ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁଡ଼ିକ ମଧ୍ୟରେ ଧବଳେଶ୍ୱର ହେଉଛି ଅନ୍ୟତମ। କଟକ ଜିଲ୍ଲାରେ ଅବସ୍ଥିତ ଏହି ଶିବ ମନ୍ଦିର ସହରଠାରୁ ମାତ୍ର ୨୭ କିମି ଦୂରରେ ଅବସ୍ଥିତ। ମନ୍ଦିରଟି ମହାନଦୀର ଏକ ଦ୍ୱୀପରେ ଅବସ୍ଥିତ ହୋଇଥିବାରୁ ଏହା ଭକ୍ତଙ୍କୁ ଆକୃଷ୍ଟ କରେ। ଏହି ମନ୍ଦିର ନିର୍ମାଣର ସମୟକୁ ନିର୍ଦ୍ଦିଷ୍ଟ ତଥ୍ୟ ନଥିଲେ ମଧ୍ୟ ସରକାରୀ ତଥ୍ୟ ଅନୁଯାୟୀ ୧୪ଶହ ଶତାବ୍ଦୀରେ ଏହାର ନିର୍ମାଣ ହୋଇଛି। ମନ୍ଦିରର ବିଶେଷତ୍ୱ ହେଉଛି ଏହାର ସମ୍ମୁଖ ଦ୍ୱାର। ସମସ୍ତ ମନ୍ଦିରର ଦ୍ୱାରା ପୂର୍ବ ମୁଖକୁ ରହୁଥିବା ବେଳେ ଧବଳେଶ୍ୱର ମନ୍ଦିରର ଦ୍ୱାର ପଶ୍ଚିମ ଦିଗକୁ ରହିଛି।
ଧବଳେଶ୍ୱର ନାମକରଣକୁ ନେଇ ଏକ ଲୋକକଥା ରିହିଛି। ଦିନେ ଏକ ଚୋର ପାଖ ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଏକ କଳା ବାଛୁରୀ ଚୋରି କରିବାରୁ ଗାଁ ଲୋକମାନେ ତାକୁ ମାରିବାକୁ ଗୋଡ଼ାଇଥିଲେ। ପ୍ରାଣ ବିକଳରେ ଚୋରଟି ଠାକୁରଙ୍କ ପାଖରେ ଶରଣ ନେଇଥିଲା। ଚୋରକୁ ବଞ୍ଚାଇବାକୁ ଯାଇ ଶିବ ଶଙ୍କର କଳା ବାଛୁରୀଟିକୁ ଧଳା କରି ଦେଇଥିଲେ। ଗାଁ ଲୋକମାନେ କଳା ବାଛୁରୀ ନ ପାଇ ଫେରି ଯାଇଥିଲେ। ସେହି ଦିନଠାରୁ ଠାକୁର ଧବଳେଶ୍ଵରେ ନାଁରେ ଜଣାଶୁଣା ହୋଇଥିବା କୁହାଯାଏ।
ବୁଢ଼ାଲିଙ୍ଗ: ବୁଢ଼ାଲିଙ୍ଗଙ୍କୁ ଧବଳେଶ୍ୱରଙ୍କ ବଡ଼ ଭାଇ ବୋଲି କୁହାଯାଏ। କାରଣ ସେଠାରେ ପ୍ରଥମେ ବୁଢ଼ାଲିଙ୍ଗଙ୍କ ଆବିର୍ଭାବ ହୋଇଥିବା ଅନୁମାନ କରାଯାଏ। ଜନଶ୍ରୁତି ଅନୁଯାୟୀ ପ୍ରତ୍ୟେକ ଦିନ ନଦୀ ପାର ହୋଇ ଆସି ଏକ ଗାଈ ବୁଢ଼ାଲିଙ୍ଗ ଉପରେ କ୍ଷୀର ଦେଉଥିଲା। ଜଣେ ଶବର ଏହି ଦୃଶ୍ୟ ଦେଖି ସେହି ଶିବ ଲିଙ୍ଗକୁ ପୂଜା କରିବାକୁ ଲାଗିଲେ। ଧିରେ ଧୀରେ ଏହା ବୁଢ଼ାଲିଙ୍ଗରେ ନାମରେ ଖ୍ୟାତ ହେଲା। ତାଙ୍କରି ନିର୍ଦ୍ଦେଶରେ ଧବଳେଶ୍ୱର କଳା ବାଛୁରୀକୁ ଧଳା କରିଥିବା କୁହାଯାଏ।
