ଦଳୀୟ ନେତାଙ୍କୁ ପିସିସି ସଭାପତିଙ୍କ ନିର୍ଦ୍ଦେଶ: ମନଇଚ୍ଛା ମୁହଁ ଖୋଲ ନାହିଁ

ଭୁବନେଶ୍ୱର: ସାଧାରଣରେ କିମ୍ୱା ଗଣମାଧ୍ୟମରେ ଅନଧିକାର ଭାବେ ମନ୍ତବ୍ୟ ଦିଅ ନାହିଁ। ନିଜ ନେତାଙ୍କୁ ଏମିତି ଗୋପନୀୟ ନିର୍ଦ୍ଦେଶ ଦେଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ୧୨ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ନୂଆ ପିସିସି କମିଟିକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ପରସ୍ପର ବିରୋଧୀ ମନ୍ତବ୍ୟ ଦେବା ପରେ ପ୍ରସାଦ ଏପରି ନିର୍ଦ୍ଦେଶନାମା ଜାରି କରିଥିବା କୁହାଯାଉଛି। ଦଳର ସବୁ ବରିଷ୍ଠ ନେତାଙ୍କ ସମେତ, ରାଜ୍ୟ ପଦାଧିକାରୀ, ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ଜିଲ୍ଲା ସଭାପତି […]

prasad

Rakesh Mallick
  • Published: Saturday, 15 August 2015
  • , Updated: 15 August 2015, 02:26 PM IST

ଭୁବନେଶ୍ୱର: ସାଧାରଣରେ କିମ୍ୱା ଗଣମାଧ୍ୟମରେ ଅନଧିକାର ଭାବେ ମନ୍ତବ୍ୟ ଦିଅ ନାହିଁ। ନିଜ ନେତାଙ୍କୁ ଏମିତି ଗୋପନୀୟ ନିର୍ଦ୍ଦେଶ ଦେଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ୧୨ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ନୂଆ ପିସିସି କମିଟିକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ପରସ୍ପର ବିରୋଧୀ ମନ୍ତବ୍ୟ ଦେବା ପରେ ପ୍ରସାଦ ଏପରି ନିର୍ଦ୍ଦେଶନାମା ଜାରି କରିଥିବା କୁହାଯାଉଛି। ଦଳର ସବୁ ବରିଷ୍ଠ ନେତାଙ୍କ ସମେତ, ରାଜ୍ୟ ପଦାଧିକାରୀ, ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ଜିଲ୍ଲା ସଭାପତି ଓ ବିଭିନ୍ନ ଛାମୁଆ ସଂଗଠନଙ୍କ ପାଖକୁ ଯାଇଛି ଏହି ନିର୍ଦ୍ଦେଶ। ଏଥିରେ କୁହାଯାଇଛି, କିଛି ନେତାଙ୍କ ମନ୍ତବ୍ୟ, ଦଳୀୟ ନେତୃତ୍ୱ କିମ୍ୱା କିଛି ନେତାଙ୍କ ପଦବୀକୁ ନ୍ୟୁନ କରିଛି। ଗୋଟିଏ ଗୋଟିଏ ପ୍ରସଙ୍ଗରେ ନେତାମାନେ ପରସ୍ପର ବିରୋଧୀ ମନ୍ତବ୍ୟ ଦେଉଛନ୍ତି। ବେଳେବେଳେ ଏହା ଦଳର ଓ ଦଳୀୟ ନେତାଙ୍କର ମର୍ଯ୍ୟାଦା ହାନି କରୁଛି। ଅନଧିକାର ଭାବେ ମନ୍ତବ୍ୟ ଦଳର ସ୍ୱାର୍ଥ ପରିପନ୍ଥୀ। ତେଣୁ ବିଭିନ୍ନ ପ୍ରସଙ୍ଗରେ ବ୍ୟକ୍ତିଗତ ମତ ଦେବାକୁ ନେତାଙ୍କୁ ଏଥିରେ ବାରଣ କରାଯାଇଛି। କୌଣସି ବରିଷ୍ଠ ନେତାଙ୍କ ବିରୋଧରେ ମନ୍ତବ୍ୟ ନଦେବାକୁ ବି ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଦଳ ମଧ୍ୟରେ ଶୃଙ୍ଖଳା ପାଇଁ ଏହା ଜରୁରୀ ବୋଲି ପିସିସି ମେଡିଆ ପେନାଲିଷ୍ଟ ଶରତ ରାଉତ କହିଛନ୍ତି। ଅନ୍ୟପକ୍ଷରେ ଏଭଳି ନିର୍ଦ୍ଦେଶନାମାରେ ଦଳର କିଛି ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଧାୟକ ଯୋଗେଶ ସିଂହ କହିଛନ୍ତି ଯେ ଗଣମାଧ୍ୟମ ତାଙ୍କର ବନ୍ଧୁ। ସେ ଯେତେବେଳେ ଚାହିଁବେ ସେମାନଙ୍କ ସହିତ ଭାବବିନିମୟ କରିପାରିବେ। ସତ କଥା କହିପାରିବେ। ତେବେ ଯେହେତୁ ପିସିସି ସଭାପତି ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି ସେ ତାହା ସଂପର୍କରେ ତାଙ୍କ ସହିତ ଆଲୋଚନା କଲା ପରେ ଯାଇ କିଛି ମନ୍ତବ୍ୟ ଦେଇ ପାରିବେ। ଅନ୍ୟପକ୍ଷରେ ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା ଏହି ନିର୍ଦ୍ଦେଶନାମାର କାର୍ଯ୍ୟକାରୀତା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ଜୟଦେବ କହିଛନ୍ତି ଯେ ସେ ପିସିସି ସଭାପତି ଥିବା ବେଳେ ଏଆଇସିସିରୁ ଏଭଳି ଏକ ନିର୍ଦ୍ଦେଶନାମା ଆସି ନଥିଲା। କିନ୍ତୁ ଏହାକୁ ଦଳର କିଛି ନେତା ମାନି ନ ଥିଲେ। ତେବେ ଏବେ ନେତାମାନେ ମାନୁଛନ୍ତି କି ନାହିଁ ତାହା ଆଗକୁ ଦେଖାଯିବ।

