଳି ଜଣେ ବରିଷ୍ଠ ନେତା ଏପରି ମନ୍ତବ୍ୟ ଦେବା ଠିକ୍ ହୋଇନାହିଁ। ଏହା ସହିତ ନିରଞ୍ଜନ ପିସିସି ସଭାପତି ଥିବା ବେଳେ ସମସ୍ତ କଂଗ୍ରେସ ନେତାଙ୍କୁ ସନ୍ତୁଷ୍ଟ କରିପାରି ଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ବାହିନୀପତି କହିଛନ୍ତି, କଂଗ୍ରେସ ଭଳି ଏକ ଦଳରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ସମ୍ଭବ ନୁହେଁ। ଏହା ସତ୍ତ୍ୱେ ପିସିସି ସଭାପତି ପ୍ରସାଦ ହରଚନ୍ଦନ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଛନ୍ତି। ସେ ଦଳ ଓ ସଂଗଠନକୁ ସଜାଡ଼ିବାକୁ ଚେଷ୍ଟା କରୁଛନ୍ତି। ତାହା କରିବାକୁ ତାଙ୍କୁ ସୁଯୋଗ ଦିଆଯାଉ।

ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା ମଧ୍ୟ ନିରଞ୍ଜନଙ୍କ ମନ୍ତବ୍ୟରେ ଏକମତ ହୋଇନାହାନ୍ତି। ସେ କହିଛନ୍ତି, ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଟିମ୍ କିଛି ବଡ଼ ହୋଇନାହିଁ। ଟିମ୍ ଆହୁରି ବଡ଼ ହେବା କଥା। ଟିମରେ ଆଉ କିଛି ବ୍ୟକ୍ତିଙ୍କୁ ସଂପାଦକ ଭାବେ ନିଯୁକ୍ତି ଦେବାକୁ ମୁଁ ପିସିସି ସଭାପତିଙ୍କୁ କହିଛି। ନିରଞ୍ଜନଙ୍କ ନାଁ ନନେଇ କାହ୍ନୁଚରଣ ଲେଙ୍କା କହିଥିଲେ ଯେ ସେ ତ କେବେ ଗହଳି ଭିତରେ କାମ କରି ନାହାନ୍ତି। ଏଣୁ ସେ କେମିତି ଜାଣିବେ ଗହଳିରେ ମୂଷା ମରେ କି ନାହିଁ। ତା’ପରେ ଏଠାରେ ମୂଷା ମାରିବା ପାଇଁ ତ ଟିମ୍ କରାଯାଇ ନାହିଁ।

ଅନ୍ୟପକ୍ଷରେ ତାଙ୍କ ମନ୍ତବ୍ୟକୁ ନେଇ ଦଳ ଭିତରେ ଅନେକ ଅସନ୍ତୋଷ ପ୍ରକାଶ କରିବା ପରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ତାଙ୍କ ମନ୍ତବ୍ୟକୁ ଭୁଲ ଢଙ୍ଗରେ ଦେଖା ନଯାଉ। ଟିମଟି ବଡ଼ ହୋଇଯାଇଛି। ଆଉ ଟିକେ ଛୋଟ ହୋଇଥିଲେ ଭଲ ହୋଇଥାଆନ୍ତା। ଭଲ ଭାବେ ଦାୟିତ୍ୱ ତୁଲାଇ ଥାଆନ୍ତେ। ସେ ଯୁବକମାନଙ୍କୁ ସମାଲୋଚନା କରି ନାହାନ୍ତି। ସେମାନେ କାମ କରି ଦଳକୁ ଆହୁରି ଆଗକୁ ନିଅନ୍ତୁ। ସେହିପରି ‘ଓଲ୍ଡ ଏଜ୍ ହୋମ୍’ ପ୍ରସଙ୍ଗରେ ସେ ସଫେଇ ଦେଇ କହିଛନ୍ତି ଯେ ଏଥିରେ କିଛି ଭୁଲ୍ ନାହିଁ। ସମନ୍ୱୟ କମିଟିରେ ଯେତିକି ଲୋକ ସ୍ଥାନ ପାଇଛନ୍ତି, ସେମାନେ ତ ସମସ୍ତେ ବୃଦ୍ଧ। ତେଣୁ ଓଲ୍ଡ୍ ଏଜ୍ ହୋମ୍ ବୋଲି କହିବାରେ ଅସୁବିଧା କେଉଁଠି ରହିଲା? ଏହି କମିଟି ଆବଶ୍ୟକ ବେଳେ ପିସିସି ସଭାପତି ଓ ତାଙ୍କ ଟିମକୁ ପରାମର୍ଶ ଦେବ। ତାଙ୍କ ମନ୍ତବ୍ୟକୁ କଦର୍ଥ କରା ନଯାଉ।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏନେଇ କିଛି ପ୍ରତିକ୍ରିୟା ରଖି ନାହାନ୍ତି।

Related story