ଜବରଦସ୍ତ ଚାନ୍ଦା ନେଲେ ରୁଜୁ ହେବ ଦାଦାବଟି ମାମଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଣେଶ ପୂଜାରୁ ଆରମ୍ଭ ହେଉଛି ପାର୍ବଣ ଋତୁ। ଏହା ପୂର୍ବରୁ ଦେଖାଦେଲାଣି ଜବରଦସ୍ତ ଚାନ୍ଦା ଆଦାୟର ଦୌରାତ୍ମ୍ୟ। ଚାନ୍ଦା ପାଇଁ କେଉଁଠି କାଳିମାଡ଼ ହେଉଛି ତ ଆଉ କେଉଁଠି ଧମକା ଯାଉଛି। ଏପରିସ୍ଥିତିରେ ପୋଲିସ ପ୍ରଶାସନ ପକ୍ଷରୁ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଇଛି। ଯେଉଁମାନେ ଜୋର ଜବରଦସ୍ତ ପୂଜା ଚାନ୍ଦା ଆଦାୟ କରିବେ ସେମାନଙ୍କ ବିରୋଧରେ ଦାଦାବଟି ଆଦାୟ ମାମଲା ରୁଜୁ ହେବ ବୋଲି ଆଜି ପୋଲିସ […]

Rakesh Mallick
  • Published: Saturday, 26 August 2017
  • , Updated: 26 August 2017, 09:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଣେଶ ପୂଜାରୁ ଆରମ୍ଭ ହେଉଛି ପାର୍ବଣ ଋତୁ। ଏହା ପୂର୍ବରୁ ଦେଖାଦେଲାଣି ଜବରଦସ୍ତ ଚାନ୍ଦା ଆଦାୟର ଦୌରାତ୍ମ୍ୟ। ଚାନ୍ଦା ପାଇଁ କେଉଁଠି କାଳିମାଡ଼ ହେଉଛି ତ ଆଉ କେଉଁଠି ଧମକା ଯାଉଛି। ଏପରିସ୍ଥିତିରେ ପୋଲିସ ପ୍ରଶାସନ ପକ୍ଷରୁ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଇଛି। ଯେଉଁମାନେ ଜୋର ଜବରଦସ୍ତ ପୂଜା ଚାନ୍ଦା ଆଦାୟ କରିବେ ସେମାନଙ୍କ ବିରୋଧରେ ଦାଦାବଟି ଆଦାୟ ମାମଲା ରୁଜୁ ହେବ ବୋଲି ଆଜି ପୋଲିସ ଡିଜି କେ.ବି. ସିଂ କହିଛନ୍ତି। ଏହା ସହ ଏନେଇ ସମସ୍ତ ଏସ୍‌ପି, ଥାନା ଓ ରେଞ୍ଜ ଆଇଜିଙ୍କୁ ମଧ୍ୟ ଚିଠି ହୋଇଛି। ବିଭିନ୍ନ ଆଡୁ ଜୋରଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗ ଆସିବା ପରେ ପୋଲିସ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

ଅଭିଯୋଗ ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ଉତ୍ତରା ବିଦ୍ୟୁତ ବିଭାଗ ଅଫିସରେ ବିଲ୍‌ ପୈଠ କରିବାକୁ ନୀଳାଦ୍ରି ବିହାର ନନ୍ଦ ଯାଇଥିଲେ। ଏହି ସମୟରେ ତାଙ୍କୁ ବିଶ୍ୱକର୍ମା ପୂଜା ପାଇଁ ଚାନ୍ଦା ମଗା ଯାଇଥିଲା। ତେବେ ସେ (ନୀଳାଦ୍ରି) ଚାନ୍ଦା ଦେବାକୁ ମନା କରିବାରୁ ଦୁର୍ବ୍ୟବହାରରେ ଶିକାର ହୋଇଥିବା ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ। ସେଠାରୁ ନିରାଶ ହେବା ପରେ ଥାନାରେ ଅଭିଯୋଗ କରିଥିଲେ। ସେହିପରି କିଛି ଦିନ ତଳେ ସମ୍ୱଲପୁର ଜିଲ୍ଲା ବୁର୍ଲା ୱେସ୍‌କୋ ଡିଜିଏମ୍‌ (ଏଚ୍‌ଆରଡି) ରମେଶ ପ୍ରସାଦ ପତି ଗଣେଶ ପୂଜା ଚାନ୍ଦା ନଦେବାରୁ ତାଙ୍କ ଉପରେ କାଳି ମାଡ଼ ହୋଇଥିଲା।  କେବଳ ଏହି ଦୁଇ ଘଟଣା ନୁହେଁ, ପାର୍ବଣ ଋତୁ ଆସିଲେ ପ୍ରତିଦିନ ଏମିତି ଅନେକ ଘଟଣା ଘଟୁଛି।

ପାର୍ବଣ ଋତୁରେ ଘରୋଇ ବସ୍‌ଠାରୁ ଚାନ୍ଦା ଆଦାୟ ଏକ ସାଧାରଣ ଘଟଣାରେ ପଣିତ ହୋଇଛି। ବସ୍‌ ମାଲିକମାନଙ୍କୁ ଚାନ୍ଦା ଦେବା ପାଇଁ ବାଧ୍ୟା କରାଯାଉଥିବା ଅଭିଯୋଗ ଆସୁଛି। ଏପରି ଚାନ୍ଦା ଆଦାୟ ରୋକା ନଗଲେ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ଅଲ୍‌ ଓଡ଼ିଶା ବସ୍ ଓନର୍ସ ଆସୋସିଏସନ୍ ଚେତାବନୀ ଦିଆଯାଇଛି।

ଅଲ୍‌ ଓଡ଼ିଶା ବସ୍ ଓନର୍ସ ଆସୋସିଏସନ୍ କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି-“ପାର୍ବଣ ଋତୁରେ ବସ୍‌ଠାରୁ ହଜାର ହଜାର ଟଙ୍କା ଚାନ୍ଦା ଆଦାୟ କରାଯାଉଛି। ଏହାକୁ ଆମେ ବିରୋଧ କରୁଛୁ। ଚାନ୍ଦା ଆଦାୟକରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବସ ଗୁଡ଼ିକୁ ସୁରକ୍ଷା ଯୋଗାଇ ଦିଆନଗଲେ ଆମେ ପୂଜାରେ ସେହି ରୁଟ୍‌ରେ ଗାଡ଼ି ଚଳାଚଳ ବନ୍ଦ କରିବୁ।”

ପୋଲିସ୍ କମିଶନର ଓ୍ୱାଇ.ବି. ଖୁରାନିଆ କହିଛନ୍ତି-“ଯେଉଁ ଅଞ୍ଚଳରେ ଜୋରଜବରଦସ୍ତ ଚାନ୍ଦା ଆଦାୟ କରାଯାଉଛି, ସେହି ଅଞ୍ଚଳର ଲୋକ ଥାନାରେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Related story