ଦାରୁଠେଙ୍ଗ ବିବାଦ: ଶାନ୍ତି କମିଟି ବୈଠକ ବିଫଳ, ଜାରି ରହିବ ଆନ୍ଦୋଳନ

ଭୁବନେଶ୍ୱର: ଦାରୁଠେଙ୍ଗରେ ଡମ୍ପିଂୟାର୍ଡକୁ ନେଇ ଦେଖା ଦେଇଥିବା ବିବାଦର ସମାଧାନ ଲାଗି ଆଜି ବସିଥିବା ଶାନ୍ତି କମିଟି ବୈଠକ ବିଫଳ ହୋଇଯାଇଛି। ବୈଠକ ବିଫଳ ହେବା ପରେ ଡମ୍ପିଂୟାର୍ଡ ସ୍ଥାନାନ୍ତର ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ଶାନ୍ତି କମିଟି ପକ୍ଷରୁ କୁହାଯାଇଛି। କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଶାନ୍ତି କମିଟି ସଦସ୍ୟ, ବିଡିଏ ଅଧିକାରୀ, ପୋଲିସ କମିଶନର ଓ ଡିସିପି ପ୍ରମୁଖ ସାମିଲ ହୋଇଥିଲେ। ଡମ୍ପିଂୟାର୍ଡକୁ ୧୫ଦିନ ମଧ୍ୟରେ ତୁଳସାଦେଇପୁରକୁ ସ୍ଥାନାନ୍ତର କରିବାକୁ ଗ୍ରାମବାସୀ […]

daruthenga

Rakesh Mallick
  • Published: Tuesday, 02 August 2016
  • , Updated: 02 August 2016, 08:55 PM IST

ଭୁବନେଶ୍ୱର: ଦାରୁଠେଙ୍ଗରେ ଡମ୍ପିଂୟାର୍ଡକୁ ନେଇ ଦେଖା ଦେଇଥିବା ବିବାଦର ସମାଧାନ ଲାଗି ଆଜି ବସିଥିବା ଶାନ୍ତି କମିଟି ବୈଠକ ବିଫଳ ହୋଇଯାଇଛି। ବୈଠକ ବିଫଳ ହେବା ପରେ ଡମ୍ପିଂୟାର୍ଡ ସ୍ଥାନାନ୍ତର ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ଶାନ୍ତି କମିଟି ପକ୍ଷରୁ କୁହାଯାଇଛି।

କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଶାନ୍ତି କମିଟି ସଦସ୍ୟ, ବିଡିଏ ଅଧିକାରୀ, ପୋଲିସ କମିଶନର ଓ ଡିସିପି ପ୍ରମୁଖ ସାମିଲ ହୋଇଥିଲେ। ଡମ୍ପିଂୟାର୍ଡକୁ ୧୫ଦିନ ମଧ୍ୟରେ ତୁଳସାଦେଇପୁରକୁ ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଦାବି କରିଥିଲେ। ମାତ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଦାରୁଠେଙ୍ଗ ଭୁଆସୁଣୀ ଡମ୍ପିଂୟାର୍ଡରେ ଡମ୍ପିଂ କରାଯିବ ବୋଲି କମିଶନର ଶାନ୍ତି କମିଟି ସଦସ୍ୟଙ୍କୁ କହିଥିଲେ। ଏହାସହ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ କରିବାକୁ ଅନୁରୋଧ କରିଥିଲେ।

ଦାରୁଠେଙ୍ଗ ଶାନ୍ତି କମିଟି ଉପସଭାପତି ଡାକ୍ତର ବେହେରା କହିଛନ୍ତି, “୧୫ ଦିନ ମଧ୍ୟରେ ଡମ୍ପିଂୟାର୍ଡ ସ୍ଥାନାନ୍ତର ହେବ ବୋଲି କମିଶନରେଟ୍‌ ପୋଲିସ ଆମକୁ ପ୍ରତିଶ୍ରୁତି ଦେଇଥିଲେ। ଆମର ବିଶ୍ୱାସ ଥିଲା କମିଶନରେଟ୍‌ ପୋଲିସ୍‌ ଏହାକୁ ପାଳନ କରିବେ। ଏ ନେଇ ବୁଝାଇବା ପରେ ସ୍ଥାନୀୟ ଲୋକେ ଶାନ୍ତ ହୋଇଥିଲେ। ବୈଠକ ବିଫଳ ହୋଇଗଲା, ଆମେ ଚଳାଇଥିବା ଆନ୍ଦୋଳନ ଜାରି ରହିବ।”

ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି, “ସେମାନେ ନିଜ ଦାବି ଜଣାଇଛନ୍ତି। ଆଗକୁ କ’ଣ ଦାବି ରହିଛି ଜଣାଇବାକୁ ସେମାନଙ୍କୁ କୁହାଯାଇଛି। ଶାନ୍ତିଶୃଙ୍ଖଳା ବଜାଇ ରଖିବାକୁ ସେମାନଙ୍କୁ ଅନୁରୋଧ କରାଯାଇଛି।”

ବିଡିଏ ଏନ୍‌ଫୋର୍ସମେଣ୍ଟ ଅତିରିକ୍ତ କମିଶନର ଭବାନୀଶଙ୍କର ଚଇନି କହିଛନ୍ତି, “ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନିବା ପୋଲିସ ଓ ପ୍ରଶାସନର ଦାୟିତ୍ୱ। କୋର୍ଟଙ୍କ ଆଦେଶ ମାନିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଅନୁରୋଧ କରାଯାଇଛି।”

ଅନ୍ୟପକ୍ଷରେ ଦିନକ ପରେ ଆଜି ପୁଣି ୯୭ ଟ୍ରିପ୍‌ ଅଳିଆ ଭୁଆସୁଣୀ ଡମ୍ପିଂୟାର୍ଡରେ ଡମ୍ପିଂ ହୋଇଛି। ଆଜି ବି ଗାଁ ଲୋକେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି। ଡମ୍ପିଂୟାର୍ଡ ନିକଟରେ ପ୍ରାୟ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି।

Related story