ଠିକା ଶିକ୍ଷକ ନିଯୁକ୍ତି ପ୍ରତ୍ୟାହାର ପ୍ରସଙ୍ଗ: ୨୬ରେ ନବୀନ ନିବାସ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିବ ଓଡ଼ିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର: ଗତ ଜୁନ୍ ମାସରେ ନିଯୁକ୍ତି ପାଇଥିବା ୪ ହଜାର ଠିକା ଶିକ୍ଷକଙ୍କ ନିଯୁକ୍ତିକୁ ବାତିଲ କରାଯିବ ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇବା ପରେ ଏହାକୁ ବିରୋଧ କରିଛି ଓଡ଼ିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ। ଏହାର ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ସଂଘ ନବୀନ ନିବାସ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଧମକ ଦେଇଛି। ଓଡ଼ିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ ପ୍ରଧାନ କହିଛନ୍ତି ଯେ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ […]

secretariat

Rakesh Mallick
  • Published: Saturday, 21 November 2015
  • , Updated: 23 November 2015, 06:50 AM IST

ଭୁବନେଶ୍ୱର: ଗତ ଜୁନ୍ ମାସରେ ନିଯୁକ୍ତି ପାଇଥିବା ୪ ହଜାର ଠିକା ଶିକ୍ଷକଙ୍କ ନିଯୁକ୍ତିକୁ ବାତିଲ କରାଯିବ ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇବା ପରେ ଏହାକୁ ବିରୋଧ କରିଛି ଓଡ଼ିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ। ଏହାର ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ସଂଘ ନବୀନ ନିବାସ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଧମକ ଦେଇଛି।

ଓଡ଼ିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ସଭାପତି ପ୍ରଦୀପ୍ତ ପ୍ରଧାନ କହିଛନ୍ତି ଯେ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ସରକାର ଗୋତିଶ୍ରମିକ ଭଳି ଦେଖୁଛନ୍ତି। ଯେତେବେଳେ ଇଚ୍ଛା ନିଯୁକ୍ତି ଦେଉଛନ୍ତି ଓ ଯେତେବେଳେ ଚାହୁଁଛନ୍ତି ବାହାର କରି ଦେଉଛନ୍ତି। ସରକାର ଭଲ ଭାବେ ଜାଣିଥିଲେ ଯେ ଠିକା ଶିକ୍ଷକ ନିଯୁକ୍ତି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ତଥାପି ସରକାର ଏ ନିଯୁକ୍ତି ଦେଲେ ଓ ପ୍ରାୟ ୪ ହଜାର ଠିକା ଶିକ୍ଷକ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଠେଲି ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ଜୁନ୍ ମାସରେ ହୋଇଥିବା ଠିକା ଶିକ୍ଷକ ନିଯୁକ୍ତିକୁ ସରକାର ପ୍ରତ୍ୟାହାର କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାକୁ ବିରୋଧ କରି ଆସନ୍ତା ୨୬ ତାରିଖରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମେତ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ। ଏଥିରେ ସଂଘର ସମସ୍ତ ୨୧ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ସାମିଲ ହେବେ ଓ ସରକାରଙ୍କୁ ନିଜ ଶକ୍ତି ଦେଖାଇ ଦେବେ।

ଅନ୍ୟପକ୍ଷରେ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ର କହିଛନ୍ତି ଯେ ଏ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରାଯିବ। କୋର୍ଟଙ୍କ ନିର୍ଦ୍ଦେଶର ତର୍ଜମା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ। ସେହିପରି ହାଇସ୍କୁଲରେ ଶିକ୍ଷକ ପଦବୀ ଖାଲି ଥିବା ନେଇ ମଧ୍ୟ କୋର୍ଟଙ୍କୁ ଅବଗତ କରାଯିବ।

