ଖାଦ୍ୟ ଆଲର୍ଜି କ’ଣ? କେମିତି ହୁଏ ଏହି ଆଲର୍ଜି, ପଢନ୍ତୁ

ଖାଦ୍ୟ ଆଲର୍ଜି ଦେହରେ ଜାତ ହେଉଥିବା ଏକ ଅସ୍ୱାଭାବିକ ପ୍ରତିକ୍ରିୟା। ଏହାର ଚିହ୍ନ ଓ ଲକ୍ଷଣମାନ ଅତି ସାଧାରଣରୁ ଅତି ଗମ୍ଭୀର ହୋଇପାରେ। କୁଣ୍ଡେଇ ହେବା, ଜିଭ ଫୁଲିବା, ବାନ୍ତି ହେବା, ତରଳ ଝାଡ଼ା, ଶ୍ୱାସକ୍ରିୟାରେ ସମସ୍ୟା କିମ୍ବା ନିମ୍ନ ରକ୍ତଚାପ ଇତ୍ୟାଦି ଲକ୍ଷଣ ଦେଖାଯାଇପାରେ। ପ୍ରଭାବିତ ହେବାର କିଛି ମିନିଟ୍‌ରୁ କିଛି ଘଣ୍ଟା ମଧ୍ୟରେ ଏହାର ଲକ୍ଷଣ ପ୍ରକାଶ ପାଏ। ଏହି ଲକ୍ଷଣ ଗୁଡ଼ିକ ଅତି ଗମ୍ଭୀର ରୂପ ନେଲେ ଆନାଫାଇଲାକ୍ସିସ୍  ନାମ ଦିଆଯାଏ।

ଆଲର୍ଜି କରାଉଥିବାଖାଦ୍ୟ:

ଗାଈକ୍ଷୀର, ଚିନାବାଦାମ, କଙ୍କଡ଼ା, ଡ୍ରାଏ ଫ୍ରୁଟସ୍, ଗହମ, ଚାଉଳ ଓ ଫଳ ଖାଇବା ଦ୍ୱାରା ବେଳେବେଳେ ଆଲର୍ଜି ହୋଇଥାଏ। ଦେଶ ଅନୁଯାୟୀ ଖାଦ୍ୟ ଆଲର୍ଜି ବଦଳେ।

 କାହିଁକି ହୁଏ ଆଲର୍ଜି:

ଜେନେଟିକ୍ ବା ବଂଶାନୁକ୍ରମିକ ଭାବେ ଆଲର୍ଜି ହୋଇଥାଏ। ସେହିପରି ଭିଟାମିନ୍ ‘ଡି’ର ଅଭାବ,ଓ ଅତ୍ୟଧିକ ପରିଚ୍ଛନ୍ନତା ମଧ୍ୟ ଆଲର୍ଜିର କାରଣ ହୋଇଥାଏ। ଖାଦ୍ୟ କଣିକା ସ‌ହିତ ଇମ୍ୟୁନୋଗ୍ଲୋବ୍ୟୁଲିନ୍ ‘ଇ’ (ଦେହସ୍ଥ ଇମ୍ୟୁନ୍ ସିଷ୍ଟମର ଏକ ଅଂଶ) ସଂଯୁକ୍ତ ହେଲେ ଆଲର୍ଜି ହୁଏ । ଖାଦ୍ୟରେ ଥିବା କୌଣସି ପ୍ରୋଟିନ ଯୋଗୁ ମଧ୍ୟ ଆଲର୍ଜି ଦେଖା ଦେଇଥାଏ।

ପ୍ରତିକାର:

ପ୍ରଥମେ ଆଲର୍ଜି କରାଉଥିବା ଖାଦ୍ୟଠାରୁ ଦୂରରେ ରହିବା ସ‌ହିତ ରୋଗରୁ ମୁକ୍ତି ପାଇବା ନିମନ୍ତେ ଏକ ପ୍ଲାନ ତିଆରି କରିବା ଉଚିତ୍‌ । ଏପରି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

କ୍ଷୀର, ଅଣ୍ଡା ଓ ସୋୟା ଆଦି କେତେକ ଖାଦ୍ୟ ପିଲାଦିନେ ଆଲର୍ଜି କରୁଥିଲେ ମଧ୍ୟ ବଡ଼ ହେଲେ ହୁଏ ନାହିଁ। କିନ୍ତୁ ଡ୍ରାଏ ଫ୍ରୁଟସ୍‌ ଓ କଙ୍କଡା ଜାତୀୟ ଖାଦ୍ୟ ଖାଇଲେ ଏଥିର ବ୍ୟତିକ୍ରମ ହୁଏ। ବିକଶିତ ଦେଶମାନଙ୍କରେ ୪ରୁ ୮ % ଲୋକଙ୍କର ଅତି କମ୍‌ରେ ଗୋଟିଏ ଖାଦ୍ୟ ଆଲର୍ଜି ଥାଏ। ପିଲାମାନଙ୍କ କ୍ଷେତ୍ରରେ ଏହା ଅଧିକ ହେବା ଦେଖାଯାଉଛି। ଝିଅ ପିଲାଙ୍କ ଅପେକ୍ଷା ପୁଅମାନଙ୍କର ଅଧିକ ଆଲର୍ଜି ହୁଏ। କେତେକ ପ୍ରକାରର ଆଲର୍ଜି ପିଲାବେଳେ ହୁଏ ଓ କେତେକ ବଡ଼ ହେଲା ପରେ।