କଟକ: ଗାଡ଼ି ପାର୍କିଂକୁ ନେଇ ଆଜି କଟକ ଏସ୍ସିବି ମେଡ଼ିକାଲ ନେଫ୍ରୋଲୋଜିଷ୍ଟ ବିଭାଗର ମୁଖ୍ୟ ଡାକ୍ତର ଚିତ୍ତରଞ୍ଜନ କର ଓ ମଙ୍ଗଳାବାଗ ଥାନାର ଅତିରିକ୍ତ ଥାନାଧିକାରୀ ମୁହାଁମୁହିଁ ହୋଇଥିଲେ। ଡାକ୍ତର ଓ ତାଙ୍କ ଡ୍ରାଇଭର କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ଗାଳିଗୁଳଜ କରିବା ସହ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଡାକ୍ତରଙ୍କ ବିରୋଧରେ ଅତିରିକ୍ତ ଥାନା ଅଧିକାରୀ ଏତଲା ଦେଇଛନ୍ତି। ପୋଲିସ ଡାକ୍ତରଙ୍କ ବିରୋଧରେ ୩୪୧, ୨୯୪, ୧୮୬, ୨୮୩, ୫୦୬, ୩୪ ଆଇପିସି ଧାରାରେ ମାମଲା ରୁଜୁ କରି କାରକୁ ଜବତ କରିଥିଲା।
ପୋଲିସ୍ର ଏପରି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି ଏସ୍ସିବି ମେଡ଼ିକାଲ କଲେଜ ଛାତ୍ରଛାତ୍ରୀ। ସେମାନେ ମେଡ଼ିକାଲ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ।
ଅନ୍ୟପକ୍ଷରେ ଡାକ୍ତର କର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଅତିରିକ୍ତ ଥାନା ଅଧିକାରୀ ତାଙ୍କୁ ପ୍ରଥମେ ଦୁର୍ବ୍ୟବହାର କରିଥିବା କହିଛନ୍ତି।
ପୋଲିସ ମହାସଂଘ ଏହି ଘଟଣାକୁ ଗୁରୁତର ସହ ନେଇଛି। ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ପୋଲିସ ମହାସଂଘ। ଆଜି ସନ୍ଧ୍ୟାରେ ମଙ୍ଗଳାବାଗ ଥାନାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଘଟଣାର ତଦନ୍ତ କରିବା ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ଗଠନ କରାଯାଇଛି।