କଟକରୁ ବିଜେଡିର ମହାନଦୀ ବଞ୍ଚାଅ ଦସ୍ତଖତ ଅଭିଯାନ ଆରମ୍ଭ, ବିରୋଧୀଙ୍କ ସମାଲୋଚନା

କଟକ: ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗକୁ ନେଇ ଆଜିଠାରୁ ଆରମ୍ଭ ହୋଇଛି ବିଜେଡିର ଦସ୍ତଖତ ଅଭିଯାନ। କଟକ ଜିଲ୍ଲା ଆନନ୍ଦ ଭବନ ସମ୍ମୁଖ ଖ୍ରୀଷ୍ଟିଆନ ପଡ଼ିଆରୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,“ମହାନଦୀ ଓଡ଼ିଶାର ଜୀବନ ଜୀବିକା ସହ ଜଡିତ। ମହାନଦୀ ଓଡ଼ିଶାବାସୀଙ୍କ ଭରଷା। ଏହା ଆମ ଧର୍ମ, ସଂସ୍କୃତି, ସ୍ୱପ୍ନ, ସଙ୍କଳ୍ପ ସହ ଜଡିତ। ମହାନଦୀର ସୁରକ୍ଷା ପାଇଁ ଆପଣମାନଙ୍କୁ ସାଙ୍ଗରେ ନେଇ ଲଢ଼େଇ […]

bjd

Rakesh Mallick
  • Published: Friday, 11 November 2016
  • , Updated: 11 November 2016, 04:17 PM IST

କଟକ: ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗକୁ ନେଇ ଆଜିଠାରୁ ଆରମ୍ଭ ହୋଇଛି ବିଜେଡିର ଦସ୍ତଖତ ଅଭିଯାନ। କଟକ ଜିଲ୍ଲା ଆନନ୍ଦ ଭବନ ସମ୍ମୁଖ ଖ୍ରୀଷ୍ଟିଆନ ପଡ଼ିଆରୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,“ମହାନଦୀ ଓଡ଼ିଶାର ଜୀବନ ଜୀବିକା ସହ ଜଡିତ। ମହାନଦୀ ଓଡ଼ିଶାବାସୀଙ୍କ ଭରଷା। ଏହା ଆମ ଧର୍ମ, ସଂସ୍କୃତି, ସ୍ୱପ୍ନ, ସଙ୍କଳ୍ପ ସହ ଜଡିତ। ମହାନଦୀର ସୁରକ୍ଷା ପାଇଁ ଆପଣମାନଙ୍କୁ ସାଙ୍ଗରେ ନେଇ ଲଢ଼େଇ ଜାରି ରଖିବୁ। ଶେଷ ନିଃଶ୍ୱାସ ଥିବା ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ।”

ସେ କହିଥିଲେ,“ମହାନଦୀ ବିଷୟରେ ଦିଲ୍ଲୀ ଯାଇ ଛତିଶଗଡ଼ ସରକାର ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ନିର୍ମାଣ ବନ୍ଦ କରିବା ପାଇଁ ଦାବି କରିଛି। ଏଥିରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଚିଠି ଲେଖି ଅନୁରୋଧ କରିଛି। ହେଲେ କିଛି ସୁଫଳ ମିଳିନାହିଁ। ମହାନଦୀ ଓ ଓଡ଼ିଶାବାସୀଙ୍କ ଭବିଷ୍ୟତ ପାଇଁ ଆମେ ଆଇନର ଆଶ୍ରୟ ନେବାକୁ ନିଷ୍ପତ୍ତି ନେଇଛୁ।”

ସେ ଆହୁରି କହିଥିଲେ,“ଅଣମୌସୁମୀ ସମୟରେ ମହାନଦୀରେ ପାଣି ନ ଆସିଲେ ଓଡ଼ିଶାର ଅବସ୍ଥା ବିଗିଡି ଯିବ। ପିଇବା ପାଣିଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଅସୁବିଧା ଦେଖା ଦେବ।”

ଏହି ଅଭିଯାନ ଜରିଆରେ ରାଜ୍ୟର ସବୁ ପରିବାରରୁ ଦସ୍ତଖତ ସଂଗ୍ରହ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ।

ଦସ୍ତଖତ ଅଭିଯାନ ଶୁଭାରମ୍ଭ ପୂର୍ବରୁ ଆଜି ସକାଳେ ମହିଳାମାନେ କଳସ ଶୋଭାଯାତ୍ରା କରିଥିଲେ। ଏଥିରେ ଦଳର ବହୁ ବରିଷ୍ଠ ନେତା, ମନ୍ତ୍ରୀ ଏବଂ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ କର୍ମୀ ଯୋଗଦେଇ ଥିଲେ।

ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି,“ମହାନଦୀ ପାଇଁ ଆମେ ସବୁ ପ୍ରକାର ଲଢ଼େଇ ଲଢ଼ିବୁ। ରାଜ୍ୟର ସ୍ୱାର୍ଥକୁ ନେଇ ସାଲିସ୍ କରାଯିବ ନାହିଁ।”

ବିଜେଡିର ଏହି ଦସ୍ତଖତ ଅଭିଯାନକୁ ସମାଲୋଚନା କରିଛି ବିଜେପି। ଦଳର ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି,“ନିଜର ବିଫଳତା ଲୁଚାଇବା ପାଇଁ ଏହା ବିଜେଡିର ନୂଆ ନାଟକ। ଜଳ ସଂପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଅଛି। ତଥାପି ମହାନଦୀ ସବୁଠୁ ଅଧିକ କ୍ଷତିଗ୍ରସ୍ତ। ମୁଖ୍ୟମନ୍ତ୍ରୀ କେବେ ମହାନଦୀରେ ବୁଡ଼ ପକାଇଛନ୍ତି କି ? ମୁଖ୍ୟମନ୍ତ୍ରୀ କେବେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଛନ୍ତି କି? ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନୂଆ ନାଟକ ରଚିଛି।”

ସେହିପରି ବିଜେଡିର ଏହି ଅଭିଯାନକୁ ସମାଲୋଚନା କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ ଏକ ଯାତ୍ରା ପାର୍ଟି କରିଥିଲେ ଭଲ ହୋଇଥାଆନ୍ତା। ମୁଖ୍ୟମନ୍ତ୍ରୀଙ୍କର ନିଜ ଦସ୍ତଖତ ଉପରେ ବିଶ୍ୱାସ ନାହିଁ। ତେଣୁ ଅନ୍ୟମାନଙ୍କର ଦସ୍ତଖତ ଲୋଡୁଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ବିଫଳତା ଲୁଚାଇବାକୁ ଏପରି ଏକ ଅପଚେଷ୍ଟା କରୁଛନ୍ତି।”

Related story