ମିଳୁନି ଆଗୁଆ ବାତ୍ୟା ସୂଚନା: ଅଧାରେ ଅଟକିଛି ଡପଲର୍ ରାଡାର

ଭୁବନେଶ୍ୱର/ବାଲେଶ୍ୱର/ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଝଡ଼ବାତ୍ୟା ଭଳି ଦୁର୍ବିପାକ ସଂପର୍କରେ ଆଗୁଆ ସୂଚନା ସଂଗ୍ରହ ପାଇଁ ରାଜ୍ୟର ୪ଟି ସ୍ଥାନରେ ଅତ୍ୟାଧୁନିକ ଡପଲର୍ ରାଡାର ଲଗାଯିବ। ଏଥିପାଇଁ ୨୦୦୬ରୁ କାମ ଆରମ୍ଭ ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ ସରିନି। ଗୋପାଳପୁର ଓ ସମ୍ବଲପୁରରେ ରାଡାର ସ୍ଥାପନ କାମ ଚାଲିଥିବା ବେଳେ ବାଲେଶ୍ୱରରେ ଅଧପନ୍ତରିଆ ହୋଇ ପଡ଼ିରହିଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ନିକଟ ନୂଆନଈ ଗାଁରେ ଅତ୍ୟାଧୁନିକ ଡପଲର୍ ରାଡାର ବସାଇବାକୁ ୪ ବର୍ଷ ତଳେ କାମ ଆରମ୍ଭ ହୋଇଥିଲା। […]

Rakesh Mallick
  • Published: Friday, 01 September 2017
  • , Updated: 01 September 2017, 08:20 PM IST

ଭୁବନେଶ୍ୱର/ବାଲେଶ୍ୱର/ସମ୍ୱଲପୁର (ଓଡ଼ିଶା ରିପୋର୍ଟର): ଝଡ଼ବାତ୍ୟା ଭଳି ଦୁର୍ବିପାକ ସଂପର୍କରେ ଆଗୁଆ ସୂଚନା ସଂଗ୍ରହ ପାଇଁ ରାଜ୍ୟର ୪ଟି ସ୍ଥାନରେ ଅତ୍ୟାଧୁନିକ ଡପଲର୍ ରାଡାର ଲଗାଯିବ। ଏଥିପାଇଁ ୨୦୦୬ରୁ କାମ ଆରମ୍ଭ ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ ସରିନି। ଗୋପାଳପୁର ଓ ସମ୍ବଲପୁରରେ ରାଡାର ସ୍ଥାପନ କାମ ଚାଲିଥିବା ବେଳେ ବାଲେଶ୍ୱରରେ ଅଧପନ୍ତରିଆ ହୋଇ ପଡ଼ିରହିଛି।

ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ନିକଟ ନୂଆନଈ ଗାଁରେ ଅତ୍ୟାଧୁନିକ ଡପଲର୍ ରାଡାର ବସାଇବାକୁ ୪ ବର୍ଷ ତଳେ କାମ ଆରମ୍ଭ ହୋଇଥିଲା। ସରକାର ଏଥିପାଇଁ ୩ ଏକର ମାଗଣା ଜମି ଯୋଗାଇ ଦେଇଥିଲେ। ଏଠାରେ କେବଳ ଅର୍ଦ୍ଧନିର୍ମିତ ଘର ବ୍ୟତୀତ ଅନ୍ୟ କିଛି ନାହିଁ। ଏହାଛଡ଼ା ଗତ ଦୁଇ ବର୍ଷ ହେଲା ଏଠାକୁ ପାଣିପାଗ ବିଭାଗର କୌଣସି ଅଧିକାରୀ ଆସିନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ଏଠାରେ ରାଡାର ଲଗାଯିବ ନା ନାହିଁ, ତାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ପ୍ରକାଶ ପାଉଛି।

ଗୋପାଳପୁର ଓ ସମ୍ବଲପୁରରେ ରାଡାର ଲଗାଇବା କାମ ଚାଲିଛି। ଗୋପାଳପୁରରେ ଇସ୍ରୋ ଡପଲର ରାଡାର ଇନଷ୍ଟଲ କରୁଛି। ତେବେ ବୈଷୟିକ ତ୍ରୁଟି ଯୋଗୁଁ କାମ ଅଟକି ରହିଛି। ସମ୍ବଲପୁରରେ ରାଡାରର ସମସ୍ତ ଯନ୍ତ୍ରପାତି ଆସି ନାହିଁ। ତେଣୁ ରାଡାର କାର୍ଯ୍ୟକ୍ଷମ ହୋଇପାରୁ ନାହିଁ।

ଅନ୍ୟପକ୍ଷରେ ରାଡାର କାମରେ ବିଳମ୍ବକୁ ନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଡପଲର ରାଡାର ଇନଷ୍ଟଲେସନ କାମ ଶୀଘ୍ର ଶେଷ କରିବା ଲାଗି ମୁଖ୍ୟମନ୍ତ୍ରୀ ଚିଠି ଉଲ୍ଲେଖ କରିଛନ୍ତି।

୧୯୯୯ ମହାବାତ୍ୟା ପରେ ରାଜ୍ୟରେ ଡପଲର ରାଡାର ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମେ ପର୍ଯ୍ୟାୟରେ ପାରାଦୀପରେ ଡପଲର ରାଡାର ଲଗା ଯାଇଥିଲା। ଏହା ସଫଳ ହେବା ପରେ ବାଲେଶ୍ୱର, ସମ୍ୱଲପୁର ଓ ଗୋପାଳପୁରରେ ଡପଲର ରାଡାର ପ୍ରତିଷ୍ଠା କରିବା ଲାଗି ସ୍ଥିର ହୋଇଥିଲା। ଇତି ମଧ୍ୟରେ ୧୧ ବର୍ଷ ବିତି ଗଲାଣି। ହେଲେ ଏପର୍ଯ୍ୟନ୍ତ ରାଡ଼ାର ନିର୍ମାଣ କାମ ସରୁନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଛି। ଝଡର ଗତିପଥ, ବର୍ଷା ପରିମାଣ, ପବନର ବେଗ ଓ ବିଜୁଳି ଘଡଘଡି ସଂପର୍କରେ ଡପଲର ରାଡାର ଆଗୁଆ ନିର୍ଭୁଲ ତଥ୍ୟ ପ୍ରଦାନ କରିଥାଏ।

କିଏ କ’ଣ କୁହନ୍ତି

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି-“ଗୋପାଳପୁରରେ ରାଡାର କାମ ସରିଛି। ମାତ୍ର କିଛି ଟେକ୍ନିକାଲ ତ୍ରୁଟି ଥିବାରୁ ତାହା ଲୋକାର୍ପିତ କରାଯାଇନି। ଖୁବ୍‌ଶୀଘ୍ର ଲୋକାର୍ପିତ କରାଯିବ। ଅନ୍ୟ ଦୁଇଟିରେ ସ୍ଥାନରେ ଘର ନିର୍ମାଣ ସରିଛି। ତୁରନ୍ତ କାମ ସାରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଛନ୍ତି।”

ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି-“ଘର ନିର୍ମାଣ କାମ ସରିଛି। ମାତ୍ର କିଛି ଯନ୍ତ୍ରଂଶ ଆସିନାହିଁ। ରାଡାର ପାଇଁ ଆବଶ୍ୟକ ଯନ୍ତ୍ରଂଶ ଆସିଲେ ଇନ୍‌ଷ୍ଟଲ କରାଯାଇ କାର୍ଯ୍ୟକ୍ଷମ କରାଯିବ।”

Related story