ଧବଳେ ଶ୍ୱରରେ ଡଙ୍ଗାର ମଜା: ଧବଳେଶ୍ୱର ପୀଠକୁ ଯିବାକୁ ହେଲେ ଦୁଇଟି ଉପାୟ। ଗୋଟିଏ ଝୁଲା ପୋଲ ଅନ୍ୟଟି ଡଙ୍ଗା। ଧବଳେଶ୍ୱର ଦର୍ଶନ ପାଇଁ ଭକ୍ତମାନେ କଟକ ବିଡ଼ାନାସୀରୁ ମହାନଦୀ ଘାଟକୁ ଯାଆନ୍ତି। ଘାଟରେ ଡଙ୍ଗାରେ ବସି ମହାନଦୀ ପାର ହୋଇ ଧବଳେଶ୍ୱରଙ୍କ ନିକଟକୁ ଯାଆନ୍ତି। ଏଥିପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି।
ତ୍ରିବେଣୀ ଗଛ: ଧବଳେଶ୍ୱର ପୀଠର ମହାନଦୀ ଘାଟରେ ସ୍ଥାପନ ହୋଇଛନ୍ତି ଦୁଇଟି ସିମେଣ୍ଟ ତିଆରି ବୃହତ ବଳଦ। ଗୋଟିଏ କଳା ଓ ଗୋଟିଏ ଧଳା। ଏ ଦୁଇ ବଦଳଙ୍କ ପାଖରେ ହିଁ ରହିଛି ଗଛଟିଏ। ଯାହାକୁ କୁହାଯାଏ ତ୍ରିବେଣୀ ଗଛ। ଏକସଙ୍ଗେ ତିନି ପ୍ରକାର ଗଛ- ବର, ଓସ୍ତ ଓ ସାହାଡ଼ା ଏକ ସଙ୍ଗରେ ଗୋଟିଏ ଜାଗାରେ ଉଠିଛନ୍ତି ଓ ଛନ୍ଦାଛନ୍ଦି ହୋଇ ବଢ଼ିଛନ୍ତି। ତିନୋଟି ଗଛର ମିଶ୍ରଣ ହୋଇଥିବାରୁ ଏହାକୁ ତ୍ରିବେଣୀ ଗଛ କୁହାଯାଏ। ମାନସିକ କରି ଏହି ଗଛରେ ବାନା ବାନ୍ଧିଲେ ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ଗଜ ଭୋଗ: ବଡ଼ ଓଷାରେ ଧବଳେଶ୍ୱରଙ୍କ ପାଖରେ ଲାଗିଥାଏ ଗଜମଣ୍ଡା ଭୋଗ। ଚାଉଳ ଚୁନାରେ ଖଳି ଯନ୍ତା ଯାଇ ଏହି ଭୋଗ ପ୍ରସ୍ତୁତ କରାଯାଇଥାଏ। ଭଗବାନ ଧବଳଶ୍ୱର କଳା ବାଛୁରୀକୁ ଧଳା କରିଥିବାରୁ ଏହି ମଣ୍ଡାର ଭିତର ଅଂଶ କଳା ଓ ବାହାର ଧଳା ହୋଇଥାଏ। ଭଗବାନ ଧବଳେଶ୍ୱରଙ୍କ ଏହା ଅତି ପ୍ରିୟ ଭୋଗ ବୋଲି କୁହାଯାଏ।