୨୦୧୫ ଜୁନ୍ ୧୧ ତାରିଖ ପରେ ନିଯୁକ୍ତି ପାଇଥିବା ଏହି ଠିକା ଶିକ୍ଷକମାନଙ୍କ ନିଯୁକ୍ତି ବାତିଲ୍ କରାଯିବା ବୋଲି ଗତକାଲି ହାଇକୋର୍ଟରେ ଗଣଶିକ୍ଷା ବିଭାଗ ପକ୍ଷରୁ ଲିଖିତ ଜବାବ ଦାଖଲ କରାଯାଇଛି। ହାଇକୋର୍ଟରେ ଏ ସମ୍ପର୍କିତ ଅଦାଲତ ଅବମାନନା ମାମଲାର ବିଚାର ଚାଲି ଥିବାବେଳେ ଗଣଶିକ୍ଷା ବିଭାଗର ଏଭଳି ଜବାବ ୪ ହଜାର ଶିକ୍ଷକଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେଇଛି। ସରକାର ହାଇକୋର୍ଟଙ୍କ ନିକଟରେ ଦାଖଲ କରିଥିବା ଜବାବରେ ଦର୍ଶାଇଛନ୍ତି ଯେ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟାରେ ଅଦାଲତଙ୍କ କୌଣସି ନିର୍ଦ୍ଦେଶର ଅବମାନନା ହୋଇନାହିଁ। ତେବେ କୋର୍ଟ ଏହାକୁ ଗ୍ରହଣ କରି ନ ଥିଲେ। ତେଣୁ ଏଭଳି ସ୍ଥିତିରେ ଶିକ୍ଷକଙ୍କ ନିଯୁକ୍ତି ବାତିଲ କରାଯିବ ବୋଲି ସଚିବ ପ୍ରତିଶ୍ରୁତି ଦେଇଥିଲେ।

ସୂଚନା ଅନୁସାରେ ୨୦୧୪ ମସିହାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୫,୩୬୪ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିରେ ଦିଆଯାଇଥିବା ବୟସ, ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟ କେତେକ ସର୍ତ୍ତକୁ ଚ୍ୟାଲେଞ୍ଜ କରି ସ୍ୟାଟରେ ଏକାଧିକ ମାମଲା ଦାଏର ହୋଇଥିଲା। ଟ୍ରିବୁନାଲଙ୍କ ବିନା ଅନୁମତିରେ ଚୂଡ଼ାନ୍ତ ନିଯୁକ୍ତି ତାଲିକା ସରକାର ପ୍ରଦାନ କରିବେ ନାହିଁ ବୋଲି ସ୍ୟାଟ୍ ନଭେମ୍ୱର ୨୦୧୪ରେ ଆଦେଶ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଆଉ କେତେକ ଆବେଦନକୁ ଗ୍ରହଣ କରି ନିଯୁକ୍ତି ପ୍ରକ୍ରିୟା ଜାରି ରଖି ଆବେଦନକାରୀଙ୍କୁ ନିଯୁକ୍ତି ଦେବା ସପକ୍ଷରେ ସ୍ୟାଟ୍ ନିର୍ଦ୍ଦେଶ ଦେଇଥିଲେ। ହେଲେ ସ୍ୟାଟଙ୍କ ଏହି ନିର୍ଦ୍ଦେଶ ଉପରେ ୨୦୧୫ ଜୁନ୍ ୧୧ରେ ହାଇକୋର୍ଟ ରହିତାଦେଶ ଜାରି କରିବା ସହ ଗଣଶିକ୍ଷା ବିଭାଗକୁ ନୋଟିସ୍ ଜାରି କରିଥିଲେ। ତେବେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ସତ୍ତ୍ୱେ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁନ୍ ମାସରେ ୪ହଜାର ପ୍ରାର୍ଥୀଙ୍କୁ ଚୁକ୍ତି ଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା। ଯାହାକୁ ନେଇ ହାଇକୋର୍ଟରେ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାଏର ହୋଇଥିଲା।

Related story