ନବୀନଙ୍କୁ ଭେଟିଲେ ରଘୁନାଥ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ରଘୁନାଥ ମହାନ୍ତି ଆଜି ନବୀନ ନିବାସ ଯାଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।  ସାକ୍ଷାତ ଆଲାଚନା ପରେ ରଘୁ ମହାନ୍ତି କହିଛନ୍ତି,“ଦଳର ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବି।”

ଦଳରେ ସକ୍ରିୟ ଭାବେ କାମ କରିବାକୁ ରଘୁନାଥଙ୍କୁ ନବୀନ ନିବାସରୁ ଡକରା ହୋଇଥିବା ଜଣାପଡିଛି।  ଏକଦା ବିଜେଡ଼ିରେ ବେଶ୍ ପ୍ରଭାବଶାଳୀ ଥିବା ରଘୁନାଥ ମହାନ୍ତି ବୋହୂ ନିର୍ଯାତନା ଘଟଣାକୁ ନେଇ ଦଳରୁ ଦୂରେଇ ରହିଥିଲେ।  ଏପରିକି ୨୦୧୪ରେ ତାଙ୍କୁ ଦଳୀୟ ଟିକେଟ ମଧ୍ୟ ମିଳି ନ ଥିଲା।   କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦଳରେ ସକ୍ରିୟ ନ ଥିବା ନେତାଙ୍କୁ କେସ୍ ଟୁ କେସ୍ ଭାବେ ବିଚାର କରାଯିବ। ଏହି କ୍ରମରେ ରଘୁନାଥଙ୍କୁ ଡକାଯାଇଥିବା ସୂଚନା ମିଳିଛି।