ସୂଚନାଯୋଗ୍ୟ, ୧୨ ଜଣ ଦଳୀୟ ବିଧାୟକଙ୍କ ଦିଲ୍ଲୀ ଗସ୍ତ ନେଇ ପ୍ରଥମେ ବରିଷ୍ଠ ନେତା ଲୁଲୁ ମହାପାତ୍ର କହିଥିଲେ ଯେ ସେମାନେ ବିରୋଧୀ ଦଳ ମୁଖ୍ୟ ସଚେତକ ପଦବୀରୁ ତାରା ପ୍ରସାଦ ବାହିନୀପତିଙ୍କୁ ହଟାଇବା ପାଇଁ ହାଇକମାଣ୍ଡଙ୍କୁ ଭେଟିଥିଲେ। ଏହି ଅଭିଯୋଗକୁ ବିଧାୟକ ନବ ଦାସଙ୍କ ସମେତ ଅନ୍ୟ ୧୧ ଜଣ ଯାକ ବିଧାୟକ ଖଣ୍ଡନ କରିଥିଲେ। ଏହାକୁ ନେଇ ଦଳର ବିଭିନ୍ନ ନେତା ଭିନ୍ନ ଭିନ୍ନ ମତ ଦେଇଥିଲେ। ଏପରିକି ଏହି ବିବାଦରେ ପିସିସି ସଭାପତି ତାଳି ପକାଇ ସାରିବା ପର ଦିନ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ତାଙ୍କୁ ମୁଖ୍ୟ ସଚେତକ ପଦରୁ ହଟାଇବା ପାଇଁ ଦିଲ୍ଲୀ ଯାଇଥିବା କଥାଟା ଅଫିସିଆଲି ଅବା ନନଅଫିସିଆଲି ସତ। ଫଳରେ ଦଳ ଅକଳିଆ ସ୍ଥିତିରେ ପଡ଼ିଥିଲା। ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ତାଙ୍କର ନୂଆ ଟିମ୍ ଘୋଷଣା କରିବା ପରେ ପ୍ରଥମେ ଏହାକୁ ଖୋଲାଖୋଲି ନାପସନ୍ଦ କରିଥିଲେ ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ। ସେ କହିଥିଲେ ଯେ ନୂଆ ପିସିସି ଟିମ୍ ବହୁତ ବଡ଼ ହୋଇଯାଇଛି। ବହୁ ଲୋକରେ ମୂଷା ମରେନି। ଅବଶ୍ୟ ପରେ ସେ କହିଥିଲେ ଯେ ତାଙ୍କର ମନ୍ତବ୍ୟକୁ ଭୁଲ ଢଙ୍ଗରେ ଉପସ୍ଥାପନ କରାଯିବା ଉଚିତ୍ ନୁହେଁ।  ତାଙ୍କର ଏଭଳି ମନ୍ତବ୍ୟକୁ ଖୋଲାଖୋଲି ସମାଲୋଚନା କରିଥିଲେ ଦଳର ବରିଷ୍ଠ ନେତା କାହ୍ନୁ ଚରଣ ଲେଙ୍କା। ସେ କହିଥିଲେ ଯେ ନିରଞ୍ଜନ ପଟ୍ଟନାୟକ ଗହଳିରେ କେବେ କାମ କରି ନାହାନ୍ତି। ସେ କେମିତି ଜାଣିବେ ଗହଳିରେ କେମିତି କାମ ହୁଏ। ପିସିସି ଟିମ୍ ଆହୁରି ବଡ଼ ହେବା ଉଚିତ୍ ବୋଲି ସେ କହିଥିଲେ।

Related story